ଆରଡା ଗ୍ରାମବାସୀ ପୋଲିସ ମୁହାଁମୁହିଁ
ଓଡ଼ଗାଁ,୫।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତର ଚର୍ଚ୍ଚିତ ବରକନ୍ୟା ଝରଣା ସମସ୍ତଙ୍କ ପାଇଁ ପରିଚିତ ହୋଇଯାଇଥିବା ବେଳେ ସ୍ଥାନୀୟ ଜନସାଧାରଣ ତଥା ଜିଲ୍ଲା ଏବଂ ରାଜ୍ୟର ବିଭିନ୍ନ ଅଂଚଳରୁ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା ବେଳେ ଗୁରୁବାର ଗୈ।ଡପୁଟ ଗ୍ରାମ ଏବଂ ଆରଡା ଗ୍ରାମରୁ କିଛି ଯୁବକ ବରକନ୍ୟା ଝରଣା ବୁଲିବାକୁ ଯାଇଥିଲେ । ତେବେ ଝରଣାର ପାଦଦେଶରେ ବାଇକ୍ ରଖି ଝରଣାର ମଜାଉଠାଉଥିବା ବେଳେ ତଳକୁ ଆସି ଦେଖିବା ବେଳକୁ ଆରଡା ଗ୍ରାମ ଯୁବକଙ୍କ ବାଇକଟି କେହି ଜଣେ ଅପହରଣ କରିନେଇଥିବା ଜଣାପଡ଼ିଥିଲା । ଉକ୍ତ ଘଟଣାକୁ ନେଇ ଆରଡା ଗ୍ରାମବାସୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ସୂଚନା ଅନୁସାରେ ଗୁରୁବାର ଅପରାହ୍ନରେ ଉଭୟ ଗ୍ରାମର କେତେକ ଯୁବକ ବରକନ୍ୟା ଝରଣା ଯାଇଥିଲେ । ତେବେ ଅପରାହ୍ନ ପ୍ରାୟ ୪.୩୦ ସମୟରେ ଗୈ।ଡପୁଟ ଗ୍ରାମର ଜଣେ ଯୁବକ ନିଜ ଚାବିରେ ଅନ୍ୟ ଜଣଙ୍କ ବାଇକ୍ ଖୋଲିଥିବାରୁ ନିଶାସକ୍ତ ଅବସ୍ଥାରେ ଗାଡ଼ିକୁ ଧରି ଗ୍ରାମକୁ ଚାଲି ଆସିଥିଲେ । ଏହି ସମୟରେ ଆରଡାର ଯୁବକମାନେ ରଖିଥିବା ସ୍ଥାନରେ ନିଜ ଗାଡିକୁ ନପାଇ ସନ୍ଦେହରେ ଗୈ।ଡପୁଟ ଯୁବକମାନଙ୍କୁ ପିଛା କରି ବୁଢ଼ାବୁଢ଼ୀ ଆଣି ଡ଼୍ୟାମ ନିକଟରେ ବାଇକ୍ ସହିତ ଯୁବକଙ୍କୁ କାବୁ କରିଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ସମୟରେ ସେ ସ୍ଥାନରୁ ବାଇକ୍ ଅପହରଣ କରି ଆଣିଥିବା ଯୁବକ ଖସି ଚାଲି ଯାଇଥିବା ବେଳେ ମାମଲାର ସମାଧାନ ପାଇଁ ଆସିଥିବା ସେନ୍ତେରି ଗ୍ରାମର ଜଣେ ଗାଡି ମେକାନିକ୍ ସହିତ ଗୈ।ଡପୁଟର ଅନ୍ୟ ଜଣକୁ ଆରଡା ଯୁବକମାନେ କାବୁ କରି ନିଜ ଗ୍ରାମକୁ ନେଇଯାଇଥିଲେ । ଏବଂ ଗ୍ରାମରେ ଆରଡା ଗ୍ରାମବାସୀ ମିଳିତ ଭାବେ ଦୁଇ ଯୁବକଙ୍କୁ କୋଠଘରେ ଅଟକ ରଖି ମାରପିଟ୍ କରିବା ସହିତ ଏକରକମ ଖାପ ପଞ୍ଚାୟତ ବସାଇଥିଲେ । ଏ ସମ୍ପର୍କରେ ଓଡ଼ଗାଁ ପୋଲିସ ୧୧୨ ଜରିଆରେ ଖବର ପାଇ ଆରଡା ଗ୍ରାମରେ ପହଁଞ୍ଚି ଆଇନକୁ ହାତକୁ ନ ନେବାକୁ ପରାମର୍ଶ ଦେବା ସହିତ ନିର୍ଯ୍ୟାତନା ଦିଆଯାଉଥିବା ଯୁବକଙ୍କୁ ପୋଲିସ ଜିମା ଦେବାକୁ କହିଥିଲେ । ଏଥିରେ ଗ୍ରାମବାସୀ ଅରାଜି ହୋଇଥିବା ବେଳେ ଆଇଆଇସି ଅଭୟ କୁମାର ବେହେରା ଘଟଣାସ୍ଥଳରେ ପହଁଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରିଥିଲେ । ତେବେ ଗ୍ରାମବାସୀ ଜିଦିରେ ଅଟଳ ରହିବା ସହିତ ଅଞ୍ଚଳର ଚୋରିହୋଇଥିବା ସମସ୍ତ ବାଇକ୍ ପୋଲିସ ଉଦ୍ଧାର କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇ ଯୁବକ ମାନଙ୍କୁ ନେଇଯାଅ ବୋଲି କହିଥିଲେ । ଫଳରେ ପୋଲିସ ବାଧ୍ୟହୋଇ ବିଳମ୍ବିତ ରାତିରେ ନୟାଗଡ଼ରୁ ଦୁଇ ପ୍ଳାଟୁନ ଫୋର୍ସ ମଗାଇଥିଲେ । ଗାଁରେ ପୋଲିସ ଫୋର୍ସ ପହଁଞ୍ଚିବା ପରେ ଗ୍ରାମବାସୀ ଜିଦରୁ ଓହରିବାକୁ ବାଧ୍ୟ ହୋଇଥିଲେ । ଏବଂ ଅଟକ ଦୁଇ ଯୁବକଙ୍କୁ ପୋଲିସ୍ ଉଦ୍ଧାର କରି ସ୍ବାସ୍ଥ୍ୟ ପରୀକ୍ଷା ପରେ ନୋଟିସ ଦେଇ ପରିବାରକୁ ହସ୍ତାନ୍ତର କରିଥିଲେ । ଏନେଇ ପୋଲିସ ନିଜ ପକ୍ଷରୁ ଗ୍ରାମ ସଭାପତି, ଉପ ସଭାପତି, ସମ୍ପାଦକଙ୍କ ସମେତ ଶତାଧିକଙ୍କ ନାମରେ ୨୭୩/୨୫ ମାମଲା ରୁଜୁ କରି ଏଏସଆଇ ମନୋରଞ୍ଜନ ଦେହୁରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟ ପକ୍ଷରେ ପୋଲିସର କହିବା ଅନୁସାରେ ଆରଡା ଗ୍ରାମବାସୀ ବାଇକ୍ ଚୋରି ସମ୍ପର୍କରେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କୌଣସି ଅଭିଯୋଗ କରିନାହାନ୍ତି ।