ବଡ଼ବିଲ (ଶାସକ ପ୍ରଶାସକ) : ବଡ଼ବିଲ ପୁଲିସ ଏକ ସଂଗଠିତ ଡକାୟତ ଓ ସାଇବର ଠକେଇ ରାକେଟର ପର୍ଦ୍ଦାଫାଶ କରିଛି। ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ମାରଣାସ୍ତ୍ର, ମୋବାଇଲ ଫୋନ, ବ୍ୟାଙ୍କ ପାସବୁକ, ସିମ୍ କାର୍ଡ ଓ ନଗଦ ଟଙ୍କା ଜବତ କରାଯାଇଛି।
ପୁଲିସ ସୂଚନା ଅନୁଯାୟୀ, ବଡ଼ବିଲ ଥାନା କେସ୍ ନଂ–୨୮୬, ତାରିଖ ୦୬.୦୭.୨୦୨୬ରେ ପ୍ରିୟତୋଷ ରଥ ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ ଦର୍ଶାଇଥିଲେ ଯେ, ଗତ ୪ ଜୁନରେ ତାଙ୍କ ଡ୍ରାଇଭର ରାମପୂଜନ ତନ୍ତିଙ୍କୁ ୫ରୁ ୬ ଜଣ ଦୁର୍ବୃତ୍ତ ଖଣ୍ଡା ଓ ଛୁରୀ ଦେଖାଇ ଆକ୍ରମଣ କରି ଏକ ମୋବାଇଲ ଫୋନ ଏବଂ ୧,୫୦୦ ଟଙ୍କା ଲୁଟି ନେଇଥିଲେ। ପରେ ସେହି ମୋବାଇଲରେ ଥିବା ଡିଜିଟାଲ ପେମେଣ୍ଟ ଆପ୍ ବ୍ୟବହାର କରି ବ୍ୟାଙ୍କ ଖାତାରୁ ମୋଟ ୧,୮୬,୫୦୦ ଟଙ୍କା ଉଠା ନିଆଯାଇଥିଲା।
ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ, ବଡ଼ବିଲ ଓ ଯୋଡ଼ା ଅଞ୍ଚଳର ୯ରୁ ୧୦ ଜଣ ଅସାମାଜିକ ବ୍ୟକ୍ତି ଏକ ସଂଗଠିତ ଗ୍ୟାଙ୍ଗ ଗଠନ କରି ଦୀର୍ଘ ଦିନ ଧରି ଚୋରି, ଛିନତାଇ ଓ ଡକାୟତି ଭଳି ଅପରାଧରେ ସମ୍ପୃକ୍ତ ଅଛନ୍ତି। ବିଶେଷକରି ରୋଇଡା ଅଞ୍ଚଳରେ ଟ୍ରକ ପାର୍କିଂ କରି ନିତ୍ୟକର୍ମ ପାଇଁ ବାହାରକୁ ଯାଉଥିବା ଟ୍ରକ ଚାଳକମାନଙ୍କୁ ଏହି ଗ୍ୟାଙ୍ଗ ଟାର୍ଗେଟ କରୁଥିଲା।
ଲୁଟ ହୋଇଥିବା ମୋବାଇଲ ଫୋନଗୁଡ଼ିକୁ ଠାକୁରାଣୀ ଅଞ୍ଚଳର ଚନ୍ଦ୍ରାବତୀ ପାତ୍ରଙ୍କ ନିକଟରେ ବିକ୍ରି କରାଯାଉଥିବା ତଦନ୍ତରୁ ଜଣାପଡ଼ିଛି। ପୁଲିସର କହିବା ଅନୁଯାୟୀ, ସେ ଲୁଟ ହୋଇଥିବା ମୋବାଇଲରେ ଥିବା ଫୋନ ପେ, ଗୁଗଲ ପେ ଆଦି ଆପ୍ ବ୍ୟବହାର କରି ବିଭିନ୍ନ ଖାତାକୁ ଅର୍ଥ ସ୍ଥାନାନ୍ତର କରୁଥିଲେ। ପରେ ଏହି ଅର୍ଥ ଜାମତାରା ଗ୍ୟାଙ୍ଗ ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟକୁ ପଠାଯାଉଥିବା ତଦନ୍ତରୁ ସାମ୍ନାକୁ ଆସିଛି। ଏହି କାରବାର ବଦଳରେ ସେ ୨୦ରୁ ୩୦ ପ୍ରତିଶତ କମିଶନ ପାଉଥିବା ବେଳେ ପ୍ରତ୍ୟେକ ଲୁଟ ହୋଇଥିବା ମୋବାଇଲ ପାଇଁ ଡକାୟତମାନଙ୍କୁ ୫ ହଜାରରୁ ୬ ହଜାର ଟଙ୍କା ପ୍ରଦାନ କରୁଥିବା ପୁଲିସ କହିଛି।
ଚନ୍ଦ୍ରାବତୀ ପାତ୍ରଙ୍କ ଘରେ ଚଢ଼ାଉ ବେଳେ ୮ଟି ମୋବାଇଲ ଫୋନ, ୨୬ଟି ବ୍ୟାଙ୍କ ପାସବୁକ ଏବଂ ୨୮ଟି ସିମ୍ କାର୍ଡ ଜବତ କରାଯାଇଥିଲା।
ଏହାପରେ ୭ ଜୁଲାଇ ଭୋର ସମୟରେ ରୋଇଡା ଅଞ୍ଚଳରେ ଡକାୟତି ଉଦ୍ଦେଶ୍ୟରେ ଏକତ୍ରିତ ହୋଇଥିବା ବେଳେ ୫ ଜଣ ଅଭିଯୁକ୍ତଙ୍କୁ ମାରଣାସ୍ତ୍ର ସହ ପୁଲିସ କାବୁ କରିଥିଲା। ପରବର୍ତ୍ତୀ ସମୟରେ ଚନ୍ଦ୍ରାବତୀ ପାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଥିଲା।
ଗିରଫ ଅଭିଯୁକ୍ତମାନେ ହେଲେ ହଳଧର ନାଏକ, ରୌନକ ପାତ୍ର, ମନୀଷ ତାନ୍ତି, ଆରବାଜ ଖାନ, ସୁଜଲ ପାଲ ଚୌଧୁରୀ ଓ ଚନ୍ଦ୍ରାବତୀ ପାତ୍ର। ସମସ୍ତେ ବଡ଼ବିଲ ଥାନା ଅଞ୍ଚଳର ବାସିନ୍ଦା।
ଅଭିଯୁକ୍ତମାନଙ୍କ ନିକଟରୁ ୩ଟି ତଲୱାର, ଗୋଟିଏ ଛୁରୀ, ୧୨ଟି ଆଣ୍ଡ୍ରଏଡ୍ ମୋବାଇଲ ଫୋନ, ୨୬ଟି ବ୍ୟାଙ୍କ ପାସବୁକ, ୨୮ଟି ସିମ୍ କାର୍ଡ, କଳା ମାସ୍କ ଏବଂ ୩,୩୦୦ ଟଙ୍କା ନଗଦ ଜବତ କରାଯାଇଛି।
ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ବେଳେ ଏହି ଗ୍ୟାଙ୍ଗ ସହ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଓ ଅନ୍ୟ ଜିଲ୍ଲାରେ ଏମାନଙ୍କ ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ଖୋଳତାଡ଼ ଚାଲିଛି।
ରାଜ୍ୟ
ରୋଇଡାରେ ସକ୍ରିୟ ଡକାୟତ ଗ୍ୟାଙ୍ଗ ଠାବ, ୬ ଅଭିଯୁକ୍ତ ଗିରଫ; ମୋବାଇଲ, ପାସବୁକ ଓ ମାରଣାସ୍ତ୍ର ଜବତ
- Hits: 1210








