ହେଡଲାଇନସ୍:

ସରିଲା ସଂସ୍କୃତି-ଆଧ୍ୟାତ୍ମିକତାର କୁମ୍ଭ : ଦ୍ୱିତୀୟ ବାର୍ଷିକ ହିନ୍ଦୁ ଆଧ୍ୟାତ୍ମିକ ଓ ସେବା ମେଳା ଉଦଯାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ନାରୀ ସମ୍ମାନ  ତଥା ମାନବ ସମାଜରେ କନ୍ୟାରତ୍ନର ଆଦରର ପ୍ରତୀକ ରୂପେ କନ୍ୟା-ପୂଜନ

 ସର୍ବୋଚ୍ଚ ସେନା ପୁରସ୍କାର ପ୍ରାପ୍ତ, ଭାରତମାତାର ସୁଯୋଗ୍ୟ ସନ୍ତାନଙ୍କ ପାଇଁ ପରମବୀର-ବନ୍ଦନା 

 ପାରବାରିକ ଓ ସାମାଜିକ ମୂଲ୍ୟବୋଧର ସୂଚକ ସ୍ୱରୂପ ମାତୃ-ପିତୃ ପୂଜନ 

ଭୁବନେଶ୍ୱରରୁ ପରେଶ କୁଅଁର : ଇନିସିଏଟିଭ୍ ଫର୍ ମୋରାଲ୍ ଏଣ୍ଡ୍ କଲଚରାଲ୍ ଟ୍ରେନିଂ ଫାଉଣ୍ଡେସନ୍ (ଆଇଏମସିଟି), ଓଡ଼ିଶା ଆନୁକୂଲ୍ୟରେ ରାଜଧାନୀସ୍ଥ ପ୍ରଦର୍ଶନୀ ପଡିଆଠାରେ ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ଚାରିଦିନିଆ ଦ୍ୱିତୀୟ ବାର୍ଷିକ ହିନ୍ଦୁ ଆଧ୍ୟାତ୍ମିକ ଓ ସେବାମେଳା ଉଦଯାପିତ ହୋଇଯାଇଛି । ଗିରି ଦୁର୍ଗାମନ୍ଦିରଠାରେ ବଡ଼ ଦେଉଳରୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସେବକବୃନ୍ଦଙ୍କ ଦ୍ୱାରା ଅଣାଯାଇଥିବା ପ୍ରସାଦମାଳାକୁ ସ୍ୱାଗତ କରାଯାଇ ଶଙ୍ଖ ଓ ଘଂଟଧ୍ୱନି ତଥା ପାରମ୍ପରିକ ନୃତ୍ୟଗୀତର ତାଳେତାଳେ ବିରାଟ ପଟୁଆରରେ ମେଳାସ୍ଥଳକୁ ପାଛୋଟି ନିଆଯାଇଥିଲା । ବୈଦିକ ସଂସ୍କୃତିର ଅପୂର୍ବ ଝଲକ ଥିଲା ଏହି ପ୍ରସାଦ ମାଳା ଶୋଭାଯାତ୍ରା ସନାତନ ଧର୍ମରେ ପବିତ୍ର କଳସକୁ ସମସ୍ତ ଦେବ ଶୁଭ କାର୍ଯ୍ୟର ଅବତରଣୀକା ରୂପେ ବର୍ଣ୍ଣନା ଅଛି । ଜଗନ୍ନାଥ ମହାପ୍ରଭୁଙ୍କର ପ୍ରସାଦ ମାଳାକୁ ସେବାମେଳା ମଂଚକୁ ପାଛୋଟି ଅଣାଯିବାବେଳେ ଧାଡ଼ିରେ ଥିବା ମା’ମାନଙ୍କ ମଥରେ ସୁସଜ୍ଜିତ କଳସ ହିଁ ସମଗ୍ର ଶୋଭାଯାତ୍ରା ପଥକୁ ସତେ ଯେମିତି ଆଧ୍ୟାତ୍ମିକତାର ମହକରେ ଉଲ୍ଲସିତ କରୁଥିଲା । ମଂଚ ଉପରେ କଳସ ସ୍ଥାପନା, ଶ୍ରୀଜଗନ୍ନାଥ ପୂଜନ ତଥା ଗୋ ମାତା, ପୁଣ୍ୟତୋୟା ବୈତରଣୀ ଓ ବୃକ୍ଷରାଜିକୁ ନେଇ ପ୍ରକୃତି ପୂଜନ ପରେ ଅପରାହ୍ନରେ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କ ଉପସ୍ଥିତିରେ ବେଦଧ୍ୱନିତର ଗୁରୁଗମ୍ଭୀର ଉଚ୍ଚାରଣ ମଧ୍ୟରେ ମୁଖ୍ୟ ଅତିଥି ଗଜପତି ମହରାଜା ଦିବ୍ୟସିଂହଦେବଙ୍କ ଦ୍ୱାରା ପ୍ରଦୀ ପ୍ରଜ୍ୱଳନ ଓ ମେଳା ଉଦଘାଟନ ଏବଂ ଏଚଏଚଏସଏଫର ଅଖିଳ ଭାରତୀୟ ସହସେବା ପ୍ରମୁଖ ଗୁଣୱନ୍ତ ସିଂହ କୋଠରୀ ଓ ଟ୍ରଷ୍ଟି ରାଜଲକ୍ଷ୍ମୀ ଆର୍ଙ୍କ ଦ୍ୱାରା ଷ୍ଟଲ ଉଦଘାଟନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା । ସନ୍ଧ୍ୟାରେ ମେଳାର ମୁଖ୍ୟ ମଂଚରେ ବିଭିନ୍ନ ଶିଳ୍ପୀଙ୍କ ଦ୍ୱାରା ପରିବେଷିତ ପାରମ୍ପାରିକ ମନୋରଞ୍ଜନ  କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା । ନାରୀ ସମ୍ମାନ ତଥା ମାନବ ସମାଜରେ କନ୍ୟାରତ୍ନର ଆଦରର ପ୍ରତୀକ ରୂପେ କନ୍ୟା-ପୂଜନ କାର୍ଯ୍ୟକ୍ରମରେ, ୨୧ତାରିଖରେ ବିଦ୍ୟାଳୟରୁ ସେମାନଙ୍କ ଗୁରୁଜୀ, ଗୁରୁମା’ଙ୍କ ସହିତ ଆସିଥିବା ପ୍ରାୟ ୫୦୦ରୁ ଊଦ୍ଧ୍ୱର୍ ଛୋଟ ଛୋଟ ବାଳିକାଙ୍କୁ କୁନିକୁନି ବାଳକ ବିଦ୍ୟାର୍ଥୀମାନେ ଧୂପ, ଦୀପ, ଚନ୍ଦନ, ସିନ୍ଦୁର, ନାରିକେଳ ଇତ୍ୟାଦି ଅର୍ପଣ କରି ବେଦଜ୍ଞ ବ୍ରାହ୍ମଣଙ୍କ ମନ୍ତ୍ର ଧ୍ୱନି ମଧ୍ୟରେ ପୂଜା କରିଥିଲେ ଓ ଛୋଟ ପିଲାମାନେ ଜଗନ୍ନାଥାଷ୍ଟକମ୍ ଇତ୍ୟାଦି ଗାଇଥିଲେ । ରାଷ୍ଟ୍ର ସେବିକା ସମିତି, ଓଡ଼ିଶାର ରାଜ୍ୟ ସମ୍ପର୍କ ପ୍ରମୁଖ ସୁଚିତ୍ର ମହାପାତ୍ର ଏହି କନ୍ୟା ପୂଜନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି  ରୂପେ ଯୋଗ ଦେଇଥିଲେ  । ମହାନଗର ସମ୍ପର୍କ ପ୍ରମୁଖ ଜୟକୃଷ୍ଣ ପୃଷ୍ଟି ଓ ଆଇଏମସିଟି, ଓଡ଼ିଶାର ସାଧାରଣ ସମ୍ପାଦକ ଦେବପ୍ରସାଦ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।

ଅପରାହ୍ନରେ ଅନ୍ୟତମ ବିଶିଷ୍ଟ ସମାଜସେବୀ, ଲକ୍ଷ୍ମଣ ମହୀପାଲ୍, ପୁରସ୍କାର ବିତରଣୀ ଉତ୍ସବର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଭିନ୍ନ ବିଭାଗର ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଂଟନ କରିବା ସହ ମାନ୍ୟଗଣ୍ୟ ସାମଜସେବୀମାନଙ୍କୁ ସମ୍ମାନିତ କରିଥିଲେ । ମେଳାସ୍ଥଳୀର ପରିପାଟୀ ସଜ୍ଜୀକରଣର ଛତ୍ରେଛତ୍ର ନିଗୂଢ ଆଧ୍ୟାତ୍ମିକ ଭାବ ସ୍ପଷ୍ଟ ପରିସ୍ଫୁଟିତ ହୋଇଥିଲା । ତତସହ କେନ୍ଦ୍ରସ୍ଥଳୀରେ ନିର୍ମିତ ଗୁପ୍ତଗଙ୍ଗା ମା’ ବୈତରଣୀର ଗୋ-ନାସିକାରୁ ଉତ୍ପତି  ଚିତ୍ର, ପାହାଡ଼, ବନାନୀସମୁହର ଚିତହରଣକାରୀ ଉପସ୍ଥାପନା, ଆଗନ୍ତୁକଙ୍କ ମତରେ ସତସତିକା ପ୍ରକୃତି କୋଳରେ ବିଚରଣର ଭ୍ରମ ସୃଷ୍ଟି କରୁଥିଲା । ପୁନଃ ସ୍ମରଣ ସ୍ତମ୍ଭଟି ମଣିଷ ସମାଜର ପାରମ୍ପରିକ ମୂଲ୍ୟବୋଧର ସ୍ମୃତିସ୍ତମ୍ଭ ରୂପେ ପଢିଆର ଉପକ୍ରମଣୀକାରେ ଦଣ୍ଡାୟମାନ ଥିଲେ । ତଦନୁରୂପ ମେଳା ପଡ଼ିଆର ଅନେକ ସ୍ଥାନରେ ଆମର ପୌରାଣିକ, ଶିକ୍ଷଣୀୟ ଉପାଖ୍ୟାନ ଉପରେ ପର୍ଯ୍ୟବେଶିତ ଜୀବନ୍ତ ରୂପକଳ୍ପ ମଧ୍ୟ ଆଗନ୍ତୁକଙ୍କୁ ସାମାଜିକ ଚରିତ୍ର ଭାବରେ ସୁନ୍ଦର ଶିକ୍ଷା ଦେଉଥିଲା  । ଗୋଟିଏ ସ୍ଥାନରେ ଶ୍ରବଣ କୁମାର ଓ ତାଙ୍କ ମାତୃ-ପିତୃ  ପ୍ରେମର ପ୍ରତିକୃତି ସମସ୍ତଙ୍କୁ ପୁରାଣ ମନସ୍କ କରିଦିଏ କହିଲେ ଅତ୍ୟୁକ୍ତି ହେବ  ନାହିଁ । ନାନାଦି ଦିଗରେ ସେବାରତ ଥିବା ଦେଶର ବହୁ ସେବା ସଂସ୍ଥାଗୁଡ଼ିକ, ମେଳାରେ ନିଜ ନିଜ ସେବା କାର୍ଯ୍ୟକୁ ପ୍ରଦର୍ଶିତ କରାଉଥିବାର ଅପୂର୍ବ ଅନୁଭବ ବାସ୍ତବିକ ନିଆରା ଥିଲା । ୨୦ତାରିଖରେ ବହୁ ସଂଖ୍ୟାରେ ମେଳା ଭ୍ରମଣକାରୀ ଓ ଦର୍ଶକବୃନ୍ଦ, ୨୭ନମ୍ବର ଷ୍ଟଲରେ, ସତ୍ୟନଗର ଲେଡିଜ ଫୋରମ, ଲାୟନ୍ସ କ୍ଲବ ଓ ଆପୋଲୋ ହାସପାତାଳର ମିଳିତ ଆନୁକୂଲ୍ୟରେ ନିଃଶୁଳ୍କ ରକ୍ତ ଶର୍କରା ଓ ରକ୍ତଚାପ ପରୀକ୍ଷଣ ଏବଂ ଭୁବନେଶ୍ୱର ଆପୋଲୋ ହସପାତାଳର ଭେଷଜ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶର ସୁଯୋଗ ଲାଭ କରିଥିଲେ । ଏହି ଷ୍ଟଲରେ ୨୧ତାରିଖରେ ଫିଜିଓ ଥେରାପି ଓ ୨୨ତାରିଖରେ ଅଭିଜ୍ଞ ବିଶେଷଜ୍ଞଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷାର ସୁବିଧା ଉପଲବ୍ଧ ହୋଇଥିଲା । ଇସ୍କନ, ରୁଦ୍ର ଶକ୍ତି ଇତ୍ୟାଦି ବହୁ ହିନ୍ଦୁ ଆଧ୍ୟାତ୍ମିକ ସଂସ୍ଥାମାନେ ବିିଭିନ୍ନ ଷ୍ଟଲରେ ସେମାନଙ୍କ ସେବା କାର୍ଯ୍ୟ ପ୍ରଦର୍ଶିତ କରିଥିଲେ | ସେହିପରି ଦୂରଦୂରାନ୍ତରୁ ଆସି ମେଳାରେ ଭାଗ ନେଇଥିବା ଅନେକ ଆୟୁର୍ବେଦିକ ଚିକିତ୍ସା ସଂସ୍ଥା ମଧ୍ୟ ସେମାନଙ୍କ ଦ୍ୱାରା ହର୍ବାଲ ଔଷଧାଦିର ପ୍ରଦର୍ଶନ ଓ ବିକ୍ରୟ କରୁଥିବାର ଦେଖାଯାଉଥିଲା । ଗୁରୁବାର ସକାଳ ସଭାପତି ମନୋରଂଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଆଚାର୍ଯ୍ୟ ବନ୍ଦ କାର୍ଯ୍ୟକ୍ରମରେ ପଣ୍ଡିତ ବିଶ୍ୱନାଥ ରତଙ୍କ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ୫୦୦ ଶିକ୍ଷକ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୂଜିତ ହୋଇଥିଲେ । କାର୍ଯ୍ୟକ୍ରମଟି ଚକ୍ରଧର ତ୍ରିପାଠୀ  ସଂଯୋଜିତ ହୋଇଥିଲା  । ହିନ୍ଦୁ ସେବା ମେଳାରେ ଅଖିଳ ଭାରତୀୟ ସହ ସେବା ପ୍ରମୁଖ ଗୁଣୱନ୍ତ ସିଂହ କୋଠରୀ, ବିହାରସ୍ଥିତ ରାଜେନ୍ଦ୍ରପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କୁଳାଧିପତି, ପ୍ରଫେସର ଇଂ ପ୍ରଫୁଲ୍ଲ ମିଶ୍ର ଓ ତ୍ରିପୁରା   ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ଆଦିତ୍ୟ ମହାନ୍ତି ଏଥିରେ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଆଧ୍ୟାତ୍ମିକତା ସମ୍ପର୍କରେ ସାରଗର୍ଭକ ବକ୍ତୃତା ଦେଇଥିଲେ । ଉଦଯାପନୀ ଦିବସ ଅର୍ଥାତ୍ ଶୁକ୍ରବାର ସକାଳ ଛୋଟ ପିଲା ମାନଙ୍କ ଦ୍ୱାରା ମେଳାସ୍ଥଳରେ ଯୋଗ, ପ୍ରାଣାୟମ ପ୍ରଦର୍ଶନ ପରେ ପରେ ସମାଜର ବହୁ ଲବ୍ଧ ପ୍ରତିଷ୍ଠିତ  ବିଶେଷଙ୍କୁ ମେଳା କମିଟିରେ କାର୍ଯ୍ୟକାରୀ ଅଧ୍ୟକ୍ଷ, ମୁରଲୀ ମନୋହର ଶର୍ମା ମୁଖ୍ୟ ମଂଚରେ ସମ୍ମାନିତ କରିଥିଲେ ।  ପୂର୍ବାହ୍ନରେ ଚିତାକର୍ଷକ ପିରାମିଡ଼୍ ପ୍ରଦର୍ଶିତ ହୋଇଥିଲା  । ପରେ ପରେ ପରମବୀର-ବନ୍ଦନା କାର୍ଯ୍ୟକ୍ରମରେ ସର୍ବୋଚ୍ଚ ସେନା ପୁରସ୍କାର ପ୍ରାପ୍ତ, ଭାରତମାତାର ସୁଯୋଗ୍ୟ ସନ୍ତାନମାନଙ୍କୁ ପୂଜନର କାର୍ଯ୍ୟକ୍ରମ ଅନୁଷ୍ଠିତ  ହୋଇଥିଲା । ପାରବାରିକ ଓ ସାମାଜିକ ମୂଲ୍ୟବୋଧର ସୂଚକ ସ୍ୱରୂପ ମାତୃ-ପିତୃ ପୂଜନ କାର୍ଯ୍ୟକ୍ରମରେ ସନ୍ଧ୍ୟାରେ ଅନୁ୍ୟନ ୮୦୦ ପରିବାରରର ଚାରିପୀଢି ବରିଷ୍ଠମାନଙ୍କୁ ସେମାନଙ୍କ ସନ୍ତାନମାନଙ୍କ ଦ୍ୱାରା ପୂଜିତ କରାଯିବା ପରେ ମେଳା ସମାରୋହ ହୋଇଥିଲା । ବିଶିଷ୍ଟ ସନ୍ଥ ସ୍ୱାମୀ ଶଙ୍କରାନନ୍ଦ ଜୀ ଗିରି ମହାରାଜ, ଆଜିର ପିତୃ-ମାତୃ ପୂଜନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବରୁ ଫାଉଣ୍ଡେସନ ଦ୍ୱାରା ବିଭିନ୍ନ ଶିକ୍ଷାନୁଷ୍ଠାନ  ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ  ହୋଇଯାଇଥିବା କ୍ରୀଡ଼ା, ସଙ୍ଗୀତ, ନୃତ୍ୟ, ଏକାଙ୍କିକା, କୌତୁକ ବେଶ, ନୃତ୍ୟନାଟିକା, ରାମଚରିତ ମାନସ, ଚୌପାୟୀ, ଭାଗବତ, ତର୍କ, ରଚନା ଲିଖନ, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, ଶ୍ଳୋକ, ଆବୃତି, ଭୂ ଅଳଙ୍କଗଣ ଓ ଝୋଟି ଇତ୍ୟାଦି ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁରସ୍କାର ବଂଟନ କରାଯାଇଥିଲା । ଚାରିଦିନଯାକ, ପ୍ରତି ସନ୍ଧ୍ୟାରେ, ରାଜ୍ୟର କୋଣ ଅନୁକୋଣରୁ ଆସିଥିବା କଳାକାରଙ୍କ ଦ୍ୱାରା ମନୋରଂଜନ କାର୍ଯ୍ୟକ୍ରମ ଉପଭୋଗ୍ୟ ହୋଇଥିଲା । ଗତ ୧୨ତାରିଖରେ ଓୟୁଏଟି ପଡ଼ିଆରେ ଫାଉଣ୍ଡେସନର ଦ୍ୱିତୀୟ ଭଏସ୍ ଅଫ୍ ୟୁନିଟୀ କାର୍ଯ୍ୟକ୍ରମଟି ଛାତ୍ରଛାତ୍ରୀ, ଅଭିଭାବକ, ଗୁରୁଜୀ, ଗୁରୁମା’ ତଥା ସାମ୍ବାଦିକ ବନ୍ଧୁମାନଙ୍କର ଅକୁଣ୍ଠ ସହଯୋଗ ଯୋଗୁ ବିଫଳ ହୋଇପାରିଥିଲା ବୋଲି ଆଇଏମସିଟି ଫାଉଣ୍ଡେସନର ରାଜ୍ୟ ସାଧାରଣ ସମ୍ପାଦକ, ଦେବ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତି  । ପ୍ରାୟ ୫୦ହଜାର ଛାତ୍ରଛାତ୍ରୀଙ୍କ ଦ୍ୱାରା ସମବେତ କଣ୍ଠରେ ବନେ୍ଦ ମାତରଂ ଗାନ ଓ ମେଜର ଜେନେରାଲ୍ ଗଗନଦୀପ୍ ବକ୍ସିଙ୍କ ଶିହରଣକାରୀ ଓ ବକ୍ତୃତା ଉକ୍ତ କାର୍ଯ୍ୟକ୍ରମଟିକୁ ଚିର ସ୍ମରଣୀୟ ରଖିବ ବୋଲି ଶ୍ରୀ ମିଶ୍ର କହିଥିଲେ  । ହିନ୍ଦୁ ଆଧ୍ୟାତ୍ମିକ ଓ ସେବା ମେଳାର ଅଖିଳ ଭାରତୀୟ ସେବା ପ୍ରମୁଖ, ଗୁଣୱନ୍ତ  ସିଂ କୋଠରୀ, ରାଜ୍ୟ ଅଧ୍ୟକ୍ଷ, ମନୋରଂଜନ ମହାପାତ୍ର, ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ, ମୁରଲୀ ମନୋହର ଶର୍ମା ତଥା ସାଧାରଣ ସମ୍ପାଦକ, ଅନୀଲ ଧୀର୍ ସମସ୍ତ ଅତିଥି, ଯୋଗଦାନକାରୀ ଓ ଭୁବନେଶ୍ୱରର ସମସ୍ତ ଗଣମାଧ୍ୟମ ପ୍ରତିନିଧିବୃନ୍ଦଙ୍କୁ ସାଧୁବାଦ ଜ୍ଞାପନ କରିଛନ୍ତି  ।

 

0
0
0
s2sdefault