ମାଲକାନଗିରି ତୁ ସୁରେନ୍ଦ୍ର କୁମାର ବେମାଳ: ଚିତ୍ରକୋଣ୍ଡା ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଟପଦା ସ୍ଥିତ ସର୍ବସାଧାରଣ ଜମି ଉପରେ ବ୍ୟକ୍ତିଗତ ଘର ଗୁଡିକର ଜବରଦଖଲ ଉଚ୍ଛେଦ ଅଭିଯାନ କରାଯାଇଛି । ଗତକାଲି ଚିତ୍ରକୋଣ୍ଡା ସହରର କେନ୍ଦ୍ରସ୍ଥଳରେ ଥିବା ବହୁମୂଲ୍ୟ ସରକାରୀ ଜମି ଉପରେ ଦୀର୍ଘ ଦିନ ଧରି ହୋଇଥିବା ଅବୈଧ ନିର୍ମାଣକୁ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜସ୍ୱ ବିଭାଗ, ସ୍ଥାନୀୟ ପୋଲିସ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗକୁ ନେଇ ଏକ ସ୍ୱତନ୍ତ୍ର ସଂଯୁକ୍ତ ଟିମ୍ ଗଠନ କରାଯାଇଥିଲା। ଗୁରୁବାର ସକାଳୁ ଉକ୍ତ ଟିମ୍ ଜେସିବି ଓ ବୁଲ୍ଡୋଜର ସହ ଘଟଣାସ୍ଥଳରେ ପହଞ୍ଚି ବେଆଇନ ଭାବେ ଗଢ଼ିଉଠିଥିବା ପକ୍କା ଘର, ବାଣିଜ୍ୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଅସ୍ଥାୟୀ ନିର୍ମାଣକୁ ଉଚ୍ଛେଦ କରିବା ଆରମ୍ଭ କରିଥିଲା। ସୂଚନା ଥାଉ କି, କେତେକ ପ୍ରଭାବଶାଳୀ ବ୍ୟକ୍ତି ଓ ସ୍ଥାନୀୟ ଲୋକେ ସରକାରୀ ଜମିକୁ ମାଡ଼ି ବସି ବହୁଦିନ ଧରି ବେଆଇନ ଭାବେ ଘର ଓ ଦୋକାନ ବଜାର କରି ବ୍ୟବସାୟ ଚଳାଇଥିଲେ। ଏହାକୁ ଖାଲି କରିବା ପାଇଁ ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ପକ୍ଷରୁ ପୂର୍ବରୁ ଏକାଧିକ ସରକାରୀ ନୋଟିସ ଜାରି କରାଯାଇଥିଲା। ପ୍ରଶାସନିକ ଚେତାବନୀ ସତ୍ତ୍ୱେ କେତେକ ଜବରଦଖଲକାରୀ ସ୍ୱଇଚ୍ଛାରେ ଜମି ଖାଲି କରିନଥିଲେ। ଫଳରେ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନକୁ ଏଭଳି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିଛି।ଉଚ୍ଛେଦ ସମୟରେ ଯେଭଳି କୌଣସି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନହୁଏ, ସେଥିପାଇଁ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ପୋଲିସ କର୍ଡନ ମଧ୍ୟରେ ଅତି ଶାନ୍ତି-ଶୃଙ୍ଖଳାର ସହ ସମଗ୍ର ପ୍ରକ୍ରିୟା ଶେଷ ହୋଇଛି। ଏହି ସଫଳ ଅଭିଯାନ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସରକାରୀ ଜମି ହେଉଛି ଜନସାଧାରଣଙ୍କ ସମ୍ପତ୍ତି। ଏହାକୁ ସୁରକ୍ଷିତ ରଖିବା ଏବଂ ଭବିଷ୍ୟତର ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟବହାର କରିବା ପ୍ରଶାସନର ମୁଖ୍ୟ ଲକ୍ଷ୍ୟ।ସର୍ବସାଧାରଣ ପାଇଁ ଉଦ୍ଦିଷ୍ଟ ସରକାରୀ ଜମି କେମିତି ଜବରଦଖଲ ମୁକ୍ତ ହେବ, ତା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି ଚାଲିଛି, ଆଗାମୀ ଦିନରେ ଏହା କାର୍ଯ୍ୟକାରୀ କରାଯିବ, ତତସହିତ ଘରଡିହ ହୀନ ପରିବାର ମାନଙ୍କୁ ସରକାରୀ ବ୍ୟବସ୍ଥା ଭିତରେ ଘରଡିହ ଜମି ପ୍ରଦାନ କରାଯିବ । ଏହି ଉଚ୍ଛେଦ ସମୟରେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଚିତ୍ରକୋଣ୍ଡା ତହସିଲଦାର ନଟବର ଗରଡା ଙ୍କ ସମେତ ପୋଲିସ, ଅଗ୍ନିଶମ ଓ ଟିପିଏସଡିଏଲର କର୍ମଚାରୀ ଉପସ୍ଥିତ ଥିଲେ।
ରାଜ୍ୟ
ଚିତ୍ରକୋଣ୍ଡାରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ: ଚାଲିଲା ବୁଲ୍ଡୋଜର, କୋଟିଏରୁ ଅଧିକ ମୂଲ୍ୟର ସରକାରୀ ଜମି ଜବରଦଖଲ ମୁକ୍ତ
- Hits: 14







