ସପ୍ତାହକ ମଧ୍ୟରେ ଚାଉଳ ଯୋଗାଣ ସ୍ବାଭାବିକ କରିବାକୁ ଦାବି
ଓଡ଼ଗାଁ,୩୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅନ୍ତର୍ଗତ ପ୍ରାୟ ୭୦ରୁ ୮୦ ପ୍ରତିଶତ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳର ଘୋର ଅଭାବ ଦେଖାଦେଇଛି। ଫଳରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ପରିଚାଳନା କରିବା ଶିକ୍ଷକମାନଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡ଼ିଛି। ବର୍ତ୍ତମାନ ଅନେକ ବିଦ୍ୟାଳୟରେ ଧାର-ଉଧାରରେ ଚାଉଳ ସଂଗ୍ରହ କରି ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଚାଲୁ ରହିଥିବା ବେଳେ, ଏହାର ଭବିଷ୍ୟତକୁ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ଗତ ଡିସେମ୍ବର ମାସ ପରଠାରୁ ବିଦ୍ୟାଳୟଗୁଡ଼ିକୁ ନିୟମିତ ଭାବେ ଚାଉଳ ଯୋଗାଣ ହୋଇନାହିଁ। ଗତ ଏପ୍ରିଲ ମାସର କୋଟା ଚାଉଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲେ ମଧ୍ୟ, ଓଡ଼ଗାଁ ବ୍ଲକ ପକ୍ଷରୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଏହା ଉଠାଣ କରାଯାଇ ନଥିବାରୁ ବଣ୍ଟନ ସମ୍ଭବ ହୋଇନଥିଲା। ପରବର୍ତ୍ତୀ ସମୟରେ ଅବ୍ୟବହୃତ ଚାଉଳ ପୁଣି ଜିଲ୍ଲା ପ୍ରଶାସନ ଅଧୀନକୁ ଫେରିଯାଇଥିବା ଜଣାପଡ଼ିଛି।
ଏପରି ପରିସ୍ଥିତିରେ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ସଙ୍କଟ ଦିନକୁ ଦିନ ଗଭୀର ହେଉଛି। ଯଦି ଆସନ୍ତା ଏକ ସପ୍ତାହ ମଧ୍ୟରେ ଚାଉଳ ଯୋଗାଣ ସ୍ୱାଭାବିକ ନହୁଏ, ତେବେ ଓଡ଼ଗାଁ ବ୍ଲକର ଅନେକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବାର ଆଶଙ୍କା ଦେଖା ଯାଇଛି। ଏହାକୁ ନେଇ ଶିକ୍ଷକ, ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଶୀଘ୍ର ଚାଉଳ ଯୋଗାଣ ସ୍ୱାଭାବିକ କରିବାକୁ ଦାବି ହେଉଛି।







