ହେଡଲାଇନସ୍:

ପାହାଡ ଧସିବା ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ ସାଂସଦ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କ୍ଷତିଗ୍ରସ୍ତ ବିପନ୍ନ ୨୧ଟି ପରିବାରଙ୍କୁ କାର୍ଯ୍ୟାଦେଶ ପତ୍ର ବଣ୍ଟନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଗୁରୁବାର ଦିନ ସକାଳେ ୭-୧୫ ମିନିଟ୍ ରେ  ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ବଡକଳାକୋଟ ପଞ୍ଚାୟତ ଅନ୍ତର୍ଗତ କୁଲଙ୍ଗ ଗ୍ରାମରେ  ନିକଟସ୍ଥ ମୁଞ୍ଜଲିନ ପାହାଡର ମାଟି ଅତଡା ଧସିଯିବା ଫଳରେ ସେଠାରେ ଥିବା ୨୧ ଟି ଘର ସମ୍ପୂର୍ଣ୍ଣ ଭାବେ  ଭାଙ୍ଗିରୁଜି  ମାଟି-ଅତଡାରେ ମିଶି ଯାଇଥିଲା ।  ଏହି ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଘଟଣାରେ  ଅଞ୍ଚଳବାସୀ ସମ୍ପୂର୍ଣ୍ଣ ଭାବେ ନିରାଶ୍ରୟ ତଥା ବିପନ୍ନ ହୋଇ ପଡିଛନ୍ତି ।

    ଏହି ପ୍ରାକୃତିକ ବିପର୍ଯ୍ୟୟ ଦୁର୍ଘଟଣା କିଭଳି ହେଲା , ବିପନ୍ନ କ୍ଷତିଗ୍ରସ୍ତ ଲୋକେ କେଉଁଠି ଏବଂ କିଭଳି ରହୁଛନ୍ତି , ସରକାରୀ ସୁବିଧା ବ୍ୟବସ୍ଥା କେମିତି ଚାଲିଛି , ଏ ସବୁର ଅନୁଧ୍ୟାନ କରିବା ପାଇଁ ଶୁକ୍ରବାର ଦିନ ଓଡିଶା ରାଜ୍ୟ ଅନୁସୂଚିତ ଜାତି-ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ସମ୍ପୃକ୍ତ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ମନ୍ତ୍ରୀ ସାରକାଙ୍କ ସହିତ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧ୍ୟକ୍ଷ  ସୁଧୀର କୁମାର ଦାସ , ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ , ଜିଲ୍ଲାପାଳ ଅନୁପମ ଶାହା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା , ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ , ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ,ବିଡ଼ିଓ ନଟବର ଗରଡ଼ , ବ୍ଲକ ଅଧ୍ୟକ୍ଷ ଗଜେନ୍ଦ୍ର ଗମାଙ୍ଗ ,  ଜିଲ୍ଲା ସ୍ବତନ୍ତ୍ର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ , ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ , ସଭାନେତ୍ରୀ ସଂଯୁକ୍ତା ବେହେରା ଏବଂ ପାରଳାଖେମୁଣ୍ଡିପ୍ୟାଲେସ୍ ର ରାଜକୁମାରୀ କଲ୍ୟାଣୀ ଗଜପତି ପ୍ରମୁଖ ଘଟଣା ସ୍ଥଳ ଗ୍ରସ୍ତ କରିଥିଲେ ।

    ମନ୍ତ୍ରୀ ସାରକା  କ୍ଷତିଗ୍ରସ୍ତ ବିପନ୍ନ ପରିବାରଙ୍କୁ ସାକ୍ଷାତ କରି ସାନ୍ତ୍ୱନା ଦେବା ସହ ଧର୍ଯ୍ୟହରା ନ ହେବାକୁ କହିଥିଲେ । ସମସ୍ତ ଘଟଣା ଅଞ୍ଚଳ ଓ ଭାଙ୍ଗି ଯାଇଥିବା ଘର ସବୁ ବୁଲିଦେଖି ଆଶ୍ଚର୍ଯ୍ୟ ହୋଇପଡି ଏତେ ବଡ଼ ପ୍ରାକୃତିକ ବିପର୍ଯ୍ୟୟରେ ଭଗବାନ ହିଁ ସେମାନଙ୍କ ସମସ୍ତ ଜୀବନ ବଞ୍ଚାଇ ଦେଇଛନ୍ତି ବୋଲି କହିଥିଲେ ।   ପରେ କ୍ଷତିଗ୍ରସ୍ତ ବିପନ୍ନଙ୍କ ଅସ୍ଥାୟୀ ଭାବେ ଥଇଥାନ କରା ଯାଇଥିବା ଚର୍ଚ୍ଚ ପରିସର ପରିଦର୍ଶନ କରିବା ସହ ସେଠାରେ କ୍ଷତିଗ୍ରସ୍ତ ବିପନ୍ନଙ୍କ ସହ ଆୟୋଜିତ ଏକ ସାକ୍ଷାତ ତଥା ଶାନ୍ତ୍ବନା ଓ ଗୃହନିର୍ମାଣର କାର୍ଯ୍ୟାଦେଶ ବଣ୍ଟନ ସଭାରେ ଯୋଗ ଦେଇଥିଲେ । ମନ୍ତ୍ରୀ ସାରକା କହିଥିଲେ ଯେ , ଲଗାଣ ବର୍ଷାରେ ପାହାଡ଼ ମାଟି-ଅତଡା ଧସି ଅଞ୍ଚଳ ବାସୀଙ୍କ ଯେଉଁସବୁ ଘରଭାଙ୍ଗି ଧନ ସମ୍ପତ୍ତି ସବୁ ମାଟିରେ ମିଶିଯାଇଛି ତାହା ଅତ୍ୟନ୍ତ ଦୁଃଖ-ଦାୟକ ।ଏଠାରେ ୩୫ ଘର ଥିବା ବେଳେ ୨୧ ଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ମାଟିରେ ମିଶି ଯାଇଛି । ସେହି ୨୧ ଘର ପରିବାରଙ୍କୁ  ସରକାରଙ୍କ ରିଲିଫ କୋଡ଼ ଅନୁସାରେ ଆଜି ସେମାନଙ୍କୁ ବିଜୁ ପକ୍କା ଘର ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ବଣ୍ଟନ କରିଲୁ । ଅନ୍ୟ ଯାହା କ୍ଷୟକ୍ଷତି ଆକଳନ ହେବ ସେ ସବୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯିବ ଅନ୍ୟ ପକ୍ଷରେ ବିଜେଡି ଦଳୀୟ ପକ୍ଷରୁ ମଧ୍ୟ ବିଭିନ୍ନ ସାମଗ୍ରୀ ସାହାଯ୍ୟ ବ୍ୟବସ୍ଥା କରାହୋଇଛି । ଏଭଳି କ୍ଷେତ୍ରରେ  ସମସ୍ତେ କ୍ଷତିଗ୍ରସ୍ତ ବିପନ୍ନଙ୍କୁ ସହଯୋଗର ହାତ ବଢ଼ାଇବା ଦରକାର ।ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧର୍ଯ୍ୟର ସହିତ ଏହାର ମୁକାବିଲା କରିବା ପାଇଁ ମୁଁ ନିବେଦନ କରୁଛି ।

   ଯେଉଁ ଆଦିବାସୀ ପରିବାର ମାନେ ପାହାଡିଆ ଅଞ୍ଚଳରେ ବସବାସ କରୁଛନ୍ତି ସେମାନଙ୍କୁ ପାହାଡ ଠାରୁ ବହୁଦୂରରେ ସମତାଳିଆ ଅଞ୍ଚଳରେ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନିକ ବ୍ୟବସ୍ଥା କରାଯାଇଛି । ଆଦିବାସୀ ମାନେ ପାହାଡିଆ ଅଞ୍ଚଳରେ ରହୁଛନ୍ତି ଏବଂ ପୋଡୁ ଚାଷ କରି ଚଳୁଛନ୍ତି । କିନ୍ତୁ ପୋଡୁ ଚାଷକୁ ସରକାରଙ୍କ ପକ୍ଷରୁ ନିଷେଧ କରାଯାଇଛି , କାରଣ ପୋଡୁ ଚାଷ ଦ୍ୱାରା ପାହାଡର ଗଛ ସବୁ ନଷ୍ଟ ହୋଇଯିବା ଫଳରେ ଏହା ବର୍ଷା ସମୟରେ  ମାଟି-ଅତଡା ଧସି ବହୁ ଧନ-ଜୀବନ ନଷ୍ଟ କରିବାରେ ସହାୟକ ହେଉଛି ବୋଲି କହିଥିଲେ ।

    ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ କହିଥିଲେ ଯେ  ଗଜପତି ଜିଲ୍ଲାରେ ଲଗାଣ ବର୍ଷାର  ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ହେଉଛି ଦିତୀୟ ବଡ଼ ଦୁଃଖଦ ଘଟଣା । ଏଭଳି ବଡ଼ ଦୁଃଖଦ ଘଟଣାରେ ଭଗବାନ ହିଁ ଅଞ୍ଚଳବାସୀଙ୍କ ସହାୟ ହେଲେ ଯେ କେହି ମୃତାହତ ହୋଇନାହାନ୍ତି । ହେଲେ ମଧ୍ୟ ଏଥିରେ ସେମାନଙ୍କ ଯେଉଁ କ୍ଷୟକ୍ଷତି ହୋଇଛି , ତାହା ଅପୁରାଣୀୟ । ସରକାରଙ୍କ ପକ୍ଷରୁ ଏ ଦିଗରେ ଯାହା ସବୁ ସାହାଯ୍ୟ କରିବା କଥା , ତାହା ଠାରୁ ଅଧିକ ଭାବେ ସାହାଯ୍ୟ ସହାୟତା ଦିଆଯିବ । ପ୍ରଶାସନ ମଧ୍ୟ ଏ ଦିଗରେ ତପ୍ତରତା ହୋଇ ଘଟଣା ସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ବିପନ୍ନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସହ ସମସ୍ତ ବ୍ୟବସ୍ଥା କରିଛି । ଅନ୍ୟ ପକ୍ଷରେ ସରକାରଙ୍କ ପକ୍ଷରୁ ଏମାନଙ୍କ ନିମନ୍ତେ ଯାହାସବୁ ବ୍ୟବସ୍ଥା ରହିଛି , ସେ ସବୁ ବ୍ୟବସ୍ଥା ଆଜିଠାରୁ ଆରମ୍ଭ ହୋଇଯାଇଛି ବୋଲି କହିଥିଲେ ।

      ଜିଲ୍ଲାପାଳ ଅନୁପମ ଶାହା କ୍ଷତିଗ୍ରସ୍ତ ବିପନ୍ନ ଅଞ୍ଚଳ ବାସୀଙ୍କୁ ସମବେଦନା ଓ ସାନ୍ତ୍ୱନା ଦେଇ କହିଥିଲେ ଯେ , ଜିଲ୍ଲା ପ୍ରଶାସନ ଆପଣଙ୍କ ସହିତ ରହିଛି । ସମସ୍ତଙ୍କ ସହଯୋଗରେ ଆମେ କିଭଳି ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆମେ ତାର ଉଚିତ ମୁକାବିଲା କରି ତାକୁ ପୁଣି କିଭଳି ସ୍ୱାଭାବିକ ପରିସ୍ଥିତିକୁ ଆଣି ନିଜ ଗୋଡ଼ରେ ଠିଆ କରାଇବା , ସେ ଦିଗରେ ଆମ ସମସ୍ତଙ୍କୁ ଉଚିତ ପଦକ୍ଷେପ ନେବାକୁ ହେବ । ସରକାରଙ୍କ ରିଲିଫ କୋଡ଼ ପ୍ରକାରେ କ୍ଷତିଗ୍ରସ୍ତ-ବିପନ୍ନଙ୍କ ଭରଣା ପାଇଁ ୧ ଲକ୍ଷ ଟଙ୍କା ମିଳିବ ଏବଂ ତା ସହିତ ଘର ଭାଙ୍ଗିଯିବା ଫଳରେ ବିପନ୍ନ ହୋଇ ପଡିଥିବା ୨୧ ଟି ପରିବାରଙ୍କୁ ନୂଆ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଆଜି ଦିଆହେବ । 

   ଅନ୍ୟ ପକ୍ଷରେ ଯେଉଁ ମାନଙ୍କ ଘର ଭାଙ୍ଗି ନାହିଁ କିନ୍ତୁ ସେମାନେ ଯଦି ପାହାଡ଼ଛାଡି ତଳକୁ ଆସିବା ପାଇଁ ଚାହିଁବେ ତା ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ମଧ୍ୟ ସମତାଳିଆ ଜାଗା ଦେଖି ଥଇଥାନ କରାଯିବ , ଯେଉଁ ଠାରେ କି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏଭଳି କୌଣସି ପ୍ରକାର ପ୍ରଭାବ ପଡିବ ନାହିଁ । ସେମାନେ ଆସିବାକୁ ରାଜି ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ମଧ୍ୟ ଘର ନିର୍ମାଣ ପାଇଁ କାର୍ଯ୍ୟାଦେଶ ଦିଆଯିବ । କ୍ଷତିଗ୍ରସ୍ତ-ବିପନ୍ନଙ୍କୁ ଯେଉଁ ଚର୍ଚ୍ଚ ଗୃହ ଠାରେ ଅସ୍ଥାୟୀ ଭାବେ ଥଇଥାନ କରାଯାଇଛି , ସେମାନଙ୍କ ସବୁ ପ୍ରକାର ସୁବିଧା ହେବା ପର୍ଯ୍ୟନ୍ତ ସେମାନଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯିବ । ଅନ୍ୟ ପକ୍ଷରେ  ବ୍ଲକ ପ୍ରଶାସନ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମୄ ଏଠାରେ ଲୋକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ରହିବେ । ତା ଛଡା ଏକ ମେଡ଼ିକାଲ ଟିମ ଏବଂ ପଶୁ ସମ୍ପଦ ବିଭାଗୀୟ  ଦଳ , ଏକ ସପ୍ତାହ ପାଇଁ ଏଠାରେ ଡେରା ପକାଇବେ । ଅନ୍ୟ ପକ୍ଷରେ  ଲୋକଙ୍କ ପିଇବା ପାଣି ଓ ପରିମଳ ବ୍ୟବସ୍ଥା ଦେଖିବା ପାଇଁ ମଧ୍ୟ ସମ୍ପୃକ୍ତ ବିଭାଗୀୟ  ଦଳ ରହିବେ ବୋଲି କହିଥିଲେ  । ସମସ୍ତ ୨୧ ଗୋଟି କ୍ଷତିଗ୍ରସ୍ତ-ବିପନ୍ନ ପରିବାରଙ୍କୁ  କାର୍ଯ୍ୟାଦେଶ ପତ୍ର ବଣ୍ଟନ କରାଯାଇଥିଲା  ।

0
0
0
s2sdefault