ହେଡଲାଇନସ୍:

ପୋଷାକ ନିର୍ମାଣ ଶିଳ୍ପାନୁଷ୍ଠାନ ରେ ନିଯୁକ୍ତି ପାଇଲେ ଗୋପବନ୍ଧୁ ବାଳାଶ୍ରମର ୩ ଅନ୍ତେବାସିନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 



ବାରିପଦା - ମୟୂରଭଞ୍ଜ ଜିଲାପାଳ ସୁରେନ୍ଦ୍ର କୁମାର ମୀନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବାରିପଦାସ୍ଥିତ ଗୋପବନ୍ଧୁ ବାଳାଶ୍ରମର ହୀରା ବାସ୍କେ,  ଭବାନୀ ସିଂ ଓ ରେବତୀ ମହାନ୍ତ ପ୍ରମୁଖ ୩ ଅନ୍ତେବାସିନୀଙ୍କୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକାରୀ ପ୍ରାୟୋଜିତ ନିଯୁକ୍ତି ଜଡ଼ିତ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ମାଣିତ୍ରୀ ଅଙ୍ଗାରଗଡ଼ିଆସ୍ଥିତ ଆଇଏଲ ଏଣ୍ଡ ଏସ ତାଲିମ କେନ୍ଦ୍ରରେ ସିଲେଇ ମେସିନ ଚାଳନା ତାଲିମ ପ୍ରଦାନ କରାଯାଇଅଛି । ମୟୂରଭଞ୍ଜ ଜିଲା ନିଯୁକ୍ତି ଅଧିକାରୀଙ୍କ ମାଧ୍ୟମରେ ଏହି ଦେୟ ମୁକ୍ତ ତାଲିମ ପରେ ତାଲିମ ପ୍ରଦାନକାରୀ ସଂସ୍ଥା ଅନ୍ୟ ତାଲିମ ପ୍ରାପ୍ତ ଯୁବକ, ଯୁବତୀମାନଙ୍କ ସହିତ ବାଳାଶ୍ରମର ଏହି ୩ ବାଳିକାମାନଙ୍କୁ ତାମିଲନାଡ଼ୁ ରାଜ୍ୟର ଡ଼ିଣ୍ଡିଗୁଲ ସ୍ଥିତ ନାଟଚି ପୋଷାକ ନିର୍ମାଣ କାରଖାନାରେ ମାସିକ ୮ ହଜାର ୫ଶହ ଟଙ୍କା ଦରମାରେ ନିଯୁକ୍ତିରେ ଅବସ୍ଥାପିତ କରିଛନ୍ତି । ଜାନୁଆରୀ ୧୯ରେ ଏହି ପ୍ରଶିକ୍ଷଣ ପ୍ରାପ୍ତ ଏହି ୩ ବାଳିକାମାନେ ଭୂବନେଶ୍ୱରୁ ତାମିଲନାଡ଼ୁ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ସମୟରେ ଜିଲାପ୍ରଶାସନ ପକ୍ଷରୁ ମୟୂରଭଞ୍ଜ ଜିଲାପାଳ ଶ୍ରୀମୀନା ପ୍ରତ୍ୟେକଙ୍କୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ସହିତ ଜିଲା ପ୍ରଶାସନ ସହିତ ଯୋଗାଯୋଗ ରକ୍ଷା କରିବା ନିମନ୍ତେ ସିମକାଡର଼୍ ଯୁକ୍ତ ସେଲଫୋନ ପ୍ରଦାନ କରିଥିଲେ । ଉକ୍ତ ବାଳିକାମାନେ ଦୀର୍ଘ ବର୍ଷ ଧରି ବାଳାଶ୍ରମରେ ରହି ଅଧ୍ୟୟନ କରିଆସୁଥିଲେ । ମୟୂରଭଞ୍ଜ ଜିଲାପାଳଙ୍କ ସମେତ ଜିଲା ଶିଶୁ ମଙ୍ଗଳ କମିଟୀର ସମସ୍ତ ସଦସ୍ୟ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ମୟୂରଭଞ୍ଜ ଜିଲାପ୍ରଶାସନ ଓ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକାରୀଙ୍କ ଏହି ପ୍ରୟାସ ଯୋଗୁଁ ଅନ୍ୟ ଯୁବ ଗୋଷ୍ଠୀ ଙ୍କ ଭଳି ଏହି ଅନ୍ତେବାସିନୀମାନେ ମଧ୍ୟ ରୋଜଗାର କ୍ଷମ ହୋଇପାରିଛନ୍ତି ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରେସ ଇସ୍ତାହାର ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

0
0
0
s2sdefault