ସ୍ୱାସ୍ଥ୍ୟସେବାର ସେଦ୍ଧାର ବିକଳ ଚିତ୍ର, ୪୦୪ ଡାକ୍ତର ନାହାନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୫୩୭ ନସିଂ ଅଫିସର ପଦ ଖାଲି, ଗ୍ରାମାଞ୍ଚଳରେ କାମ କରିବାକୁ ଡାକ୍ତର ଅରାଜି

ସୁନ୍ଦରଗଡ଼:  ସୁନ୍ଦରଗଡ଼ ଜିଲା ସ୍ଵାସ୍ଥ୍ୟ ଭିତ୍ତିଭୂମିରେ ଜାତୀୟ ସ୍ତରରେ ପ୍ରଶଂସିତ ଓ ପୁରସ୍କୃତ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭିତ୍ତିଭୂମିର ଅନେକ ବିକାଶ ଘଟିଛି । ଡାକ୍ତରଖାନାକୁ ଦେଖିଲେ ଲାଗୁଛି କୌଣସି ପାର୍କ ନା କୌଣସି ଆମୋଦ ପ୍ରମୋଦର ସ୍ଥାନ । କିନ୍ତୁ ଚିକିତ୍ସା ସେବା ପ୍ରଦାନ କରିବା ପାଇଁ ଜିଲା ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ସହିତ ଅନ୍ୟ କର୍ମଚାରୀଙ୍କ ଘୋର ଅଭାବ ଲାଗିରହିଛି । ଏହି ଜିଲାରେ ମୋଟ ୭୪୧ ଅନୁମୋଦିତ ଡାକ୍ତର ପଦ ଅଛି । କିନ୍ତୁ ଅଛନ୍ତି ମାତ୍ର ୩୩୭ ଜଣ ଡାକ୍ତର । ଖାଲି ପଡ଼ିଛି ୪୦୪ ଡାକ୍ତର ପଦ । ବିଚିତ୍ର ସ୍ଥିତିରେ ଅଛି ନସିଂ ଅଫିସର ସଂଖ୍ୟା । ଅନୁମୋଦିତ ପଦ ୬୯୮ କୁ ଅଛନ୍ତି ମାତ୍ର ୧୬୧। ଖାଲି ପଡ଼ିଛି ୫୩୭ପଦ। କେତେକ ଡାକ୍ତରଖାନାରେ ଜଣେ ହେଲେ ନସିଂ ଅଫିସର କି ଡାକ୍ଟର ନାହାନ୍ତି ।

କୋଇଡ଼ା ବ୍ଲକର ତିନି ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ଚୋରଧରା, କେ ବଲାଙ୍ଗ ଏବଂ ଝାରବେଡ଼ାରେ ଜଣେ ବି ଡାକ୍ତର ନାହାନ୍ତି । ସେଠାରେ ଫାର୍ମାସିଷ୍ଟ ଭରସାରେ ଡାକ୍ତରଖାନା ଚାଲିଛି। ଏ ତ ଗ୍ରାମାଞ୍ଚଳ ଓ ଅପ‌ହଞ୍ଚ ଇଲାକାର ଚିତ୍ର । ଯଦି ସହରାଞ୍ଚଳ ସ୍ଥିତି ଦେଖ‌ିବା, ସୁନ୍ଦରଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଅଛନ୍ତି ମାତ୍ର ୬୫ ଜଣ ଡାକ୍ତର । ଏଠାରେ ଅନୁମୋଦିତ ପଦ ଅଛି ୧୭୬। ସେଥ୍‌ରୁ ଖାଲି ପଡ଼ିଛି ୧୧୧ ପଦ। ଅର୍ଥାତ ଅନୁମୋଦିତ ପଦର ଅଧାରୁ ବି କମ ସଂଖ୍ୟକ ଡାକ୍ତର ଅଛନ୍ତି । ଅନେକ ଡାକ୍ତର ମେଡିକାଲରେ କମ କ୍ଲିନିକ ଓ ନସିଂହୋମରେ ବେଶୀ ସେବା କରୁଛନ୍ତି। ଏପରି କ୍ଷେତ୍ରରେ ସାଧାରଣ ଗରିବ ରୋଗୀ କି ଚିକିତ୍ସା ସେବା ପାଉଥିବ ଅନୁମାନ କରାଯାଇପାରେ।

ସେହିପରି ଜିଲାର ୨୧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଟିଏ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଅନୁମୋଦିତ ଡାକ୍ତର ପଦ ୪୮୭ । ସେଥିରୁ ଖାଲି ପଡ଼ିଛି ୨୮୭ ପଦ। ଅଛନ୍ତି ମାତ୍ର ୨ ଶହ ଡାକ୍ତର। କେତେକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୨୧ ଅନୁମୋଦିତ ପଦ ଥିବା ବେଳେ ଅଛନ୍ତି ମାତ୍ର ୪ କିମ୍ବା ୫/୬ ଜଣ ଡାକ୍ତର । କେବଳ ଡାକ୍ତର ନୁହେଁ, ସବୁ ପଦକୁ ଦେଖୁଲେ ଅନୁମାନ କରିହେବ ଜିଲାର ସ୍ୱାସ୍ଥ୍ୟ ସେବାର ସ୍ଥିତି କ'ଣ । ଜିଲାରେ ଲ୍ୟାବ

ଟେକ୍ନିସିଆନ ପଦ ସଂଖ୍ୟା ୭୩। ସେଥ୍ରୁ ଅଛନ୍ତି ମାତ୍ର ୪୩ । ଫାର୍ମାସିଷ୍ଟ ପଦ ସଂଖ୍ୟା ୧୫୨। ହେଲେ ଅଛନ୍ତି ମାତ୍ର ୧୨୦ । ୨୨ଟି ରେଡିଓଗ୍ରାଫର ପଦ ଥିବାବେଳେ ଅଛନ୍ତି ମାତ୍ର ୮ । ବିଚିତ୍ର ଓ ଚିନ୍ତା ଜନକ ସ୍ଥିତିରେ ଅଛି ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ( ମହିଳା ) ଓ ନସିଂ ଅଫିସର ସଂଖ୍ୟା । ଜିଲା ମୁଖ୍ୟ ଚିକିତ୍ସାଳୟ ସହିତ ୯୩ ସ୍ଵାସ୍ଥ୍ୟ ଅନୁଷ୍ଠାନରେ ୬୯୮ ଅନୁମୋଦିତ ନସିଂ ଅଫିସରଙ୍କ ପଦ ଅଛି। କିନ୍ତୁ ମାତ୍ର ୧୬୧ ଜଣ ଅଛନ୍ତି ଖାଲି ପଡ଼ିଛି ୫୩୭ପଦବୀ ଏବଂ ବହୁମୁଖୀ ସ୍ଵାସ୍ଥ୍ୟ କର୍ମୀଙ୍କ ଅନୁମୋଦିତ ପଦବୀ ସଂଖ୍ୟା ୬୩୭ । କିନ୍ତୁ ଖାଲି ପଡ଼ିଛି ୨୨୭ ପଦ । ମାତ୍ର ୪୧୦ ଜଣ ସ୍ୱାସ୍ଥ୍ୟକର୍ମୀ ଅଛନ୍ତି। ୩୫୦ଟି ଚତୁର୍ଥ ଶ୍ରେଣୀ କର୍ମଚାରୀ ପଦରୁ ଖାଲି ପଡ଼ିଛି ୨୧୫ ପଦ।

ଜିଲାର ଏପରି ବିକଳିଆ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ଚିନ୍ତାର ବିଷୟ ପାଲଟିଛି। ଏହି ଜିଲାର ସ୍ଵାସ୍ଥ୍ୟସେବା ଉପରେ କେବଳ ଜିଲାବାସୀ ନୁହେଁ, ଝାରସୁଗୁଡ଼ା ଓ ସମ୍ବଲପୁର ସହିତ ଝାଡ଼ଖଣ୍ଡ ଓ ଛତିଶଗଡ଼ ସୀମାନ୍ତ ରୋଗୀ ମଧ୍ୟ ନିର୍ଭର କରିଥାନ୍ତି । କିନ୍ତୁ ଜିଲାରେ ଭୁଷୁଡି ପଡ଼ିଛି ସ୍ୱାସ୍ଥ୍ୟ ସେବା । ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ସୁରେଶ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଖାଲି ପଡ଼ିଥ‌ିବା ପଦବୀ ସଂଖ୍ୟା ନେଇ ପ୍ରତିମାସ ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ ଦିଆଯାଉଛି।

ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ପୌରାଧ୍ଯକ୍ଷା ମଧ୍ଯ ଖାଲି ପଦ ପୂରଣ କରିବା ପାଇଁ ତାଙ୍କୁ ଦାବି କରିଥିଲେ। ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମଧ୍ୟ ସ୍ଵାସ୍ଥ୍ୟ ସଚିବଙ୍କୁ ଭେଟି ଦାବି କରିଛନ୍ତି । କିନ୍ତୁ ସରକାର ନିଯୁକ୍ତି ଦେଉନାହାନ୍ତି । ସରକାର ନିଯୁକ୍ତି ଦେଲେ ମଧ୍ୟ ଅନେକ ଡାକ୍ତର କାମରେ ଯୋଗ ଦେଉନାହାନ୍ତି I କିଛିଦିନ ତଳେ ୧୧ ଜଣ ଡାକ୍ତର ଆସିଥିଲେ | ସେମାନଙ୍କୁ ବଣାଇ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟରେ ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ସେମାନେ କାମରେ ଯୋଗଦେଲେ ନାହିଁ । ଏବେ ୫୦ ପ୍ରତିଶତରୁ ମଧ୍ୟ କାମ ଡାକ୍ତର ଅଛନ୍ତି | ତେଣୁ ରୋଗୀସେବାରେ ଅନେକ ସମସ୍ୟା ହେଉଛି। ସରକାର ଶୀଘ୍ର ଖାଲି ପଦ ପୂରଣ କରିବେ ବୋଲି ଆଶା କରାଯାଉଛି ।

0
0
0
s2sdefault