ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ମେଗା ଆଇନ ସେବା ଶିବିର କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :    ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିଅମ ଠାରେ ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ପକ୍ଷରୁ  ଜିଲ୍ଲା ଆଇନ ସେବା ପ୍ରାଧିକରଣ ଏବଂ ଗଜପତି ଜିଲ୍ଲା ପ୍ରଶାସନ  ସହଯୋଗରେ "ନାଲସା" ମେଗା ଆଇନ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

        ଗଜପତି ଜିଲ୍ଲାର ଗରିବ ନିଷ୍ପେସିତ ଲୋକଙ୍କୁ ବିଭିନ୍ନ ଆଇନ ସମ୍ପର୍କରେ ସଚେତନ କରାଇବା ସହ ଗୋଟିଏ ଛାତ ତଳେ  ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସଚେତନ  କରାଇବା ଓ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଚେକ୍ ଓ ବିଭିନ୍ନ ସାମଗ୍ରୀ ବଣ୍ଟନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । 

   ଜିଲ୍ଲା କୋର୍ଟର ଜେଏମଏସସି. ଅଙ୍କୀତା ଗୁରୁଙ୍କ ଶିବିର ସଭା କାର୍ଯ୍ୟକ୍ରମ ସଂଯୋଜନାରେ  ରାଜ୍ୟ ଆଇନ ସେବା ପ୍ରାଧିକରଣର କାର୍ଯ୍ୟକାରୀ ଅଧ୍ୟକ୍ଷା ତଥା ରାଜ୍ୟ ହାଇକୋର୍ଟର ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡା ମୁଖ୍ୟଅତିଥି ଭାବେ  ଯୋଗଦେଇ ରାଜ୍ୟରେ ଯେଉଁ ବିଭିନ୍ନ ଯୋଜନା ସବୁ କାର୍ଯ୍ୟକାରୀ ହେଉଛି, ତାହା ଲୋକଙ୍କ ପାଖରେ ପହଞ୍ଚାଇ , ତାଙ୍କ ଭିତରେ ଯୋଜନା କାର୍ଯ୍ୟକ୍ରମ  ସମ୍ପର୍କରେ  ସଚେତନ କରାଇବା ଏବଂ ଗୋଟିଏ ଛାତ ତଳେ ସେମାନଙ୍କୁ ତାର ସୁବିଧା-ସୁଯୋଗ ଯୋଗାଇଦେବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ସମସ୍ତଙ୍କ ପାଇଁ ଆମେ କାମ କଲେ ଏହା ନିଶ୍ଚିତ ଭାବେ ଲୋକମାନଙ୍କ ମଙ୍ଗଳ ହେବା ସହ ସେମାନଙ୍କ ମୁହଁରେ ହସ ଫୁଟାଇ ପାରିବା । ଅନ୍ୟ ପକ୍ଷରେ ରାଜ୍ୟସାରା ଜିଲ୍ଲା ମାନଙ୍କରେ ଥିବା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଲୋକ ମାନଙ୍କୁ ବିଭିନ୍ନ ଆଇନ ଉପରେ ସଚେତନତା ସୃଷ୍ଟି  କରାଯାଉଥିବା ସହ ସେମାନଙ୍କୁ ଆଇନଗତ ସଶକ୍ତିକରଣ ମଧ୍ୟ କରାଯାଉଛି । ଲୋକ ମାନେ ମଧ୍ୟ ସେମାନଙ୍କ କଣ କଣ ସୁବିଧା ଅଛି , ତାହା ସହଜେ ଜାଣିପାରିବେ ଏବଂ ଆବଶ୍ୟକ ସ୍ଥଳେ ସେମାନେ  ସେମାନଙ୍କ ଦାବୀ ଉପସ୍ଥାପନା କରିପାରିବେ ବୋଲି କହିଥିଲେ ।

   ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ୱେବ ପୋର୍ଟାଲ ସୁବିଧା , ପ୍ରି-ଲିଟିଗେସନ କେନ୍ଦ୍ର ,ଆଧାର କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟସ , ସ୍ଥାୟୀ ଲୋକ ଅଦାଲତ , ଭିକ୍ଟିମ୍ କ୍ଷତିପୂରଣ , ଆଇନ ସେବା କ୍ଲିନିକ ପ୍ରଭୃତି ଉପରେ କହି ଏ ଦିଗରେ ଗରିବ ମାନଙ୍କ ସୁବିଧା ସହ ଦାରିଦ୍ର୍ୟ ଦୂରୀକରଣ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

    ଗଜପତି ଜିଲ୍ଲା ଦୌରା-ଜର୍ଜ  ବିଶ୍ବଜିତ  ଦାସ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କୁ ସ୍ବାଗତ କରିବା ସହ ସେମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଅନ୍ୟପକ୍ଷରେ ତାଙ୍କର ପ୍ରାରମ୍ଭିକ ଉଦବୋଧନରେ ରାଜ୍ୟ ଓ ଜିଲ୍ଲା ଆଇନସେବା ପ୍ରାଧିକରଣର ଉତ୍ପତ୍ତି ଓ ତାର କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

    ରାଜ୍ୟ ଆଇନସେବା ପ୍ରାଧିକରଣର ମେମ୍ବର ସେକ୍ରେଟାରୀ ଦେବାଶିଷ ନାୟକ  ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଯେଉଁ ଗରିବ ଓ ନିଷ୍ପେସିତ ଲୋକମାନେ ସମ୍ବଳ ଅଭାବରୁ  କୋର୍ଟ କଚେରୀ ଯିବାକୁ ସକ୍ଷମ ହୋଇ ପାରୁନାହାନ୍ତି ଏବଂ ତାଙ୍କ ହକ୍ ପାଇ ପାରୁନାହାନ୍ତି , ସେମାନଙ୍କ ପାଇଁ ଆଇନ ସେବା ପ୍ରାଧିକରଣ କିଭଳି ସହାୟତା କରୁଛି କହି ଧାରା ୧୨ ରେ କେଉଁ ମାନଙ୍କୁ ମାଗଣା ଆଇନ ସେବା ଯୋଗାଇ ଦେଇ ହେବ, ସେ ସମ୍ପର୍କରେ କହିଥିଲେ ।

    ଜିଲ୍ଲାପାଳ ଅନୁପମ ଶାହା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଯୋଜନା , ବିଭାଗ ଓ ତାର କାର୍ଯ୍ୟକ୍ରମ ଗୁଡିକ ସମ୍ପର୍କରେ  ସମସ୍ତେ ସମ୍ପୁର୍ଣ୍ଣ ଅବଗତ ହେବାପାଇଁ ଏହି କାର୍ଯ୍ୟକ୍ରମ ଏକ ସୁଯୋଗ । ସରକାରୀ ସ୍ତରରେ ବିଭିନ୍ନ ବିଭାଗ ଗୁଡ଼ିକ ମାଧ୍ୟମରେ ଯାହା ସବୁ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି , ସେ ସମ୍ପର୍କରେ ଲୋକମାନେ ନିଶ୍ଚିତ ଭାବେ ଜାଣିବା ଦରକାର । ଏ ଦିଗରେ ସମସ୍ତେ ଅବଗତ ହେଲେ ହିଁ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ଆସିବାର ସହାୟକ ହେବ । ତେଣୁ ଜନ-ଜନସାଧାରଣ ଏହାର ଭରପୁର ସୁଯୋଗ ନେବାକୁ କହିଥିଲେ ।

     ଗଜପତି ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଅନ୍ୟତମ ଅତିଥି ଭାବେ ଯୋଗଦେଇ ପୋଲିସ ପ୍ରଶାସନ ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣ ମଧ୍ୟରେ କିଭଳି ସମନ୍ବୟ ରଖି ପୋଲିସ ଥାନାକୁ ଆସୁଥିବା ବିଭିନ୍ନ ବର୍ଗର ମକଦ୍ଦମା ଦେଖି ତ୍ୱରିତ ନ୍ୟାୟ ସମାଧାନ ପାଈଁ ପ୍ରାଧିକରଣ ନିକଟକୁ ପଠା ଯାଉଛି , ତାହା କହିଥିଲେ ।

    ଅତିରିକ୍ତ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଏବଂ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା  ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗୋଟିଏ ଛାତ ତଳେ ବିଭିନ୍ନ ବିଭାଗ ଏକାଠି ହେବା , ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ଚେକ୍ ଓ ସାମଗ୍ରୀ ବଣ୍ଟନ କରିବା ଏବଂ ବିଭିନ୍ନ ବିଭାଗର କ'ଣ ସବୁ ଯୋଜନା କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି ଜାଣିବା ଓ ନିଜର ସନ୍ଦେହ ଦୁର କରିବା ସହ ମାଗଣା ଆଇନ ସେବା କ'ଣ ଓ କାହାପାଇଁ ଏସବୁ ସମସ୍ତ ବିଷୟ ସମସ୍ତଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର  ଉଦ୍ଦେଶ୍ୟ, ତେଣୁ ସମସ୍ତେ ଏହାର ସୁଯୋଗ ନେବାପାଇଁ କହିଥିଲେ ।

        ପରେ ମୁଖ୍ୟଅତିଥି ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡା  ବିଭିନ୍ନ ବିଭାଗ ପକ୍ଷରୁ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ହିତାଧିକାରୀ ମାନଙ୍କୁ ଚେକ୍ ଓ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମକୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ଼ଃ କଲ୍ୟାଣି ମିଶ୍ର  ସଂଯୋଜନା କରିଥିଲେ । ଏହିଭଳି  ଚେକ୍ ଓ ସାମଗ୍ରୀ ଖୋଲା ଯାଇଥିବା ବିଭିନ୍ନ ବିଭାଗୀୟ ପ୍ରଦର୍ଶନୀ ଷ୍ଟଲ ଗୁଡ଼ିକରେ ମଧ୍ୟ ହିତାଧିକାରୀ ମାନଙ୍କୁ ବଣ୍ଟନ କରା ଯାଇଥିଲା ।

    ପରେ ମୁଖ୍ୟଅତିଥିଙ୍କ ସମେତ ଅନ୍ୟ ସମସ୍ତ ଅତିଥିମାନେ  ଶିବିର କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଖୋଲାଯାଇଥିବା ୩୦ ଗୋଟି ଉନ୍ନୟନ ପ୍ରଦର୍ଶନୀ ଷ୍ଟଲ ଗୁଡିକୁ ପରିଦର୍ଶନ କରିଥିଲେ ।   ସଭା କାର୍ଯ୍ୟକ୍ରମ ପ୍ରାରମ୍ଭରେ  ମୁଖ୍ୟ ଅତିଥି ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡାଙ୍କୁ ଏକ ଭବ୍ୟ ଶୋଭାଯାତ୍ରାରେ ଶଙ୍ଖନାଦ ଓ ବୀର ପାଇକ ଆଖଡା଼ ଖଣ୍ଡା ସାଧନ ଦଳ ଗହଣରେ ସ୍ଥାନୀୟ ସର୍କିଟ ହାଉସ ଠାରୁ ଷ୍ଟାଡିଅମ ସ୍ଥିତ ସଭା ସ୍ଥଳ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ ।                      

    ପରେ ମୁଖ୍ୟଅତିଥି ନ୍ୟାୟମୂର୍ତ୍ତି ସଞ୍ଜୁ ପଣ୍ଡାଙ୍କ ସମେତ ଜିଲ୍ଲା ଦୌରା-ଜର୍ଜ ବିଶ୍ବଜିତ ଦାସ , ଜିଲ୍ଲାପାଳ ଅନୁପମ ଶାହା ଏବଂ ଏସପି ସାରା ଶର୍ମା ପ୍ରମୁଖ ଲିମ୍ବ , ଅଁଳା ବେଲ ଓ ତୁଳସୀ ଗଛରେ ଜଳ ପକାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

   ସ୍ଥାନୀୟ ଭକ୍ତି ସଂସଦର କଳାକାର ମାନେ ଗୁରୁ ରଘୁନାଥ ପାତ୍ରଙ୍କ ନିର୍ଦ୍ଦେଶନାରେ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ପରିବେଷଣ କରିଥିଲେ ।

   କାର୍ଯ୍ୟକ୍ରମ ଶେଷରେ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନେ କନ୍ୟା ଭୃଣହତ୍ୟା ଓ ସ୍ୱଛ୍ୱ ଭାରତ ଉପରେ ସଚେତନତା ମୂଳକ ଛୋଟିଆ ନାଟକ ପରିବେଷଣ କରିଥିଲେ ।

    ସମସ୍ତ କାର୍ଯ୍ୟକ୍ରମରେ  ଓକିଲ ସଂଘ ସଭାପତି ରାମନାଥ ମିଶ୍ର ଓ ସମ୍ପାଦକ କୃଷ୍ଣ ମୋହନ ପଟ୍ଟନାୟକଙ୍କ ସମେତ ସଂଘ ର ଆଇନଜୀବି ଗଣ , ଜିଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଦୀପା ଦାସ , ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ , ହୀରଚାନ୍ଦ ପଟ୍ଟନାୟକ, ଏଡିଜେ. ଅରୁଣ କୁମାର ସାହୁ , ରା-ଉଦୟଗିରିର ସବ-ଜର୍ଜ ପ୍ରଦୀପ କୁମାର ସାମଲ , ଜିଲ୍ଲା ପ୍ରଶାସନର ଡିସିପିୟୁ .ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ , ପୌର ପରିଷଦ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ , ଉପ-ଜିଲ୍ଲାପାଳ ରଜନୀ କାନ୍ତ ସ୍ବାଇଁ ,ଏବଂ ଅତିରିକ୍ତ ଉପ-ଜିଲ୍ଲାପାଳ ସରୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault