ହେଡଲାଇନସ୍:

ସ୍ୱତନ୍ତ୍ର ସଘନ ସଂଶୋଧନ–୨୦୨୬ ଅନ୍ତର୍ଗତ ଖସଡ଼ା ଭୋଟର ତାଲିକା ପ୍ରକାଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର, ୦୫.୦୭.୨୦୨୬: ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟବ୍ୟାପୀ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision–SIR), ୨୦୨୬ କାର୍ଯ୍ୟକ୍ରମ ଅନ୍ତର୍ଗତ ଆଜି ନବରଙ୍ଗପୁର ଜିଲ୍ଲାର ଖସଡ଼ା ଭୋଟର ତାଲିକା ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡଃ. ମହେଶ୍ୱର ସ୍ୱାଇଁଙ୍କ ଦ୍ୱାରା ଅଶୋକ ମେହେତା କନଫରେନ୍ସ ହଲ୍‌ଠାରେ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ପ୍ରକାଶ କରାଯାଇଛି। ଜିଲାରେ ମୋଟ ସମୁଦାୟ ୧୧୦୫ ଗୋଟି ବୁଥ ଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି l
ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ନିର୍ଭୁଲ, ଅଦ୍ୟତନ ଓ ସ୍ୱଚ୍ଛ ଭୋଟର ତାଲିକା ଅବାଧ ଓ ନିରପେକ୍ଷ ନିର୍ବାଚନର ମୂଳ ଆଧାର। ତେଣୁ ଯୋଗ୍ୟ ପ୍ରତ୍ୟେକ ନାଗରିକଙ୍କ ନାମ ଭୋଟର ତାଲିକାରେ ସାମିଲ ହେବା ସହିତ ଅଯୋଗ୍ୟ ନାମ ବାଦ ଦେବା ଏବଂ ତ୍ରୁଟିପୂର୍ଣ୍ଣ ତଥ୍ୟର ସଂଶୋଧନ ଏହି ସଂଶୋଧନ କାର୍ଯ୍ୟକ୍ରମର ପ୍ରମୁଖ ଲକ୍ଷ୍ୟ।
ଖସଡ଼ା ଭୋଟର ତାଲିକା ପ୍ରକାଶ ପରେ ତା. ୦୫.୦୭.୨୦୨୬ ରୁ ୦୪.୦୮.୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଗ୍ରହଣ କରାଯିବ। ଯେଉଁ ଯୋଗ୍ୟ ନାଗରିକଙ୍କ ନାମ ତାଲିକାରେ ସାମିଲ ହୋଇନାହିଁ ସେମାନେ ଫର୍ମ–୬ ମାଧ୍ୟମରେ ଆବେଦନ କରିପାରିବେ। ଭୋଟର ତାଲିକାରେ ଥିବା ତଥ୍ୟର ସଂଶୋଧନ ପାଇଁ ଫର୍ମ–୮ ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ବାଦ ଦେବା ପାଇଁ ଫର୍ମ–୭ ଦାଖଲ କରାଯାଇପାରିବ।
ଖସଡ଼ା ତାଲିକାରୁ ନାମ ବାଦ ପଡ଼ିଥିବା ଭୋଟରମାନଙ୍କ ସମସ୍ତ ଦାବି ଓ ଆପତ୍ତିର ଶୁଣାଣି ସମ୍ପୃକ୍ତ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ERO) ଓ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (AERO)ଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପନ୍ନ କରାଯିବ। ସମ୍ପୃକ୍ତ ଭୋଟରମାନଙ୍କୁ ଶୁଣାଣିର ସମୟ ଓ ସ୍ଥାନ ସମ୍ପର୍କରେ ନୋଟିସ୍ ମାଧ୍ୟମରେ ପୂର୍ବରୁ ଅବଗତ କରାଯିବ।
ଜିଲ୍ଲାପାଳ ସମସ୍ତ ସ୍ୱୀକୃତ ରାଜନୈତିକ ଦଳର ପ୍ରତିନିଧି ମାନେ ଯଥା କଂଗ୍ରେସ ଦଳ ପକ୍ଷରୁ ମୁନା ତ୍ରିପାଠୀ ଓ ପ୍ରଦୀପ କୁମାର ସାହୁ, ବିଜେପି ଦଳ ପକ୍ଷରୁ ସୋରଜ କୁମାର ବେହେରା, ବିଜେଡି ଦଳ ପକ୍ଷରୁ ପ୍ରମୋଦ କୁମାର ରଥ ପ୍ରମୁଖ ଉପସ୍ଥିତ ରହିଥିଲେ ଭୋଟଗ୍ରହଣ କେନ୍ଦ୍ର ପାଇଁ ବୁଥ୍ ଲେଭେଲ ଏଜେଣ୍ଟ (BLA) ନିଯୁକ୍ତ କରି ଭୋଟର ତାଲିକା ଯାଞ୍ଚ ପ୍ରକ୍ରିୟାରେ ସକ୍ରିୟ ସହଯୋଗ ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ସେହିପରି ସାଧାରଣ ଜନସାଧାରଣଙ୍କୁ ସଚେତନ କରିବା ନିମନ୍ତେ ୱାକାଥନ୍, ସଚେତନତା ରଥ, ପୋଷ୍ଟର, ବ୍ୟାନର, ହେଲ୍ପ ଡେସ୍କ ଏବଂ ଅନ୍ୟାନ୍ୟ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ବ୍ୟାପକ ପ୍ରଚାର ଚାଲିଥିବା ସେ ସୂଚନା ଦେଇଥିଲେ।
ଶେଷରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଡଃ. ମହେଶ୍ୱର ସ୍ୱାଇଁ ଜିଲ୍ଲାର ସମସ୍ତ ଯୋଗ୍ୟ ଭୋଟରଙ୍କୁ ଖସଡ଼ା ଭୋଟର ତାଲିକାରେ ନିଜର ନାମ ଯାଞ୍ଚ କରିବା ସହ ଆବଶ୍ୟକ ସ୍ଥଳେ ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରି ଏକ ନିର୍ଭୁଲ ଏବଂ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତିରେ ସହଯୋଗ କରିବାକୁ ଆହ୍ୱାନ ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ଡ଼ ପ୍ରମୋଦ କୁମାର ପୃଷ୍ଟି, ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡେପୁଟି କଲେକଟର ନିର୍ବାଚନ ଚିନ୍ମୟ କୁମାର ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

0
0
0
s2sdefault