ହେଡଲାଇନସ୍:

ସ୍ମିତାରାଣୀଙ୍କ ପରିବାର ଭୟରେ ଗାଁ ଛାଡିବା ଘଟଣା ଗଣତନ୍ତ୍ର ପାଇଁ କଳଙ୍କିତ ଅଧ୍ୟାୟ - ଶାନ୍ତନୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରାଉରକେଲା -  ଯାଜପୁର ଜିଲ୍ଲା ହରିଦାସପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁପରେ ଗତକାଲି ଭୟରେ ତାଙ୍କ ପରିବାର ଗାଁ ଛାଡିଥିବା ଘଟଣା ଆଇନର ନିରପେକ୍ଷତାକୁ ନେଇ ଏକ ବୃହତ ପ୍ରଶ୍ନ ଆଙ୍କିଥିବା ବେଳେ ଏ ଘଟଣାରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା  ସମାଜସେବୀ ଶାନ୍ତନୁ କୁସୁମ | ଶ୍ରୀ କୁସୁମ ଏ ଘଟଣାକୁ ବ୍ରିଟିଶରାଜର ପୁନରାବୃତ୍ତି ବୋଲି ଅବିହିତ କରିଥିବା ବେଳେ ଏହା ଏକ ସର୍ବବୃହତ ଗଣତନ୍ତ୍ର ପାଇଁ କଳଙ୍କିତ ଅଧ୍ୟାୟ ଅଟେ ବୋଲି ବର୍ଣ୍ଣନା କରିଛନ୍ତି | ଏହି ପରିପ୍ରେକ୍ଷୀରେ ଶ୍ରୀ କୁସୁମ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ ଗୋଟିଏ ପଟେ ଯୌନ ରାକ୍ଷସଙ୍କ ଅତ୍ୟାଚାର ଯୋଗୁଁ ନିଜ ଝିଅକୁ ହରାଇବା, ତାପରେ ଆଖିରୁ ଲୁହ ଓ କୋହ ନସରୁଣୁ ନିଜ ପରିବାରର ଜୀବନ ରକ୍ଷା ପାଇଁ ଗାଁ ଘର ଛାଡି ଚାଲିଯିବା | ଏହା ବ୍ରିଟିଶରାଜର ଅତ୍ୟାଚାରକୁ ବଳି ଯାଇଛି | ସ୍ୱାଧୀନତାର 73 ବର୍ଷପରେ ଏଭଳି ଘଟଣା ପରାଧୀନତାର ଭ୍ରମ ସୃଷ୍ଟି କରୁଛି ବୋଲି କୁସୁମ କହିଥିବା ବେଳେ  ଗଣତନ୍ତ୍ରର ମର୍ଯ୍ୟାଦାରେ ଏଇ ଘଟଣା   କଳଙ୍କ ବୋଳି ଦେଇଛି ବୋଲି ଆକ୍ଷେପ କରିଛନ୍ତି | ଭାରତ ଏକ ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ହୋଇଥିବା ବେଳେ ଏ ଦେଶର ପ୍ରତେକ ନାଗରିକଙ୍କ ସମାନ ଅଧିକାର ରହିଛି | ତାଛଡା ପ୍ରତେକ ନାଗରିକଙ୍କ ସୁରକ୍ଷା ଓ ଅଧିକାର ଆମ ବ୍ୟବସ୍ଥାର ଉତ୍ତରଦାୟିତ୍ୱ ମଧ୍ୟ | ସେଥିପାଇଁ ଆମ ବ୍ୟବସ୍ଥାରେ ଆଇନର ପ୍ରକ୍ରିୟାକୁ ସ୍ୱତନ୍ତ୍ର କରାଯାଇଥିବା ବେଳେ ବିଚାର ପ୍ରକ୍ରିୟାକୁ ମଧ୍ୟ ସ୍ୱତନ୍ତ୍ର କରାଯାଇଛି | ହେଲେ ମୃତ ସ୍ମିତାରାଣୀଙ୍କ କ୍ଷେତ୍ରରେ କିନ୍ତୁ ଆଇନ ତା ବାଟରେ ନଯାଇ ବାଟ ହୁଡ଼ିଗଲା | ସ୍ୱତନ୍ତ୍ର ଥିବା ଆଇନ  ଗରିବ, ଅସହାୟଙ୍କ ଦୁଃଖକୁ କାହିଁକି ପ୍ରାଥମିକତା ଦେଲା ନାହିଁ ତାହା  ଆଇନ ପ୍ରକ୍ରିୟାର ବିଶ୍ୱସନୀୟତା ପ୍ରତି ପ୍ରଶ୍ନଚି଼ହ୍ନ ଅଟେ | ଏହା ଦ୍ଵାରା ଆମ ବ୍ୟବସ୍ଥାରୁ ସାଧାରଣ ଲୋକଙ୍କ ଆସ୍ଥା ତୁଟିଯିବା ସ୍ୱାଭାବିକ ବୋଲି କୁସୁମ କ୍ଷୋଭ ପ୍ରକଟ କରିବା ସହିତ ଗରିବ, ଅସହାୟଙ୍କ ଉପରେ ପ୍ରଭାବଶାଳୀଙ୍କ ଅତ୍ୟାଚାର ବୃଦ୍ଧିପାଇବ ବୋଲି କହିଛନ୍ତି | ଶ୍ରୀ କୁସୁମ ଆହୁରି କହିଛନ୍ତି ଯେ ସ୍ମିତାରାଣୀଙ୍କ କେମିତି ମୃତ୍ୟୁ ହେଲା, କାହିଁକି ମୃତ୍ୟୁ ହେଲା ତାହାତ ଏକ ଅନ୍ଧକାର ଭିତରେ ଥିବା କଥା, ତଦନ୍ତ ଦ୍ଵାରା ହିଁ ଏହାର ଉପଯୁକ୍ତ ତଥ୍ୟ ପଦାକୁ ଆସିବ | ହେଲେ ଝିଅର ମୃତ୍ୟୁପରେ ନ୍ୟାୟର ଭିକ୍ଷା ମାଗୁଥିବା ତଥା ପ୍ରଭାବଶାଳୀ  ଅଭିଯୁକ୍ତଙ୍କ ଦ୍ଵାରା ଧମକର ଶିକାର ହେଉଥିବା ଦୁଖୀ ପରିବାରର ଦୁଃଖରେ ଛିଡାହେବା ଆମ ବ୍ୟବସ୍ଥାର ଉତ୍ତରଦାୟିତ୍ୱ ଥିଲା ନିଶ୍ଚୟ | ଭୟବିତ ହୋଇ ଦୁଃଖ ଆଉ ଲୁହର ଘେରରେ ବୁଡି ଯାଇଥିବା କୁଡ଼ିଆରେ ସାହସ ଭରିବା ସହିତ ତାଙ୍କୁ ସୁରକ୍ଷା ଯୋଗାଇଦେବା ଆମ ପୋଲିସ ଓ ପ୍ରଶାସନର ଗୁରୁଦାୟିତ୍ୱ ଥିଲା ନିଶ୍ଚୟ | ହେଲେ ପ୍ରଭାବଶାଳୀଙ୍କ ପାଖରେ ଆଇନ ଆଣ୍ଠେଇ ପଡିବା ଓଡିଶାର ଚାରି କୋଟି ଓଡିଆଙ୍କ ଭାଗ୍ୟ ଓ ଭବିଷ୍ୟତ ପାଇଁ ଚିନ୍ତାର ବିଷୟ ଅଟେ ବୋଲି କୁସୁମ କହିଛନ୍ତି | ତାସହିତ ସମ୍ବେଦନହୀନ ପ୍ରଶାସନିକ ବ୍ୟବସ୍ଥା ଭିତରେ ଆଉ ଅନେକ ସ୍ମିତାରାଣୀଙ୍କ ଜୀବନ କ'ଣ ହେବ ତାହା ଏକ ବଡ଼  ପ୍ରଶ୍ନବାଚୀ ବୋଲି କୁସୁମ କହିଛନ୍ତି |

0
0
0
s2sdefault