ଶିକ୍ଷକତା ଏକ ବୃତ୍ତି ନୁହେଁ, ଯୋଗ୍ୟତା : ଅରୁଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁରେ ପାରମ୍ପରିକ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ

ଓଡ଼ଗାଁ,୫।୯(ଶ୍ରୀକାନ୍ତ କୁମାର ମିଶ୍ର): ଶିକ୍ଷକତା ଏକ ଯୋଗ୍ୟତା । ତେବେ ଅନ୍ୟାନ୍ୟ ଯୋଗ୍ୟତା ଠାରୁ ଏହା ସ୍ବତନ୍ତ୍ର । ଜଣେ ଶିକ୍ଷକ ଗଢିପାରେ ଡାକ୍ତର, ଇଞ୍ଜିନିୟର, ଆଇଏଏସ୍, ଓଏଏସ୍ ଭଳି ଅନେକ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତିତ୍ଵ । ଏବଂ ଜୀବନର ଅନ୍ତ କାଳ ପର୍ଯ୍ୟନ୍ତ ଏହି ଯୋଗ୍ୟତା ବଳବତ୍ତର ରହିବ । ଶ୍ରେଣୀ କକ୍ଷ ଶିକ୍ଷାଦାନ କରୁଥିବା ବେଳେ ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖରେ ଛାତ୍ରଛାତ୍ରୀମାନେ ଗୁରୁପୂଜନ କରିଥିବେ। କିନ୍ତୁ ସରକାରୀ ସେବାରୁ ନିବୃତ୍ତ ହେବା ପରେ ଆପଣ ମୁକ୍ତାକାଶ ପାଠଶାଳାର ଜଣେ ଜଣେ ଶିକ୍ଷକ । ସମାଜକୁ ଉଚିତ୍ ପରାମର୍ଶ ଦେଇ ଉପଯୁକ୍ତ ମାର୍ଗଦର୍ଶାଇବା ଆପଣଙ୍କ ଦାୟିତ୍ୱ ।ତେଣୁ ସେହି ଶ୍ରେଣୀ କକ୍ଷ ନିବୃତ ବର୍ତ୍ତମାନର ମୁକ୍ତାକାଶ ଗୁରୁମାନଙ୍କ ପୂଜନ ନିମନ୍ତେ ପରମ୍ପରାଗତ ଭାବେ ନୟାଗଡ଼ ଏବଂ ଓଡ଼ଗାଁରେ ପାଳନ ହୋଇଆସୁଅଛି, ଗୁରୁପୂଜନ ଉତ୍ସବ । ୨୦୨୫ ସେପ୍ଟେମ୍ବର ମାସ ୫ ତାରିଖ ଓଡ଼ଗାଁ ସାଗର ପୁଷ୍କରିଣୀ ନିକଟ ସରକାରୀ କଲ୍ୟାଣମଣ୍ଡପ ଠାରେ ଆୟୋଜିତ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଏହି ପ୍ରସଙ୍ଗ ରଖିଥିବା ବେଳେ ୩ ଶହରୁ ଉର୍ଦ୍ଧ୍ବ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଫୁଲ, ଚନ୍ଦନ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଭୂମିଷ୍ଠ ପ୍ରଣାମ କରି ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ ।ବିଧାୟକଙ୍କ ଏହି ମହତ୍ବକାଂକ୍ଷୀ ବିଚାର ଧାରାକୁ ଓଡ଼ଗାଁ ଗୁରୁପୂଜନ ଓ ସମ୍ବର୍ଦ୍ଧନା ଉତ୍ସବ କମିଟିର ସଭାପତି ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ ଅନେକ ପ୍ରେରଣାଦାୟୀ ବୋଲି କହିଥିଲେ । ଜିଲ୍ଲା ପରିଷଦ ସଭ୍ୟ ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ତହସିଲଦାର ଡ.ମାନସ ରଞ୍ଜନ ଭୋଇ, ବିଡିଓ ଜିତେନ୍ଦ୍ର କୁମାର ନାୟକ, ଓଡ଼ଗାଁର ଖେଳ ମଣିଷ ଦିବାକର ନାୟକ ପ୍ରମୁଖ ଯୋଗଦେଇ ପୂର୍ବ ଏବଂ ବର୍ତ୍ତମାନର ଗୁରୁଶିଷ୍ୟ ପରମ୍ପରା ସମ୍ପର୍କରେ ଆଲୋଚନା ରଖିଥିଲେ । ଏତଦ୍ ବ୍ୟତୀତ ଗାୟତ୍ରୀ ବିଦ୍ୟାମନ୍ଦିର ମଶାବାରୀ, ଓଡ଼ଗାଁ ବ୍ଳକ ଓ ଏନଏସିର ସମସ୍ତ ଶିକ୍ଷାନୁଷ୍ଠାନ ସହିତ ରଘୁନାଥ ଷ୍ଟଡି କେୟାରେ ସ୍ବତନ୍ତ୍ର ଭାବେ ଗୁରୁଦିବସ ପାଳନ ଅବସରରେ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଅଭିଜ୍ଞତା ବଖାଣିଥିବା ବେଳେ ଅଧ୍ୟାପକ ଓ ଅନ୍ୟମାନେ ଶିକ୍ଷା ସହିତ ଜୀବନକୁ ମାର୍ଜିତ କରି ଗଢ଼ି ତୋଳିବାର ଉପାୟ ସମ୍ପର୍କରେ ଆଲୋଚନା କରିଥିଲେ ।

0
0
0
s2sdefault