ହେଡଲାଇନସ୍:

ରାଜନଗର ବ୍ଲକରେ ସୁନାମୀ ମକ୍ ଡ୍ରିଲ ଓ ସୁନାମୀ ପ୍ରସ୍ତୁତି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:୨୯.୦୫(ପ୍ରଫୁଲ୍ଲ କୁମାର ମଲ୍ଲ) ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ଏବଂ ଭାରତୀୟ ଜାତୀୟ ସମୁଦ୍ର ସୂଚନା ସେବା କେନ୍ଦ୍ର (INCOIS)ଙ୍କ ମିଳିତ ପ୍ରୟାସରେ ରାଜନଗର ବ୍ଲକ ଅଧୀନସ୍ଥ ତାଳଚୁଆ ଓ ବାଘମାରି ପଞ୍ଚାୟତରେ ସୁନାମୀ ମକ୍ ଡ୍ରିଲ ଏବଂ ସୁନାମୀ ପ୍ରସ୍ତୁତି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ଏହି ଅଭ୍ୟାସ କାର୍ଯ୍ୟକ୍ରମରେ ତାଳଚୁଆ ପଞ୍ଚାୟତର ଭଞ୍ଜପ୍ରସାଦ, ଶିକାରପାହି, ରାଜପଟଣା ଓ ଜ୍ୟୋତିପ୍ରସାଦ ଗ୍ରାମ ସହିତ ବାଘମାରି ପଞ୍ଚାୟତର ଶୈଳେନ୍ଦ୍ରସରାଇ ଗ୍ରାମକୁ ସାମିଲ କରାଯାଇଥିଲା। ମୋଟ ୫ଟି ଗ୍ରାମର ପ୍ରାୟ ୪୦୦୦ରୁ ଅଧିକ ଗ୍ରାମବାସୀ ଏହି ସୁନାମୀ ଅଭ୍ୟାସରେ ସକ୍ରିୟ ଭାଗ ନେଇଥିଲେ। ମକ୍ ଡ୍ରିଲ ସମୟରେ ଗ୍ରାମବାସୀଙ୍କୁ ସୁନାମୀ ସମୟରେ କିପରି ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ, ପ୍ରାକ ସୂଚନା କିପରି ପ୍ରସାରଣ କରାଯିବ, ଯୋଗାଯୋଗ ବ୍ୟବସ୍ଥା, ନିଷ୍ପତ୍ତି ନେବା ପ୍ରକ୍ରିୟା ଓ ଜରୁରୀ ପରିସ୍ଥିତିରେ ସଚେତନତା ଆଦି ବିଷୟରେ ପ୍ରାୟୋଗିକ ଅଭ୍ୟାସ କରାଯାଇଥିଲା। ଭାରତୀୟ ସୁନାମୀ ପ୍ରାରମ୍ଭିକ ଚେତାବନୀ କେନ୍ଦ୍ର (ITEWC) ପକ୍ଷରୁ ପ୍ରାତଃ ୮ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ ୫ଟି ଡମି ଟେଷ୍ଟ ବୁଲେଟିନ ପ୍ରସାରଣ କରାଯାଇଥିଲା।IOC-UNESCO ଦ୍ୱାରା ନିର୍ଦ୍ଧାରିତ ୧୨ଟି ମାନକ ସୂଚକାଙ୍କ ଆଧାରରେ କାର୍ଯ୍ୟକ୍ରମର ମୂଲ୍ୟାଙ୍କନ କରାଯାଇଥିଲା। ଗ୍ରାମ ସ୍ତରର ବିପର୍ଯ୍ୟୟ ପରିଚାଳନା ଯୋଜନା ଓ ସୁନାମୀ ପରିଚାଳନା ଯୋଜନା ଅନୁସରଣ କରି ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀମାନଙ୍କ ସମନ୍ୱୟ ଓ ସହଯୋଗରେ ଏହି ଅଭ୍ୟାସ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ରଘୁରାମ ଆର୍‌. ଆୟର ମୁଖ୍ୟ ଆକର୍ଷଣ ରହିଥିବା ବେଳେ OSDMA ପକ୍ଷରୁ ଆରଣ୍ୟକ ମିଶ୍ର ପର୍ଯ୍ୟବେକ୍ଷକ ଭାବେ ଯୋଗଦେଇଥିଲେ। ରାଜନଗର ବିଡିଓ ଅଶୋକ ମହାନ୍ତି, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ନିତ୍ୟ ରଞ୍ଜନ ସାମଲ, ଡିପିଓ ଶ୍ରୀ ଅଜୟ କୁମାର ମହାନ୍ତି, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗଣେଶ ଗୁଡ଼ିଆ ସହିତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଜୀବନଦୀପ NGO, ଅନ୍ୱେଷଣ NGO ଓ Nature’s Clubର ସଦସ୍ୟମାନେ ଉପସ୍ଥିତ ଥିଲେ।
ସୁନାମୀ ପ୍ରସ୍ତୁତ ସମ୍ପ୍ରଦାୟ ଗଠନ ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଏହା ତୃତୀୟ ପର୍ଯ୍ୟାୟର ଅଭ୍ୟାସ କାର୍ଯ୍ୟକ୍ରମ। ପୂର୍ବରୁ ମହାକାଳପଡ଼ା ବ୍ଲକ ଅଧୀନରେ ଜମ୍ବୁ ଓ ଲାଞ୍ଜୁଡା ପଞ୍ଚାୟତରେ ଏହିପରି ଅଭ୍ୟାସ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ବର୍ତ୍ତମାନ କେନ୍ଦ୍ରାପଡ଼ା ଜିଲ୍ଲାର ୨ଟି ବ୍ଲକର ୪ଟି ପଞ୍ଚାୟତ ଅଧୀନରେ ୧୫ଟି ଗ୍ରାମକୁ ସୁନାମୀ ପ୍ରସ୍ତୁତ ସମ୍ପ୍ରଦାୟ ଭାବେ ଗଢ଼ି ତୋଳିବା ପାଇଁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ରମ ଚାଲିଛି।
ଉଲ୍ଲେଖନୀୟ ଯେ, ପୂର୍ବରୁ ଓଡ଼ିଶାର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାର ୩୮୨ଟି ସୁନାମୀ ପ୍ରବଣ ଗ୍ରାମ ମଧ୍ୟରୁ ୨୪ଟି ଗ୍ରାମକୁ UNESCO-IOC ପକ୍ଷରୁ “Tsunami Ready Community” ଭାବେ ମାନ୍ୟତା ମିଳିସାରିଛି। ଏହାମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲାର କଇଥା, ଚିଞ୍ଚିରୀ, ଶାସନ ଓ କଣ୍ଟିଲୋ ଗ୍ରାମ ସୁନାମୀ ପ୍ରସ୍ତୁତ ଗ୍ରାମ ଭାବେ ସ୍ୱୀକୃତି ପାଇଛି।

0
0
0
s2sdefault