ବର୍ଷ ପରେ ବର୍ଷ ଆନ୍ଦୋଳନ ପରେ ନ୍ୟାୟ ମିଳିବାର ରାସ୍ତା ଫିଟିଲା
ଯାଯାବର ହୋଇ ବୁଲୁଥିଲେ,ସରକାରୀ ଯୋଜନାରୁ ହେଉଥିଲେ ବଂଚିତ
୩୨ ବର୍ଷର ସଂଗ୍ରାମ ପରେ ନ୍ୟାୟ ପାଇଲେ ପାଇଲେ ୭୬ ଆଦିବାସୀ ପରିବାର
ବାରିପଦାରୁ ଜିଲ୍ଲା ପ୍ରତିନିଧି ଦିଲ୍ଲୀପ ମହାନ୍ତି : ଶେଷରେ ଭାରତ ବର୍ଷରେ ଚାଲି ଆସୁଥିବା ଗଣତନ୍ତ୍ର ବ୍ୟବସ୍ଥା ସମ୍ମୁଖରେ ହାର ମାନିଲା ମୟୂରଭଞ୍ଜ ଜିଲା ପ୍ରଶାସନର ଅମଲାତନ୍ତ୍ର ଶାସନ ବ୍ୟବସ୍ଥା । ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରୁ ବିସ୍ଥାପିତ ହୋଇଥିବା ଜମୁନାଗଡ଼ ରାଜସ୍ୱ ଗ୍ରାମବାସୀମାନଙ୍କୁ ଦୀର୍ଘ ୯ ବର୍ଷର ଆନ୍ଦୋଳନ ପରେ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ ନ୍ୟାୟ ତଥା ନିଜର ହକ୍ ପାଇବା ପାଇଁ ରାସ୍ତା ଫିଟିଲା । ନ୍ୟାୟପାଳିକା, ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ମୁଖ୍ୟତଃ ତିନୋଟି ସ୍ତମ୍ଭ ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ସୁଦୃଢ଼ ଖମ୍ବ ଭାବେ ଧରି ରଖିଆସୁଥିବା ବେଳେ ଗଣମାଧ୍ୟମ ଚତୃର୍ଥ ସ୍ତମ୍ଭ ଭାବେ ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ସହାୟତା କରିଥାଏ । ମାତ୍ର ଜମୁନାଗଡ଼ ରାଜସ୍ୱ ଗ୍ରାମବାସୀଙ୍କ କ୍ଷେତ୍ରରେ ଗଣତନ୍ତ୍ରର କାର୍ଯ୍ୟପାଳିକା ସ୍ତମ୍ଭକୁ ସମ୍ଭାଳି ଆସୁଥିବା ଅମଲାତନ୍ତ୍ର ଶାସନ ବ୍ୟବସ୍ଥା ଗଣତନ୍ତ୍ର ଶାସନ ବ୍ୟବସ୍ଥାକୁ ପ୍ରଭାବିତ କରାଇଥିବା ବେଳେ ଗଣମାଧ୍ୟମ ଓ ନ୍ୟାୟପାଳିକା ସମ୍ମୁଖରେ ଅମଲାତନ୍ତ୍ର ଶାସନ ଶେଷରେ ମୁଣ୍ଡ ନୁଆଇଁବାକୁ ବାଧ୍ୟ ହେଲା । ଫଳରେ ଯମୁନାଗଡ଼ ରାଜସ୍ୱ ଗ୍ରାମବାସୀମାନେ ସେମାନଙ୍କର ହକ୍ ଓ ନ୍ୟାର୍ଯ୍ୟ ଦାବି ହାସଲ କରିବାର ରାସ୍ତା ଫିଟିଲା । ମୟୁରଭଞ୍ଜ ଜିଲା ମୁଖିଆ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ ଜମୁନାଗଡ଼ ରାଜସ୍ୱ ଗ୍ରାମରୁ ବିସ୍ଥାପିତ ୬୭ ପରିବାରଙ୍କ ବିଷୟରେ ବିଚାର କରିବାକୁ ଯଶିପୁର ତହସିଲଦାରଙ୍କୁଏକ ଆଦେଶନାମା ଜାରି କଲେ ।
ଶିମିଳିପାଳ ଅଭୟାରଣ୍ୟର ଯମୁନାଗଡ ରାଜସ୍ୱ ଗ୍ରାମ । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାଙ୍କ ଶାସନ ଅମଳରୁ ରାଜସ୍ୱ ଗ୍ରାମଟି ଗଢ଼ି ଉଠିଥିଲା । ୧୯୪୯ ଜାନୁଆରୀ ପହିଲାରେ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ମିଶ୍ରଣ ଓ ମୟୂରଭଞ୍ଜ ଓଡ଼ିଶାର ସ୍ୱତନ୍ତ୍ର ଜିଲା ଭାବେ ଶାସିତ ହୋଇଆସୁଥିବା ବେଳେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରୁ ଏହି ଯମୁନାଗଡ଼ବାସୀଙ୍କୁ ୧୯୮୬ ମସିହାରୁ ବିସ୍ଥାପିତ କରାଗଲା । ମାତ୍ର ଗଣତନ୍ତ୍ର ଶାସନ ବ୍ୟବସ୍ଥାର କାର୍ଯ୍ୟପାଳିକା ସ୍ତମ୍ଭକୁ ସମ୍ଭାଳି ଆସୁଥିବା ଅମଲାତନ୍ତ୍ର ଶାସନ ସେମାନଙ୍କୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ କୌଣସି ସୁବିଧା ସୁଯୋଗ ଯୋଗାଇ ଦେଇପାରିଲା ନାହିଁ । ଏହାକୁ ନେଇ ବାରମ୍ବାର ଯମୁନାଗଡ଼ର ବିସ୍ଥାପିତ ୬୭ ପରିବାର ପକ୍ଷରୁ ଆନ୍ଦୋଳନ ଓ ବିକ୍ଷୋଭ ମୁଣ୍ଡ ଟେକି ଉଠି ଥିବା ସାଙ୍ଗକୁ ଗଣମାଧ୍ୟମରେ ବିଭିନ୍ନ ସମୟରେ ଖବର ପ୍ରକାଶିତ ହୋଇଆସୁଥିଲେ ମଧ୍ୟ ଏହା ଜିଲ୍ଲା ପ୍ରଶାସନ ସହିତ ଓଡ଼ିଶା ସରକାରଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିଲା ନାହିଁ । ଅଥଚ ଯମୁନାଗଡ଼ବାସୀଙ୍କ କଟା ଘାରେ ଚୁନ ଲେପିବା ଭଳି ଯମୁନାଗଡ଼ର ମୂଳବାସିନ୍ଦାମାନଙ୍କୁ କ୍ଷତି ପୂରଣ ସହାୟତା ଦେବା ପରିବର୍ତ୍ତେ କିଛି ଘୁସବୈଠି ଲୋକମାନଙ୍କୁ ଯମୁନାଗଡ଼ ରାଜସ୍ୱ ଗ୍ରାମର ଅଧିବାସୀ ଭାବେ ଦର୍ଶାଇ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ ଘର ଡ଼ିହ ସହିତ କ୍ଷତି ପୂରଣ ସହାୟତା ବାବଦକୁ ଲକ୍ଷାଧିକ ଟଙ୍କା ପ୍ରଦାନ କରାଗଲା ।
ଯମୁନାଗଡ଼ର ମୂଳ ବାସୀନ୍ଦାମାନଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ଓ ହକ୍ ପ୍ରଦାନ ନିମନ୍ତେ ସମାଜସେବୀ ତଥା ଜିଲା ଲିଗାଲ ଏଡ଼ ସେଲର ବାରିପଦା ରିଟେନର ଆଇନଜୀବୀ ସୁଶୀଲ କୁମାର ପାତ୍ର ଗତ ୨୦୧୨ରେ ଲୋକପାଳର ଦ୍ୱାରସ୍ଥ ହୋଇଥିଲେ । ଲୋକପାଳରେ ଏଲଏ(ୱାୟ) ୫୨/୨୦୧୨ରେ ମାମଲା ରୁଜୁ ହୋଇ ବିଚାର ପାଇଁ ଗ୍ରହଣ କରିବା ସହିତ ଜିଲ୍ଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ସ୍ଥାନୀୟ ତହସିଲଦାରଙ୍କୁ ମଧ୍ୟ ରିପୋର୍ଟ ଦେବାକୁ ତଲବ କରିଥିଲେ । ସମସ୍ତ ରିପୋର୍ଟକୁ ଭିତ୍ତି କରି ଲୋକପାଳ ଜିଲ୍ଲାପାଳଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ୨୦୧୩ ନଭେମ୍ବର ୨୬ ତାରିଖରେ ତହସିଲଦାର ଯଶିପୁରଙ୍କ ପତ୍ରସଂଖ୍ୟା ୨୫୨୧ ମାଧ୍ୟମରେ ଲୋକପାଳଠାରେ ଦାଖଲ କରାଯାଇଥିବା ରିପୋର୍ଟ ମୁତାବକ ଜମୁନାଗଡରୁ ମାଣଦା ଓ କପାଣ୍ଡରେ ବିସ୍ଥାପିତ କରାଯାଇଥିବା ୬୭ ଗ୍ରାମବାସୀ ବାସହରା ଥିବା ପରିପ୍ରେକ୍ଷୀରେ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଓ ଓ.ଜି.ଏଲ.ଏସ. ଧାରା ୧୯୬୨ ମୁତାବକ ଯମୁନାଗଡ଼ବାସୀଙ୍କୁ ଘରଡିହ ଜମି ପ୍ରଦାନ କରିବାକୁ ୨୦/୦୧/୨୦୧୫ ମଙ୍ଗଳବାର ନିଦେ୍ର୍ଧଶ ଦେଇଥିଲେ ତକ୍ରାଳୀନ ମୟୂରଭଞ୍ଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ । ଏଥି ନିମନ୍ତେ ଯଶୀପୁର ତହସିଲଦାରଙ୍କୁ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ କରିବା ନିମନ୍ତେ ଜିଲାପାଳଙ୍କ କାର୍ଯ୍ୟାଳୟରୁ ପତ୍ର ଲେଖା ଯାଇଥିଲା । ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଲା ପରେ ଜମୁନାଗଡ ବାସୀଙ୍କ ମୁହଁରେ ହସ ଫୁଟି ଉଠି ଥିଲା । ଆଦିବାସୀମାନଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ଲଢେଇ କରିଆସୁଥିବା ଆଇନଜୀବୀ ତଥା ସମାଜସେବୀ ସୁଶୀଲ ପାତ୍ର ମଧ୍ୟ ନିଜକୁ ଆସ୍ୱସ୍ତ ଅନୁଭବ କରିଥିଲେ । ବାସହରା ଭାବେ ଯାଯାବର ଜୀବନ ବିତାଉଥିବା ଜମୁନାଗଡ଼ବାସୀ ନିଜର ହକ୍ ଓ ସମାଜରେ ଜଣେ ଭାରତୀୟ ନାଗରିକ ଭାବରେ ବଞ୍ଚିରହିବା ପାଇଁ ଚଳାଇ ଥିବା ମୁକ୍ତି ଆଂଦୋଳନ ପୂର୍ଣ୍ଣଚ୍ଛେଦ ପଡ଼ିଲା ବୋଲି ଧରି ନେଇଥିଲେ । ତହସିଲଦାର ଯମୁନାଗଡ଼ରୁ ମୟୂରଭଞ୍ଜ ଜିଲା ପ୍ରଶାସନ ଦ୍ୱାରା ବିସ୍ଥାପିତ ହୋଇଥିବା ପରିବାରକୁ ଚିହ୍ନଟ କରିବା ସଂଗେ ସଂଗେ ସେମାନଙ୍କୁ ଥଇଥାନ କରାଇବା ଉଦ୍ଦେଶ୍ୟରେ ଡ଼ାକି ଜମି ଚିହ୍ନଟ କରାଇ ଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସବୁ କିଛି ଓଲଟ ପାଲଟ ହୋଇ ଗଲା । ଯମୁନାଗଡ଼ବାସୀ ଯେଉଁ ଯାଯାବର ଭାବେ ଜୀବନ ବିତାଉ ଥିଲେ ଠିକ୍ ସେହି ଯାଯାବର ଭାବେ ରହି ଗଲେ । ଓଡ଼ିଶାରେ ସ୍ୱଚ୍ଛ ନିର୍ମଳ ଶାସନର ଡ଼ିଣ୍ଡିମ ବାଜୁ ଥିବା ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ନିକଟରେ ମୟୂରଭଞ୍ଜ ଜିଲା ପ୍ରଶାସନ ଦ୍ୱାରା ଯମୁନାଗଡ଼ରୁ ବିତାଡ଼ିତ ହୋଇ ଥିବା ୬୭ ପରିବାରର କରୁଣ ଚିକ୍ରାର ଅପହଁଞ୍ଚ ହୋଇ ରହିଗଲା । ମୟୂରଭଞ୍ଜ ଜିଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଦ୍ୱାରା ଅନ୍ୟାୟ ଓ ଅତ୍ୟାଚାରର ଶିକାର ହୋଇ ଯାଯାବର ଜୀବନ ବିତାଇ ନିଜର ମୌଳିକ ସୁବିଧା ସୁଯୋଗରୁ ସବୁଦିନ ନିମନ୍ତେ ବଞ୍ଚିିତ ହୋଇ ଆସୁଥିବା ଯମୁନାଗଡ଼ ରାଜସ୍ୱ ଗ୍ରାମର ମୂଳବାସିନ୍ଦାଙ୍କ କରୁଣ କାହାଣୀ ଗଣତନ୍ତ୍ର ବ୍ୟବସ୍ଥାର ବ୍ୟବସ୍ଥାପିକା ସ୍ତମ୍ଭ ଯଥା ବିଧାନସଭା, ପାର୍ଲିଆମେଣ୍ଟ ଓ ନିର୍ବାଚିତ ଲୋକପ୍ରତିନିଧିମାନଙ୍କ ନିକଟରେ ଅଦ୍ୟାବଧି ଅପହଞ୍ଚ ହୋଇ ରହିଗଲା । ସେହିପରି ଜାତୀୟ ମାନବିକ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ ହୋଇଥିଲେ ମଧ୍ୟ କମିଶନ ଯମୁନାଗଡ଼ର ୬୭ ପରିବାରଙ୍କ ଶତାଧିକ ଜନସାଧାରଣଙ୍କ କରୁଣ ଦୁଃଖ କାହାଣୀକୁ ଗୁରୁତ୍ୱାରୋପ କରି ନ ଥିଲୋ କେବଳ କେତେକ ଗଣମାଧ୍ୟମର ପ୍ରତିନିଧି, ଆଇନଜୀବୀ ସୁଶୀଳ ପାତ୍ର ଓ ଯମୁନାଗଡ଼ବାସୀଙ୍କ ମଧ୍ୟରେ ଏହି ଆନ୍ଦୋଳନ ସୀମିତ ରହିଗଲା । ଶେଷରେ ଆଇନଜୀବୀ ଶ୍ରୀପାତ୍ର ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ମୟୂରଭଞ୍ଜ ଜିଲାପାଳଙ୍କୁ ପକ୍ଷଭୁକ୍ତ କରାଇ ଡ଼ବ୍ଲୁ୍ୟପିସି ୨୦୬୨୫/୨୦୧୭ରେ ଏକ ରିଟ ଆବେଦନ ଦାଖଲ କରିଥିଲେ ଏବଂ ନ୍ୟାୟାଳୟ ପକ୍ଷରୁ ମୟୂରଭଞ୍ଜ ଜିଲାପାଳଙ୍କୁ ଯମୁନାଗଡ଼ରୁ ବିସ୍ଥାପିତ ହୋଇଥିବା ୬୭ ଭୂମିହୀନ ହୋଇ ଯାଯାବର ଭାବେ ଜୀବନ ବିତାଉଥିବା ୬୭ ପରିବାରଙ୍କୁ ଯଥା ଶୀଘ୍ର ଥଇଥାନ କରାଇବା ନିମନ୍ତେ ନିର୍ଦ୍ଦେଶ ଆସିବା ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଦେଶନାମାକୁ କାର୍ଯ୍ୟକାରୀ କରାଯିବା ପାଇଁ ଯଶିପୁର ତହସିଲଦାରଙ୍କୁ ପତ୍ର ସଂଖ୍ୟା ୬୫୬/୦୬.୧୨.୨୦୧୭ରେ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ଏଥିରେ ଯଶିପୁର ତହସିଲଦାର କଣ ପଦକ୍ଷେପ ଗ୍ରହଣ କଲେ ସେ ସମ୍ପର୍କରେ ସବିଶେଷ ତଥ୍ୟ ଜିଲାପାଳଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ କାର୍ଯ୍ୟରେ ତାଙ୍କ ବିରୋଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ଦର୍ଶାଯାଇଥିବାର ଜଣାପଡ଼ିଛି । ଫଳରେ ଯମୁନାଗଡ଼ରୁ ବିସ୍ଥାପିତ ୬୭ ପରିବାରର ଶତାଧିକ ଜନତା ଚଳାଇଆସୁଥିବା ଆନ୍ଦୋଳନ ନିର୍ନାୟକ ମୋଡ଼ରେ ପହଁଞ୍ଚିଥିବାର ଆଶା ସଞ୍ଚାରିତ ହୋଇଛି ।
ଏବିଷୟରେ ଯମୁନାଗଡ଼ ବିସ୍ଥାପିତ ମଞ୍ଚର ସଭାପତି ପ୍ରଫୁଲ୍ଲ ପାତ୍ର ନିଜ ପ୍ରତିକ୍ରିୟାରେ ଅମଲାତନ୍ତ୍ର ଶାସନ ଉପରେ ଗଣତନ୍ତ୍ର ବ୍ୟବସ୍ଥାର ବିଜୟ ବୋଲି କହିଛନ୍ତି । ଏଥି ସହିତ ଦୀର୍ଘ ୩୨ ବର୍ଷର ସଂଗ୍ରାମ ପରେ ଆଜି ଏହି ସଫଳତା ମିଳିବାକୁ ଯାଉଛି । ମୟୂରଭଞ୍ଜରେ ଅମଲାତନ୍ତ୍ର ଶାସନ ବ୍ୟବସ୍ଥାରେ ସେମାନଙ୍କୁ ନ୍ୟାର୍ଯ୍ୟ ଦାବି ଓ ହକ୍ ମିଳିବା କ୍ଷେତ୍ରରେ ଯେଉଁ ଅବିଚାର ଓ ଅତ୍ୟାଚାରର ଶିକାର ହୋଇଛନ୍ତି, ସେଥିରେ ସେମାନେ ବହୁତ କିଛି ହରାଇ ବସିଛନ୍ତି । ତାହାର ଆକଳନ କରିବା ସମ୍ପୂର୍ଣ୍ଣ ଭାବେ ଅସମ୍ଭବ । ଯମୁନାଗଡ଼ ରାଜସ୍ୱ ଗ୍ରାମରୁ ବିସ୍ଥାପିତ ୬୭ ପରିବାର ମୁଖ୍ୟତଃ କୋହ୍ଲ, ହୋ, ପାତ୍ର, ଖଡ଼ିଆ, ମାଙ୍କଡ଼ିଆ ଆଦି ସମ୍ପ୍ରଦାୟର । ସେମାନଙ୍କୁ ଦୀର୍ଘ ୩୨ ବର୍ଷ ଧରି ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରି ଲୋକାଭିମୁଖୀ ଯୋଜନା ମାଧ୍ୟମରେ ଉପଲବ୍ଧ ସୁବିଧାସୁଯୋଗରୁ ବଞ୍ଚିତ କରାଯାଇଛି । ଯାଯାବର ଜୀବନଯାପନ କରିଆସୁଥବା ଫଳରେ ସମାନଙ୍କ ସନ୍ତାନସନ୍ତତିମାନେ ଶିକ୍ଷା ଲାଭରୁ ବଞ୍ଚିତ ହୋଇଛନ୍ତି । ସମୋନେ ଅମଲାମାନଙ୍କ ଚକ୍ରାନ୍ତର ଶିକାର ପାଲଟି ଯାଇଥିଲେ । ତେଣୁ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଅତ୍ୟାଚାରର ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ସେହିପରି ଯମୁନାଗଡ଼ ରାଜସ୍ୱ ଗ୍ରାମରୁ ବିସ୍ଥାପିତ ୬୭ ପରିବାରଙ୍କୁ ନ୍ୟାୟ ପ୍ରଦାନ ନିମନ୍ତେ ସଂଗ୍ରାମ ଚଳାଇ ଆସିଥିବା ଆଇନଜୀବୀ ସୁଶୀଳ ପାତ୍ର କୁହନ୍ତି, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କାର୍ଯ୍ୟାଳୟ ମୟୂରଭଞ୍ଜଙ୍କ ଖାମଖିଆଲି ଓ ସ୍ୱେଚ୍ଛାଚାରୀ ନୀତି ଏଥି ନିମନ୍ତେ ଦାୟୀ । ଯମୁନାଗଡ଼ ରାଜସ୍ୱ ଗ୍ରାମବାସୀଙ୍କ ଜମିର ପଟ୍ଟା ରଦ୍ଦ କରିବା ପରେ ସେମାନଙ୍କୁ କେଉଁ କାରଣରୁ ସରକାରଙ୍କର ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ ପ୍ରାପ୍ୟ ପ୍ରଦାନ କରାଗଲା ନାହିଁ । ଏଥି ସହିତ ଯମୁନାଗଡ଼ର ମୂଳବାସୀନ୍ଦାମାନଙ୍କୁ ବାଦ ଦେଇ ଯଶିପୁରର କପଣ୍ଡ ଓ ବାହୁବନ୍ଧର ନାବରା କଲୋନୀରେ ଯେଉଁ ପରିବାରଙ୍କୁ ସରକାରଙ୍କର ଥଇଥାନ ଓ ବିସ୍ଥାପନ ନୀତି ଅନୁସାରେ ଥଇଥାନ କରାଗଲା ସେମାନେ କିଏ ଏବଂ ଆସିଲେ କେଉଁଠାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଯମୁନାଗଡ଼ ରାଜସ୍ୱ ଗ୍ରାମର ମୂଳବାସିନ୍ଦାମାନଙ୍କୁ ଗୋଟାଏ ଫଟା କଉଡ଼ି ମିଳିପାରି ନ ଥିବା ବେଳେ ଘୁସବୈଠିମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ରାଜକୋଷରୁ କିପରି ଓ କେଉଁ ନ୍ୟାୟରେ ମିଳିପାରିଲା । ଏହା ଏକ ବିରାଟ ଘୋଟାଲା ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତେଣୁ ଏହାର ତଦନ୍ତ ଭାର କ୍ରାଇବ୍ରାଞ୍ଚ ହାତକୁ ଦିଆଗଲେ ପ୍ରକୃତ ସତ୍ୟ ଉନ୍ମୋଚିତ ହୋଇପାରିବ ଏବଂ ଦୋଷୀ ଦଣ୍ଡ ପାଇପାରିବ ବୋଲି ଶ୍ରୀପାତ୍ର କହିଛନ୍ତି ।