କିସରେ ଜନଜାତି ସମାବେଶ, ଏକଜୁଟ ହେଲେ ଲକ୍ଷାଧିକ  ଜନଜାତି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭୁବନେଶ୍ୱର : ପ୍ରତିବର୍ଷ ଭଳି ଚଳିତବର୍ଷ କିସରେ  ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ଶୁକ୍ରବାର ଏକ ବିରାଟ ଅଭିଭାବକ ମହାସମାବେଶ ଅନୁଷ୍ଠିତ  ହୋଇଯାଇଛି । ଏଥିପାଇଁ କିସ୍‍ ପରିସର ଚଳଚଞ୍ଚଳ ହୋଇଉଠିଥିବା ବେଳେ ୧ଲକ୍ଷ ଜନଜାତି ଲୋକ ଏକତି୍ରତ ହୋଇଥିଲେ । ଅଭିଭାବକମାନେ ଯେପରି ସୁରୁଖୁରୁରେ କିସ୍‍ରେ ପହଞ୍ଚି ସମ୍ମିଳନୀରେ ଯୋଗଦେବେ ସେଥିପାଇଁ କିସ୍‍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ  କରାଯାଇଥିଲା । ସେମାନଙ୍କ ରହିବାଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁକିଛି ସୁଚାରୁ ରୂପେ ବ୍ୟବସ୍ଥିତ କରାଯାଇଥିଲା । ଦୂର ଦୂରାନ୍ତରୁ ଆଜି ସକାଳୁ ଅଭିଭାବକମାନେ କିସ୍‍ ପରିସରରେ ପହଞ୍ଚିଥିଲେ । ଏହି ଅବସରରେ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କ ସହ ମିଶିବା ସହ ସେମାନଙ୍କ ଭଲ ମନ୍ଦ ବୁଝିବାର ସୁଯୋଗ ପାଇଥିଲେ । ଅଭିଭାବକମାନେ ଯେପରି ସୁରୁଖୁରୁରେ ସେମାନଙ୍କ ପିଲାମାନଙ୍କ ଭଲମନ୍ଦ ବୁଝିପାରିବେ ସେଥିପାଇଁ କିସ୍‍ ପରିସରରେ ଜିଲ୍ଲାୱାରୀ ଷ୍ଟଲ୍‍ମାନ ଖୋଲାଯାଥିଲା । ଚଳିତବର୍ଷ କିସ୍‍ର ୨୭ହଜାର ଛାତ୍ରଛାତ୍ରୀଙ୍କ ପ୍ରାୟ ୬୦ ହଜାର ଅଭିଭାବକ ଓ ୧୦ହଜାର ପୁରାତନ ଛାତ୍ରଛାତ୍ରୀଙ୍କୁ ମିଶାଇ ପ୍ରାୟ ୧ଲକ୍ଷ ଜନଜାତି ଲୋକଙ୍କ ଏକ ବିରାଟ ସମାବେଶ ହୋଇଥିଲା ।  ଅଭିଭାବକ ସମାବେଶ ପୂର୍ବରୁ କିସ୍‍ର ପୁରାତନ ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ଅନୁଷ୍ଠିତ  ହୋଇଥିଲା । ଏଥିରେ କିସ୍‍ର ୧୦ହଜାର ପୁରାତନ ଛାତ୍ରଛାତ୍ରୀ ଯୋଗଦେଇ ସେମାନଙ୍କ ଅଭିଜ୍ଞତା ବର୍ଣ୍ଣନା କରିବା ସହ କିସ୍‍ ପ୍ରତି ସେମାନଙ୍କ କୃତଜ୍ଞତା ଜଣାଇଥିଲେ । କିସ୍‍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବେ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ ଅଭିଭାବକ ମହାସମାବେଶ ଅନୁଷ୍ଠିତ  ହୋଇଥିଲା । ଏହାକୁ ସମ୍ବୋଧିତ କରି କିସ୍‍ ଓ କିଟ୍‍ର ପ୍ରତିଷ୍ଠାତା ଅଚ୍ୟୁତ  ସାମନ୍ତ କହିଲେ, କିସ୍‍ ଆଜି ୨୫ବର୍ଷରେ ପଦାର୍ପଣ କରିଥିବା ବେଳେ ଏହା ସମଗ୍ର ବିଶ୍ୱରେ ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିବାର ସୌଭାଗ୍ୟ ହାସଲ୍‍ କରିଛି । ଆଜି କିସ୍‍ର ଅଧ୍ୟୟନରତ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୩୭ହଜାର ଛାତ୍ରଛାତ୍ରୀ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଗାଆଁଗୁଡ଼ିକରେ ଶିକ୍ଷାର ବାର୍ତ୍ତାବହ ପାଲଟିଛନ୍ତି ।  କିସ୍‍ ଆଜି ସମଗ୍ର ଜନଜାତି ସଂପ୍ରଦାୟ ମଧ୍ୟରେ ଏକ ଆନେ୍ଦାଳନରେ ପରିଣତ ହୋଇଛି ବୋଲି ଶ୍ରୀ ସାମନ୍ତ କହିଥିଲେ । ଏହି ଅବସରରେ ସେ ସମସ୍ତ ଅଭିଭାବକ ସର୍ବୋପରି ଜନଜାତି ଲୋକଙ୍କ ସହଯୋଗ କାମନା କରିଥିଲେ । ଏହି ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା ସାମୁହିକ ମଧ୍ୟାହ୍ନ ଭୋଜନ । ୧ଲକ୍ଷ ଲୋକ ଆଜି କିସ୍‍ରେ ଏକାଠି ମଧ୍ୟାହ୍ନ ଭୋଜନ କରିବା ଏକ ଅନନ୍ୟ ପରିବେଶ ସୃଷ୍ଟି କରିଥିଲା । ଗୁରୁବାରଠାରୁ ବିଭିନ୍ନ ଜିଲ୍ଲାର କିସ୍‍ ଅଭିଭାବକ ସଂଘର କର୍ମକର୍ତ୍ତାମାନେ ପହଞ୍ଚି ସାରିଥିଲେ । ସେମାନଙ୍କ ପିଲାମାନେ କିସ୍‍ରେ ରହି କିପରି ଉନ୍ନତ ମାନର ଶିକ୍ଷା ଲାଭ କରିବା ସହ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିପାରୁଛନ୍ତି ସେ ନେଇ ଅଭିଭାବକମାନେ ଖୁସି ବ୍ୟକ୍ତ କରିଛନ୍ତି । ଯେତେବେଳେ ସେମାନଙ୍କ ପିଲାମାନେ ରାଜଧାନୀ ଭୁବନେଶ୍ୱରରେ ରହି ଏକ ବଡ଼ ସ୍କୁଲ୍‍ରେ ପଢ଼ିବେ ବୋଲି ଚିନ୍ତା କରିନଥିଲେ ସେତେବେଳେ ଜଣେ ବ୍ୟକ୍ତି ସେମାନଙ୍କ ପିଲାମାନଙ୍କୁ ବଣଜଙ୍ଗଲରୁ ଆଣି କିସ୍‍ରେ ପାଠପଢ଼ି ମଣିଷ ହେବାର ସୁଯୋଗ ଦେଇଛନ୍ତି । ଆମେ ଜନଜାତି ଲୋକମାନେ ଶିକ୍ଷା କଣ ଜାଣି ନଥିଲୁ । ଆମ ପିଲାମାନେ କିସ୍‍ରେ ପାଠ ପଢ଼ି ନିଜକୁ ସମାଜରେ ପ୍ରତିଷ୍ଠିତ  କରାଇବା ପରେ ଆମେ ଶିକ୍ଷାର ମହତ୍ତ୍ୱ ବୁଝିପାରିଛୁ ବୋଲି ସମାବେଶରେ ଯୋଗଦେଇଥିବା ଅଭିଭାବକମାନେ ମତ ପ୍ରକାଶ କରିଛନ୍ତି । ଏହି ମହାସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କିସ୍‍ ଓ କିଟ୍‍ର ସଭାପତି ଶାଶ୍ୱତୀ ବଳ, ସଂପାଦକ ଆର ଏନ୍‍ ଦାଶ, କିସ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି କେ ରାଉତରାୟ, କିସ୍‍ ଡିମ୍‍ଡ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କୁଳସଚିବ ଜୁଲିଅସ୍‍ ଲାକ୍ରା, କିଟ୍‍ ଡିମ୍‍ଡ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ସସ୍ମିତାରାଣୀ ସାମନ୍ତ, କିସ୍‍ ନିର୍ଦେଶକ  ପି କେ ଦାସ ଓ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଭାର ମହାସଚିବ ତଥା ଅଭିଭାବକ ପ୍ରତିନିଧି ନିରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault