ଜଗତସିଂହପୁର-ଭାରତ ସରକାରଙ୍କ ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ସାରା ଭାରତରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଏନ୍.ସି.ଇ.ଆର୍.ଟିଙ୍କ ଅଭିଜ୍ଞ ଶିକ୍ଷାବିତ୍ ମାନଙ୍କ ଦ୍ୱାରା ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷଣ ସ୍ତର ମାପିବା ପାଇଁ ଏକ ସର୍ବ ଭାରତୀୟ ସର୍ଭେ ଆରମ୍ଭ କରିଛନ୍ତି । ୨୦୧୬-୧୭ ମସିହାରୁ କେନ୍ଦ୍ର ସରକାର ବିଭିନ୍ନ ଶିକ୍ଷକ ଶିକ୍ଷା ତାଲିମ ପ୍ରତିଷ୍ଠାନ ମାଧ୍ୟମରେ ଏହି ସର୍ଭେ କରୁଛନ୍ତି । ୩ୟ,୫ମ ଓ ୮ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଏକ ମାନକ ପରିକ୍ଷଣ ମାଧ୍ୟମରେ ଏହି ସର୍ଭେ କରାଯାଇଛି । ଭାରତ ସରକାର ତାଙ୍କ ପ୍ରତିନିଧି ମାନଙ୍କୁ ଏହି ସର୍ଭେ ପାଇଁ ନିଯୁକ୍ତ କରିଥାନ୍ତି । ଉଭୟ ଗ୍ରାମାଚଂଳ,ସହରାଚଂଳ ସରକାରୀ,ବେସରକାରୀ ,ସାହାଯ୍ୟ ପ୍ରାପ୍ତ ବିଦ୍ୟାଳୟ ଏବଂ ଲଟେରୀ ମାଧ୍ୟମରେ କେନ୍ଦ୍ର ସରକାର ସ୍ଥିର କରନ୍ତି । ସାରା ଭାରତରେ ଏକକ ପରୀକ୍ଷା ଆୟୋଜିତ ହୁଏ । ପରୀକ୍ଷା ପାଇଁ ପ୍ରତି ଶ୍ରେଣୀରୁ ସର୍ବନିମ୍ନ ୪୦ଜଣ ଛାତ୍ରଛାତ୍ରୀ ବଛାଯାଆନ୍ତି । ଭାଷା,ଗଣିତ, ବିଜ୍ଞାନ,ପରିବେଶ ଶିକ୍ଷା ଓ ସାମାଜିକ ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀ ଏହି ସର୍ବ ଭାରତୀୟ ପରୀକ୍ଷା କେନ୍ଦ୍ରିୟ ପ୍ରତିନିଧିଙ୍କ ଉପସ୍ଥିତିରେ ଦିଅନ୍ତି । ଏହି ପରୀକ୍ଷାର ଫଳାଫଳ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଚଂଳର ପ୍ରତିନିଧି ମଣ୍ଡଳୀକୁ ପ୍ରଦାନ କରାଯାଏ । ଗୁଣାତ୍ମକ ଶିକ୍ଷା ପାଇଁ ଏହି ମାନକକୁ ସବୁ ରାଜ୍ୟ ଏକକ ମାନକ ଭାବେ ବିବେଚନା କରନ୍ତି । ସାରା ଭାରତର ୨୨ ଲକ୍ଷ ପିଲା ଏହି ସର୍ଭେରେ ସାମିଲ ହୋଇଥିଲେ । ଯାହାର ଫଳାଫଳ ସଦ୍ୟ ପ୍ରକାଶିତ ହୋଇଛି । ଏନ୍.ସି.ଇ.ଆର୍.ଟି ପୁନଶ୍ଚ୧୦ମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କର ଗୁଣବତା,ଶିକ୍ଷଣସ୍ତର ପରୀକ୍ଷା ପାଇଁ ୫,ଫେବୃୟାର,୨୦୧୮ ତାରିଖ ସ୍ଥିର କରିଥିଲେ । ଗଣିତ,ମାତୃଭାଷା,ଇଂରାଜ,ବିଜ୍ଞାନ ଓ ସାମାଜିକ ବିଜ୍ଞାନ ସାମିଲ ହୋଇଥିଲା । ସାରା ଭାରତରେ ୧୫ଲକ୍ଷ ପିଲା ସାମିଲ ହୋଇଥିଲେ । ସାରା ଭାରତରେ ୩ୟ ଶ୍ରେଣୀରେ ହାରାହାରି ୬୫%,୫ମ ଶ୍ରେଣୀରେ ୫୬%,୮ମ ଶ୍ରେଣୀରେ ୯୬.୮% ପିଲାଙ୍କ ଶିକ୍ଷଣ ସ୍ତର ରହିଥିଲା । ଆମ ଜିଲ୍ଲା ପାଇଁ ସବୁଠାରୁ ଖୁସିର ଖବର ହେଲା ରାଜ୍ୟରେ ଜଗତସିଂହପୁର ଜିଲ୍ଲାର ପିଲାମାନେ ଅନ୍ୟ ଜିଲ୍ଲାର ପିଲାଙ୍କୁ ସବୁ ବିଷୟରେ ପଛରେ ପକାଇ ରାଜ୍ୟରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ଜିଲ୍ଲାରେ ୩ୟ ଶ୍ରେଣୀରେ ହାରାହାରି ୮୦% ପିଲା ସବୁ ବିଷୟରେ ଦକ୍ଷ ଥିଲାବେଳେ, ୫ମ ଶ୍ରେଣୀର ୮୦% ପିଲା ଓ ଅଷ୍ଟମର ୫୯% ପିଲା ସବୁ ବିଷୟରେ ଶ୍ରେଷ୍ଠପ୍ରଦର୍ଶନ କରିଛନ୍ତି । ପିଲାମାନଙ୍କର ଏହି ସଫଳତା ପାଇଁ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ସବୁ ଶିକ୍ଷକ ଶିକ୍ଷୟତ୍ରୀ,ଶିକ୍ଷାପ୍ରଶାସନ ସହ ସି.ଆର.ସି.ସି,ବିଇଓ,ଡିପିସି,ଡିଇଓଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେସଙ୍ଗେ ଜିଲ୍ଲାର ପିଲାମାନଙ୍କର ଏଭଳି ସଫଳତା ବଜାୟ ରଖିବାକୁ ଆଶାବ୍ୟକ୍ତ କରିଛନ୍ତି । ବିଦ୍ୟାଳୟ ଉକôର୍ଷ ସାଧନରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟରେ ଏକ ନମ୍ବର ଜିଲ୍ଲା ଭାବେ ଜଗତସିଂହପୁର ଜିଲ୍ଲା ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ପାଇଛି । ଗୁଣାତ୍ମକ ଶିକ୍ଷାର ମାନ ନିର୍ଦ୍ଧାରଣ ନିମନ୍ତେ ହୋଇଥିବା “ଗରିମା” ପରୀକ୍ଷାରେ ଏହି ଜିଲ୍ଲା ଶ୍ରେଷ୍ଠଜିଲ୍ଲାର ମାନ୍ୟତା ଲାଭ କରିଛି । ସ୍କୁଲ ମନିଟରିଙ୍ଗ୍ ଆପ୍ ମାଧ୍ୟମରେ ହୋଇଥିବା ମାନକ ମଧ୍ୟରେ ଏହି ଜିଲ୍ଲା ଓଡିଶାର ଏକ ନମ୍ବର ଜିଲ୍ଲା ଭାବେ ପ୍ରମାଣିତ କରିଛି ।
ଏତଦ୍ ବ୍ୟତୀତ ଓଡିଶା ଲୋକସେବା ଅଧିକାର ଆଇନ-୨୦୧୨ ଅନୁଯାୟୀ ଓଡିଶା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ବିଭିନ୍ନ ରାଜସ୍ୱ ବିଭାଗ ସମ୍ବଦ୍ଧୀୟ ସେବା ଯୋଗାଇ ଦେବାରେ ଏବଂ ରାଜ୍ୟ ସରକାରଙ୍କର ୫-ଟିକୁ ଅଗ୍ରାଧିକାରଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜଗତସିଂହପୁର ଜିଲ୍ଲା ତଥା ତହସିଲ ପ୍ରଶାସନର ଅକ୍ଳାନ୍ତ ପରିଶ୍ରମର ଫଳସ୍ୱରୁପ ଜଗତସିଂହପୁର ଜିଲ୍ଲାସ୍ତରରେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିପାରିଛି । ରାଜସ୍ୱ ବିଭାଗର ଦୈନିକ ବିବରଣୀ ଅନୁଯାୟୀ ଅଗଷ୍ଟ ମାସରେ ଜିଲ୍ଲାରେ ମୋଟ ୫୫ ପ୍ରତିଶତ କେସ୍ ବକେୟା ଥିବା ବେଳେ ବର୍ତମାନ ଜିଲ୍ଲାରେ ମୋଟ ମାତ୍ର ୧ ପ୍ରତିଶତ କେସ୍ ବକେୟା ଅଛି, ଯାହାକି ରାଜ୍ୟର ସର୍ବ ଶ୍ରେଷ୍ଠ ଅଟେ ।