ଅରୁଣଙ୍କ ସମୟୋଚିତ ପଦକ୍ଷେପ ସାଜିଲା ଚାଷୀଙ୍କ ପାଇଁ ବରଦାନ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

ଭୁବନେଶ୍ୱର: ମନ୍ତ୍ରୀ ଅରୁଣ ସାହୁ । ଜଣେ କର୍ମପ୍ରବଣ ତଥା କ୍ରୀୟାଶୀଳ ମନ୍ତ୍ରୀ ଭାବେ ନିଜକୁ ପ୍ରତିପାଦିତ କରିବାକୁ ଚେଷ୍ଟା କରିଛନ୍ତି । ଦୁଇଟି ଜବର ଅଲିଆ ଥିବା ବା ଟେନସନିଆ ବିଭାଗ ପାଇଥିବା ଅରୁଣ ଦାୟିତ୍ୱ ପାଇବା ଦିନଠାରୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ଦୁଇଟି ଯାକ ବିଭାଗରେ ସଂସ୍କାର, ସମାୟାନୁବର୍ତ୍ତିତା ଆଉ କ୍ରୀୟାଶୀଳତା ବୃଦ୍ଧି କରିବା ପାଇଁ । ଆଉ ଏଥିପାଇଁ ସେ ବିଭାଗୀୟ ବୈଠକ ସମୟକୁ ଛାଡି ପ୍ରାୟତଃ ସମୟ ସରଜମିନ ଅନୁଧ୍ୟାନ ଓ ସରପ୍ରାଇଜ ଭିଜିଟ ରେ ଯାଉଛନ୍ତି । ଆଉ ଏହାର ପ୍ରଭାବ ଉଚ୍ଚ ଶିକ୍ଷା    ବିଭାଗ  ଓ କୃଷି ବିଭାଗରେ ଦେଖିବାକୁ ମିଲିଲାଣି । ଏହାର ପରିଣାମ ସ୍ୱରୂପ ଯଦିଓ ବିଶୃଙ୍ଖଳା ଓ ଅବହେଲାରେ ଲିପ୍ତଥିବା ଅଧିକାରୀ, କର୍ମଚାରୀ, ଅଧ୍ୟକ୍ଷ, ଅଧ୍ୟାପକ ଅସନ୍ତୁଷ୍ଟ ହେଉଛନ୍ତି ଭିତରେ ଭିତରେ, ହେଲେ ମନ୍ତ୍ରୀ ଅରୁଣଙ୍କ ପଦକ୍ଷେପ କୃଷି ଓ ଶିକ୍ଷା ବିଭାଗରେ ଡାଇନାମୀଜିମ ଆଣିବାରେ ସକ୍ଷମ ହୋଇ ପାରିଛି । କୃଷି ବିଭାଗର ମନ୍ତ୍ରୀ ହେବା ପରେ ଓୟୁଏଟିରେ ଆୟୋଜିତ ବୈଠକରେ ଗବେଷଣା ଓ କୃଷି କ୍ଷେତ୍ରରେ ଦେଖା ଦେଉଥିବା ସମସ୍ୟା ଚିହ୍ନଟ ଓ ତାହାର ନିରାକରଣ ଉପାୟ ଖୋଜି ବାହାର କରିବା ଉପରେ କୃଷି ଗବେଷକ ମାନଙ୍କୁ ଆହ୍ଵାନ ଜଣାଇଥିଲେ । ଆଉ ତାହାର ସୁଫଳ ବି ଦେଖିବାକୁ ମିଳିଛି । ନଗଦ ନଗଦ । ଅରୁଣଙ୍କ ନିଷ୍ଠାପର ଉଦ୍ୟମର ସୁଫଳ ପାଇଛନ୍ତି ରାଜ୍ୟର ହଜାର ହଜାର ମକା ଚାଷୀ । ମନ୍ତ୍ରୀ ଅରୁଣଙ୍କ ସମୟୋଚିତ ପଦକ୍ଷେପ ରାଜ୍ୟର ମକାଚାଷୀଙ୍କ ପାଇଁ ଆସିବାକୁ ଥିବା ଭୟଙ୍କର ବିପତ୍ତିକୁ ଏଡାଇବାରେ ସକ୍ଷମ ହୋଇପାରିଛି । ଆଫ୍ରିକା ଫଲ୍ ଆର୍ମିୱର୍ମ ଜୀବାଣୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ରାୟଗଡା, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ସୋନପୁର, ଗଜପତି, ଗଞ୍ଜାମ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାରେ ଚାଷୀମାମେ ବହୁଳ ଭାବେ ମକା ଚାଷ କରିଥାନ୍ତି । ଏହିସବୁ ଜିଲ୍ଲାରୁ ବାର୍ଷିକ ପ୍ରାୟ ୭ ଲକ୍ଷ ଟନ୍ ରୁ ଅଧିକ ମକା ଉତ୍ପାଦନ ହୋଇଥାଏ । ଗତବର୍ଷ ସମୁଦାୟ ୨.୨୮ ଲକ୍ଷ ହେକ୍ଟର ଜମିରେ ମକା ଚାଷ ହୋଇଥିବା ବେଳେ ଚଳିତବର୍ଷ ଏହା ୨.୪୦ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଛି । ହେଲେ କେନ୍ଦ୍ର ସରକାରଙ୍କ ଠାରୁ ସୂଚନା ମିଳିଲା ଯେ,  ଆଫ୍ରିକାରେ ମକା ଚାଷକୁ ବ୍ୟାପକ କ୍ଷତି ପହଞ୍ଚାଉଥିବା ଫଲ୍ ଆର୍ମିୱର୍ମ (କୀଟ ବା ଫସଲ ନଷ୍ଟ କାରୀ ପୋକ)  ଭାରତରେ  ତାହାର ଉପସ୍ଥିତି ଜାହିର କରିଛି । ଆଉ ତାହାର ସଦ୍ୟ ଶିକାର ହୋଇଛନ୍ତି ଗତ ବର୍ଷ କର୍ଣ୍ଣାଟକର ମକା ଚାଷୀ । କେବଳ ମକା ନୁହେଁ, ଏହି ଫସଲ ନଷ୍ଟକାରୀ ବିଦେଶୀ କୀଟଙ୍କ ଲୋଲୁପ ଦୃଷ୍ଟିରେ  80ରୁ  ଉର୍ଧ୍ବ କିସମର ଫସଲ । ଏହି କୀଟଙ୍କ ବିଶେଷତ୍ୱ ହେଉଛି ଶସ୍ୟ ବୁଣା ହେବାର ୪୫ ଦିନ ମଧ୍ୟରେ ଏହା ଗଛର ସବୁଜ ପତ୍ରକୁ ନଷ୍ଟ କରିଦେବାରେ ସମର୍ଥ ହେଉଛି । ଧାନ, ଗହମ, ବାଜରା, ପନିପରିବା ଭଳି ୮୦ଟି ଶସ୍ୟକୁ ଏହା ଆକ୍ରମଣ କରୁଥିଲେ ମଧ୍ୟ ଓଡ଼ିଶାରେ ଏ ପର୍ଯ୍ୟନ୍ତ କେବଳ ମକା କେତେକାଂଶରେ ଏହି କୀଟ ଦ୍ୱାରା ପ୍ରଭାବିତ ହେବାରେ ଲାଗିଥିଲା  ବନିଛି । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟରୁ ସତର୍କ ସୂଚନା ପାଇବା ପରେ କୃଷି ମନ୍ତ୍ରୀ ଡ. ସାହୁ ବ୍ୟକ୍ତିଗତ ଭାବେ ଏ ଦିଗରେ ଗୁରୁତ୍ବର ସହ ବିଚାର କରିବା ସହ ରାଜ୍ୟର ମକ ଚାଷୀଙ୍କୁ କେମିତି ଏହି କୀଟ ଦାଉରୁ ସୁରକ୍ଷିତ ରଖିହେବ ସେ ସମ୍ପର୍କରେ କୃଷି ବିଜ୍ଞାନୀ ଓ  ବିଶେଷଜ୍ଞଙ୍କ ମତ ନେଇଥିଲେ । ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦୁଇଟି ଟିମ୍ ଗଠନ କରାଯାଇ ମକା ଚାଷ ଅଞ୍ଚଳଗୁଡ଼ିକରେ ବ୍ୟାପକ ସର୍ଭେ କରାଯାଇଥିଲା ।  ଉକ୍ତ ଟିମ୍ ସମ୍ଭାବ୍ୟ କ୍ଷତିଗ୍ରସ୍ତ ଇଲାକା ବୁଲିଲା ବେଳେ ଫଲ୍ ଆର୍ମିୱର୍ମ ର ପ୍ରରମ୍ଭିକ ଆକ୍ରମଣ ଦେଖିବାକୁ ପାଇଥିଲେ । ମକା ଚାଷକୁ ଏହା ସାମାନ୍ୟ କ୍ଷତି ପହଞ୍ଚାଇ ସାରିଥିଲା । ଆଉ ମାତ୍ର କିଛି ଦିନର ବିଳମ୍ବ ହୋଇଥିଲେ ଉଜୁଡି ଯାଇଥାନ୍ତା ସୁନା ଫସଲ । ଆଉ ଏତେବଡ଼ ବିପତ୍ତି ମାଡି ଆସୁଥିଲେ ହେଁ ଚାଷୀମାନେ ଏହାର ଟେର ପାଇପାରିନଥିଲେ ।  କିନ୍ତୁ ଆସନ୍ନ ବିପଦ ସମ୍ପର୍କରେ ମନ୍ତ୍ରୀ ଡ଼ଃ ସାହୁ ଅବଗତ ହେବାପରେ ବୁଶେଷଜ୍ଞ ଓ କୃଷି ବିଭାଗର ଅଧିକାରୀମାନଙ୍କୁ ନିଦ୍ଦେଶ ଦେଇଥିଲେ ଯୁଦ୍ଧକାଳୀନ ପଦକ୍ଷେପ ନେବା ପାଇଁ ।  କୃଷି ବିଭାଗ ପକ୍ଷରୁ ତତକ୍ଷଣାତ ଚାଷୀମାନଙ୍କ ସଚେତନତା ପାଇଁ ବ୍ୟାପକ କାର୍ଯ୍ୟକ୍ରମ କରାଯିବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଆଉ ତାହାର ପରିଣାମ ସ୍ୱରୂପ ନିଆଯାଇ ପାରିଥିଲା ସତର୍କତା ମୂଳକ ପଦକ୍ଷେପ ଆଉ ଉଜୁଡିବାରୁ ବର୍ତ୍ତିଯାଇଥିଲା ଫସଲ । ହଜାର ହଜାର ମକା ଚାଷୀ ପରିବାର ଉଚ୍ଛନ୍ନ ହେବା ଆଗରୁ ମନ୍ତ୍ରୀଙ୍କ ଏହି ଦାୟିତ୍ବସମ୍ପର୍ଣ୍ଣ  ପଦକ୍ଷେପ ସେମାନଙ୍କ ପାଇଁ ବରଦାନ ପ୍ରମାଣିତ ହୋଇଥିଲା ।

0
0
0
s2sdefault