କଟକ ତା ୦୫.୦୭.୨୦୨୬ ରିଖ : ସ୍ବତନ୍ତ୍ର ସଘନ ସଂଶୋଧନ ୨୦୨୬ ଅଧୀନରେ ଆଜି କଟକ ଜିଲ୍ଲା ପାଇଁ ଚିଠା ଭୋଟର ତାଲିକା ପ୍ରକାଶ ପାଇଛି । ଏଥିପୂର୍ବରୁ ମେ ୩୦ରୁ ଜୁନ୍ ୨୮ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀ (BLO)ଙ୍କ ଦ୍ୱାରା ଘରକୁ ଘର ଯାଇ ଭୋଟର ଯାଞ୍ଚ ଓ ଏନୁମେରେସନ୍ ଫର୍ମ ସଂଗ୍ରହ କରାଯାଇଥିଲା। ଏହି ଫର୍ମଗୁଡ଼ିକ ଆଧାରରେ ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯାଇଛି।
ସୂଚନା ଅନୁସାରେ, ଚିଠା ଭୋଟର ତାଲିକା ପ୍ରକାଶ ପୂର୍ବରୁ ମୋଟ ୨୦,୮୫,୭୭୯ ଜଣ ଭୋଟର ଥିବାବେଳେ, ସଂଶୋଧିତ ଖସଡ଼ା ତାଲିକାରେ ୧୯,୩୦,୬୧୫ ଜଣଙ୍କ ନାମ ରହିଛି। (୧୦ ଲକ୍ଷ ୨ ହାଜର ୨୪୫ଜଣ ପୁରୁଷ ଏବଂ ୯ ଲକ୍ଷ ୨୮ ହଜାର ୧୯୩ ଜଣ ମହିଳା ଓ ୧୭୭ ଜଣ ତୃତୀୟ ଲିଙ୍ଗ ଭୋଟର) ମୋଟ ୧,୫୫,୧୬୪ ଜଣଙ୍କ ନାମ ବିଭିନ୍ନ କାରଣରୁ ବାଦ ପଡିଛି । ଚୌଦ୍ଵାର-କଟକରେ ସର୍ବାଧିକ ୨୩,୮୧୮ ଜଣ, ବାଙ୍କୀରେ ୧୦, ୬୨୩ଜଣ, ନିଆଳିରେ ୧୯,୩୨୭ ଜଣ, କଟକ ସଦରରେ ୧୯,୨୦୩ ଜଣ, ବଡ଼ମ୍ବାରେ ୧୬,୮୧୭ ଜଣ, ବାରବାଟୀ-କଟକରେ ୧୬,୩୫୮ ଜଣ, ସାଲେପୁରରେ ୧୩,୮୭୪ଜଣ, ଆଠଗଡ଼ରେ ୧୨,୪୬୬ଜଣ ଏବଂ ମାହାଙ୍ଗାରେ ୨୨,୬୨୮ ଜଣଙ୍କ ନାମ ବାଦ ପଡିଥିବା ଜଣାପଡିଛି ।
ନିମ୍ନଲିଖିତ କାରଣରୁ ନାମଗୁଡିକ ବାଦ ପଡିଛି :
• ମୃତ୍ୟୁ: ୫୩,୩୪୮
• ଅନୁପସ୍ଥିତ/ଠିକଣାରେ ନ ମିଳିବା: ୧୨,୬୦୮
• ସ୍ଥାୟୀ ଭାବେ ଅନ୍ୟତ୍ର ସ୍ଥାନାନ୍ତର: ୭୪,୯୪୦
• ଅନ୍ୟ ସ୍ଥାନରେ ପୂର୍ବରୁ ନାମ ପଞ୍ଜୀକୃତ: ୧୨,୨୬୨
• ଅନ୍ୟାନ୍ୟ କାରଣ: ୨,୦୦୬
୯୯, ୪୯୪ ଜଣଙ୍କର ମ୍ୟାପିଙ୍ଗ ହୋଇନାହିଁ। ସେମାନଙ୍କ ନିକଟକୁ ନୋଟିସ ପଠାଯିବ।
ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଭୋଟରମାନେ ନିଜ ନାମ ସଂଯୋଗ କରିବା, ସଂଶୋଧନ କିମ୍ବା ବାଦ ଦେବା ସମ୍ପର୍କିତ ଦାବି ଓ ଆପତ୍ତି ଦାଖଲ କରିପାରିବେ। ଏହି ଦାବି ଓ ଆପତ୍ତିର ଶୁଣାଣି ଓ ସମାଧାନ ଜୁଲାଇ ୫ରୁ ସେପ୍ଟେମ୍ବର ୨ ମଧ୍ୟରେ କରାଯିବ ଏବଂ ସେପ୍ଟେମ୍ବର ୬, ୨୦୨୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।
ଯେଉଁ ଭୋଟରଙ୍କ ଏନୁମେରେସନ୍ ଫର୍ମ ଗ୍ରହଣ ହୋଇନାହିଁ କିମ୍ବା BLOଙ୍କ ଦ୍ୱାରା ଯାଞ୍ଚ ହୋଇନାହିଁ, ସେମାନଙ୍କ ନାମ ଚିଠା ଭୋଟର ତାଲିକାରେ ସାମିଲ ହୋଇନାହିଁ। ବିଭିନ୍ନ କାରଣରୁ ବାଦ ପଡିଥିବା ଭୋଟରମାନେ ନିଜ ନାମ ସଂଯୋଗ କରିବା ପାଇଁ ଦାବି ଓ ଆପତ୍ତି ସମୟରେ ଫର୍ମ-୬ ସହ ଆବଶ୍ୟକ ଘୋଷଣାପତ୍ର ଦାଖଲ କରି ନାମ ଅନ୍ତର୍ଭୁକ୍ତ କରାଇପାରିବେ।
ଏହାଛଡ଼ା, ଏନୁମେରେସନ୍ ଫର୍ମରେ ଦିଆଯାଇଥିବା ସୂଚନା ପୂର୍ବ ଭୋଟର ତାଲିକା ତଥ୍ୟ ସହ ମେଳ ନ ଖାଇଲେ ସମ୍ପୃକ୍ତ ଭୋଟରଙ୍କୁ ଇଲେକ୍ଟୋରାଲ ରେଜିଷ୍ଟ୍ରେସନ୍ ଅଫିସର (ERO) ପକ୍ଷରୁ ନୋଟିସ୍ ଜାରି କରାଯିବ। ନୋଟିସ୍ ପାଇବା ପରେ ସେମାନଙ୍କୁ ଜନ୍ମତାରିଖ, ଜନ୍ମସ୍ଥାନ କିମ୍ବା ନାଗରିକତା ସମ୍ବନ୍ଧୀୟ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ।
ଗ୍ରହଣଯୋଗ୍ୟ ଦସ୍ତାବିଜ ମଧ୍ୟରେ ଜନ୍ମ ପ୍ରମାଣପତ୍ର, ପାସପୋର୍ଟ, ମାଟ୍ରିକ୍ କିମ୍ବା ଶିକ୍ଷାଗତ ସାର୍ଟିଫିକେଟ୍, ସରକାରୀ ପରିଚୟପତ୍ର, ସ୍ଥାୟୀ ବାସିନ୍ଦା ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, ପରିବାର ରେଜିଷ୍ଟର, ଜମି କିମ୍ବା ଘର ଆବଣ୍ଟନ ପ୍ରମାଣପତ୍ର ଆଦି ସାମିଲ ରହିଛି। ଆଧାର ସମ୍ପର୍କିତ ଯାଞ୍ଚ ନିର୍ବାଚନ ଆୟୋଗଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ କରାଯିବ।
ନିର୍ବାଚନ ବିଭାଗ ଭୋଟରମାନଙ୍କୁ ଖସଡ଼ା ତାଲିକା ପ୍ରକାଶ ପରେ ନିଜ ନାମ ଯାଞ୍ଚ କରିବା ସହ କୌଣସି ତ୍ରୁଟି ଥିଲେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକ ଦାବି କିମ୍ବା ଆପତ୍ତି ଦାଖଲ କରିବାକୁ ଅନୁରୋଧ କରିଛି।
ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟରେ ଦାବି ଓ ଆପତ୍ତି ସମ୍ପର୍କିତ ଶୁଣାଣି କରାଯିବ। ନିର୍ବାଚକ ପଞ୍ଜିକରଣ ଅଧିକାରୀ ଓ ସହାୟକ ନିର୍ବାଚକ ପଞ୍ଜିକରଣ ଅଧିକାରୀ ଏହାର ଶୁଣାଣି କରିବେ।







