ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଗଣମାଧ୍ୟମ ହେଉଛି ସୁସ୍ଥ ସମାଜର ସୂତ୍ରଧାର :ବିଧାୟକ

ଜଗତସିଂହପୁର,ତା-୧୬.୧୧.୨୦୨୫/ସୁମନ୍ତ କୁମାର ଦାସ:ଆଜି ଜିଲ୍ଲାପାଳଙ୍କ କର୍ଯ୍ୟଳୟସ୍ଥ ସଦଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତା ରେ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ବିଧାୟକ, ଜଗତସିଂହପୁର, ଶ୍ରୀ ଅମରେନ୍ଦ୍ର ଦାସ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରେସ ଦିବସ ର ଶୁଭେଚ୍ଛା ଜଣାଇବା ସହ କହିଥିଲେ ଯେ ନିରପେକ୍ଷ ଗଣମାଧ୍ୟମ ହେଉଛି ସୁସ୍ଥ ସମାଜର ସୂତ୍ରଧାର, ସମାଜରେ ଘଟୁଥିବା ପ୍ରତ୍ୟେକ ନୀତି-ଅନୀତି, ଉନ୍ନତି-ଅବନତି ଏବଂ ବିଭିନ୍ନ ବିଷୟ ଉପରେ ଦେଖାଯାଉଥିବା ମତ ଓ ଭିନ୍ନମତକୁ ଲୋକଲୋଚନକୁ ଆଣିବା ହେଉଛି ଗଣମାଧ୍ୟମର ଦାୟିତ୍ୱ । ଏହି ଦାୟିତ୍ୱକୁ ଯେଉଁ ଗଣମାଧ୍ୟମ ସଠିକ୍‌ ଭାବେ ତୁଲାଇ ଜନସମାଜର ବିକାଶ ସହିତ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ସହାୟକ ହୁଅନ୍ତି, ସେମାନେ ହେଉଛନ୍ତି ବାସ୍ତବରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ । ସେମାନେ କୌଣସି ଭାବରେ ପ୍ରଭାବିତ ନ ହୋଇ ସତ୍ୟ ର ଅନୁସନ୍ଧାନ ସଠିକ ଖବର ପହଞ୍ଚାଇବାକୁ ଉପଦେଶ ଦେଇଥିଲେ। ପ୍ରେସ କାଉନସିଲ ଅଫ ଇଣ୍ଡିଆ ଦ୍ୱାରା ଘୋଷିତ ଏ ବର୍ଷ ର ଥିମ୍ ' ଭ୍ରାମାତ୍ମକ ଖବର ପ୍ରସାରଣ ବୃଦ୍ଧି ରେ ଗଣମାଧ୍ୟମ ବିଶ୍ୱସନୀୟତା ର ସଂରକ୍ଷଣ' ଉପରେ ଆଲୋକପାତ କରିବାକୁ ଯାଇ ବିଧାୟକ କହିଲେ ଯେ ଗଣମାଧ୍ୟମ ଚାପ ର ବଶବର୍ତ୍ତୀ ନ ହୋଇ ସଠିକ ଖବର ପ୍ରକାଶନ କଲେ ସମାଜ ରେ ସୁଧାର ଆସିବ। ଗଣମାଧ୍ୟମର ପ୍ରତିନିଧି ମାନଙ୍କ ନିବେଦନ ଅନୁଯାୟୀ ଆଗାମୀ ଦିନରେ ଜିଲ୍ଲା ରେ ପ୍ରେସ ଭବନ ନିର୍ମାଣ କରିବା ପାଇଁ ଜିଲ୍ଲାପାଳ ଙ୍କୁ ଚିଠି ମାଧ୍ୟମ ରେ ଜଣାଇଥିବା କଥା କହିଥିଲେ ବିଧାୟକ ଶ୍ରୀ ଦାସ। ସଭାରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଲେ ବିଭିନ୍ନ ପରିବର୍ତ୍ତନଗୁଡିକ ସତ୍ତ୍ୱେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇ ସଠିକ ତଥ୍ୟ ଲୋକଲୋଚନକୁ ଆଣିବା ସହ ଜନସାଧାରଣଙ୍କ ଆଗରେ ସତ୍ୟତା ପ୍ରତିପାଦନ କରିବା ହେଉଛି ସାମ୍ବାଦିକତାର ମୂଳମନ୍ତ୍ର । ଯେଉଁ ମୂଳମନ୍ତ୍ରକୁ ପାଥେୟ କରି କାର୍ଯ୍ୟ କରିବା ସହ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଶାସନ ସହିତ ସମନ୍ଵୟ ରଖି କାର୍ଯ୍ୟ କରିବା ଉଭୟଙ୍କ ପାଇଁ ନିହାତି ଜରୁରୀ । କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ର ମୁଖ୍ୟ ଡ ଅମ୍ବିକା ଶଙ୍କର ମିଶ୍ର ଚଳିତ ବର୍ଷ ର ଆଲୋଚ୍ୟ ବିଷୟ ବସ୍ତୁ ଉପରେ ଆଲୋକ ପାତ କରିଥିଲେ। ବର୍ତ୍ତମାନ ର ଏ ଆଇ ଓ ସୋସିଆଲ ମିଡ଼ିଆ ପ୍ରଭାବରେ ଅନେକ ଭ୍ରାନ୍ତିକର ତଥ୍ଯ ଉପସ୍ଥାପିତ ହେଉଛି ମାତ୍ର ଗଣମାଧ୍ୟମ ଏସବୁ ରୁ ଉର୍ଦ୍ଧ୍ବ ରେ ରହି ଯାଞ୍ଚିତ ଖବର ପ୍ରସାରଣ କରିବା ଉଚିତ୍।ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉପ ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ତରାଇ କହିଥିଲେ ସମ୍ବାଦିକତା ମାଧ୍ୟମରେ ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସମ୍ପ୍ରଦାୟକୁ ସଂଯୋଗ କରିବା ସହ ସମାଜକୁ ଅବଗତ କରାଇବାରେ ଗଣମାଧ୍ୟମ ପରତିନିଧିଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ । ଜଗତସିଂହପୁର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି ସମ୍ବାଦିକତାର ଗାରିମାକୁ ବଜାୟ ରଖିବା ଏବଂ ଏକତ୍ରିତ ହୋଇ ପ୍ରସାଶନ ସହ ସମନ୍ଵୟ ରଖି କାର୍ଯ୍ୟ କରିବା ପାଇଁ କହିଥିଲେ। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ଯରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କିଶୋର ଚୌଧୁରୀ, ଅମର ନାଥ ପରିଡ଼ା, ପ୍ରମୋଦ ନାୟକ,ମନୋଜ କୁମାର ଦାଶ,ମିଲନ ଜେନା , ଦୀପ୍ତି ରଞ୍ଜନ ମହାନ୍ତି,ଶୁଭଙ୍କର ଜେନା,ସରୋଜ ସାହୁ, ନାରାୟଣ ପ୍ରସାଦ ନନ୍ଦ, ରମାକାନ୍ତ ଦାଶ, ଶଶାଙ୍କ ଶେଖର ପଣ୍ଡା, ବିପ୍ଳବ ମହାନ୍ତି ନିଜର ଅଭିବ୍ୟକ୍ତି ରଖିଥିଲେ ।
ଜାତୀୟ ପ୍ରେସ ଦିବସ ଉପଲକ୍ଷେ ଆୟୋଜିତ ହାଇସ୍କୁଲ ସ୍ତରୀୟ ଓଡ଼ିଆ ବକ୍ତୃତା ପ୍ରତିଯୋଗିତା ର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ସ୍ବାଗତ ଭାଷଣ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାର ସମସ୍ତ ଗଣମାଧ୍ୟମ ପ୍ରତିନିଧି, ଜିଲ୍ଲା ସ୍ତରୀୟ ଅଧିକାରୀ, ବୁଦ୍ଧିଜୀବି ପ୍ରମୁଖ ଉପସ୍ଥିତ ଥିଲେ । ପରେ ସମସ୍ତେ ମଧ୍ୟାହ୍ନ ଭୋଜନ କରିଥିଲେ।

0
0
0
s2sdefault