ହେଡଲାଇନସ୍:

ଦିବ୍ୟାଙ୍ଗଙ୍କ ସର୍ବାଙ୍ଗିନ ବିକାଶ ଓ ପ୍ରତିଭାର ଉନ୍ମେଷ ସମସ୍ତଙ୍କର ଧେୟ ହେଉ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯାଜପୁରରୁ ଜିଲ୍ଲା ପ୍ରତିନିଧି ଜୟଶଙ୍କର ଦାଶ: ଶରୀରରେ ଦେଖାଯାଉଥିବା ଭିନ୍ନକ୍ଷମତା ଅପେକ୍ଷା ମାନସିକତାରେ ଲୁଚି ରହିଥିବା ଭିନ୍ନକ୍ଷମତା ଅତ୍ୟନ୍ତ ଭୟଙ୍କର । ଏହା ସମାଜକୁ ଦୁର୍ବଳ ଓ ରୁଗ୍ଣ କରିପକାଏ । ତେଣୁ ପ୍ରତ୍ୟେକ ଏହି ରୁଗ୍ଣ ମାନସିକତାକୁ ପରିହାର କରି ଏକ ଶ୍ରେଷ୍ଠ  ସମାଜ ଗଠନରେ ସହାୟକ ହେବାକୁ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଆହ୍ୱାନ ଦେଇଛନ୍ତି । ଗୌତମବୁଦ୍ଧ ସଂସ୍କୃତି ଭବନଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସର୍ବଶିକ୍ଷା ଅଭିଯାନ ଓ ସାମାଜିକ ସୁରକ୍ଷା ବିଭାଗର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଆର୍ନ୍ତଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପଜିଲ୍ଲାପାଳ ଶ୍ରୀ ଧଳ ସରକାର ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ବୋଲି କହିଥିଲେ । ଭତ୍ତା, ଗୃହ ନିର୍ମାଣ, ଚାକିରୀରେ ସଂରକ୍ଷଣ, ଅନ୍ୟାନ୍ୟ କ୍ଷେତ୍ରରେ ସଂରକ୍ଷଣ, ଯାତାୟାତ କ୍ଷେତ୍ରରେ ରିହାତି, ଛାତ୍ରବୃତ୍ତି ଓ ଛାତ୍ରଙ୍କୁ ସହାୟତା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ସହାୟତା ପ୍ରଦାନ କରିବାରେ ବ୍ୟବସ୍ଥା କରିଛନ୍ତି । ତେବେ ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଉପଯୁକ୍ତ ଆନ୍ତରିକତା, ପ୍ରତିବଦ୍ଧତା, ସମବେଦନା ଓ ପ୍ରୋତ୍ସାହନ ହିଁ ଏହାକୁ ସଫଳ କରିପାରିବ । ଦିବ୍ୟାଙ୍ଗମାନେ ନିଜକୁ ଅସହାୟ ବୋଲି ନ ଭାବି ସେମାନଙ୍କର ଦକ୍ଷତାକୁ ପ୍ରତିପାଦିତ କରିବା ଓ ସେମାନଙ୍କର ସମସ୍ୟାକୁ ପ୍ରଶାସନର ଦୃଷ୍ଟିକୁ ଆଣିବାକୁ ଅନୁରୋଧ କରିଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦକ ରାଜେଶ ନାୟାର ୧୯୯୨ ମସିହାଠାରୁ ଏହି ଦିବସକୁ ପାଳନ କରାଯାଇ ଆସୁଥିବାବେଳେ ୧୯୯୫ ମସିହାଠାରୁ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର, ସୁରକ୍ଷା ପାଇଁ ଆଇନ ପ୍ରଣୟନ କରାଯାଇଛି ବୋଲି କହିଥିଲେ । ବିଶ୍ୱରେ ୧୪ ଭାଗ ଓ ଆମ ଦେଶରେ ଶତକଡ଼ା ୧୦ ଭାଗ ଦିବ୍ୟାଙ୍ଗ ରହୁଛନ୍ତି । ଜନ୍ମରୁ ହେଉ ବା ବିଭିନ୍ନ ଦୁର୍ଘଟଣା ଓ ଅନ୍ୟାନ୍ୟ କାରଣରୁ ଯେଉଁଭଳି ଭାବେ ଭିନ୍ନକ୍ଷମତା ବୃଦ୍ଧି ପାଉଛି ତାହା ୨୦୨୫ ବେଳକୁ ଦୁଇଗୁଣ ହୋଇସାରିଥିବ ବୋଲି ସେ କହିବା ସହ ଦିବ୍ୟାଙ୍ଗଙ୍କ ପାଇଁ ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ସୂଚନା ଦେଇ ସେମାନେ ଯେ ଏକା ନୁହଁନ୍ତି ବରଂ ସମ୍ପୂର୍ଣ୍ଣ ବ୍ୟବସ୍ଥା ହିଁ ସେମାନଙ୍କ ପାଇଁ ଅପେକ୍ଷା କରିଛି ବୋଲି ମତ ଦେଇଥିଲେ । ଏସ୍.ଡି.ଜେ.ଏମ୍. ବନାଳୀ ତ୍ରିପାଠୀ, ରେଜିଷ୍ଟାର୍ ସୁଷମା ସ୍ୱାଇଁ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଦିବ୍ୟାଙ୍ଗଙ୍କ ପାଇଁ ଆଇନରେ ଥିବା ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିବା ସହ ପ୍ରତ୍ୟେକ ବ୍ୟକ୍ତିଙ୍କ ମଧ୍ୟରେ କିଛି ନା କିଛି ଭିନ୍ନକ୍ଷମତା ରହିଛି । ମଣିଷର ଚିନ୍ତା ଧାରା ସକରାତ୍ମକ ହେଲେ ଦିବ୍ୟାଙ୍ଗମାନଙ୍କୁ ପ୍ରକୃତ ମର୍ଯ୍ୟଦା ଓ ସମ୍ମାନ ମିଳିପାରିବ ବୋଲି ସେମାନେ ମତ ଦେଇଥିଲେ । ସର୍ବଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିଷ୍ଣୁଚରଣ ସୂତାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତଏହି କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଅତିନ୍ଦ୍ର ଦାସ ଅତିଥିମାନଙ୍କୁ ସ୍ୱାଗତ ଓ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଜିଲ୍ଲାରେ ୭ ପ୍ରକାର ଭିନ୍ନକ୍ଷମତା ଥିବା ୫୪୭୩୦ ଜଣଙ୍କୁ ଚିହ୍ନଟ କରାଯାଇଥିବାବେଳେ ସରକାରଙ୍କର ନୂଆ ଗାଇଡ଼ଲାଇନ ଅନୁସାରେ ବର୍ତ୍ତମାନ ୨୧ ପ୍ରକାର ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଉଛି । ୮୮୯୧ ଜଣଙ୍କୁ ମଧୁବାବୁ ଓ ୪୮୦୯ ଜଣଙ୍କୁ ଇନ୍ଦିରାଗାନ୍ଧୀ ଭିନ୍ନକ୍ଷମ ଭତ୍ତା ଦିଆଯାଉଛି । ଜଣେ ଭିନ୍ନକ୍ଷମ ଅନ୍ୟଜଣେ  ସକ୍ଷମ ବ୍ୟକ୍ତିଙ୍କୁ ବିବାହ କଲେ ପ୍ରୋତ୍ସାହନ ରାଶି ୫୦ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି ବୋଲି ଶ୍ରୀ ଦାସ ସୂଚନା ଦେଇଥିଲେ । ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ, ୩ଜଣ ବ୍ୟକ୍ତିଙ୍କୁ ବିବାହ ସହାୟତା ବାବଦରେ ଦମ୍ପତ୍ତି ପିଛା ୫୦ହଜାର ଟଙ୍କା, ୩ ଚକିଆ ସାଇକେଲ, ଆଶାବାଡ଼ି ଓ ଅନ୍ୟାନ୍ୟ ଉପକରଣ ସହ ଛାତ୍ରଛାତ୍ରୀଙ୍କୁ ବ୍ୟାଗ୍ ଓ ଅନ୍ୟାନ୍ୟ ପାଠ୍ୟ ଉପକରଣ ଅତିଥିମାନେ ପ୍ରଦାନ କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସର୍ବଶିକ୍ଷା ଅଭିଯାନର ଅର୍ନ୍ତନିବେଶୀ ଶିକ୍ଷା ସଂଯୋଜିକା ବନ୍ଦନା ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରତ୍ୟୁଷରୁ ଜନସଚେତନତା ଉଦେ୍ଧଶ୍ୟରେ ଦିବ୍ୟାଙ୍ଗମାନଙ୍କୁ ନେଇ ଏକ ଶୋଭାଯାତ୍ରା ଜିଲ୍ଲାସ୍କୁଲ ପଡ଼ିଆଠାରୁ ସଂସ୍କୃତି ଭବନ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

0
0
0
s2sdefault