ଝାରସୁଗୁଡ଼ା: ଲଖନପୁର ବ୍ଲକ ଅନ୍ତର୍ଗତ ସମରବଗା ସମବାୟ ସମିତି (ପ୍ୟାକ୍ସ)ର ସମ୍ପାଦକ ପ୍ରମୋଦ କୁମାର ଭୋଇ ଦୀର୍ଘ ୩୩ ବର୍ଷର ନିଷ୍ଠାପୂର୍ଣ୍ଣ ସେବା ପରେ ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ସମରବଗା ପ୍ୟାକ୍ସ କାର୍ଯ୍ୟାଳୟ ପରିସରରେ ତାଙ୍କୁ ଭାବବିହ୍ୱଳ ବିଦାୟୀ ସମ୍ବର୍ଦ୍ଧନା ଜଣାଯାଇଥିଲା।
ସମିତି ପରିଚାଳନା କମିଟିର ସଭାପତି ମହେନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କନକତୋରା ଏସ୍ଡିସିସି ବ୍ୟାଙ୍କ ଶାଖା ପରିଚାଳକ ପରମେଶ୍ୱର ପଟେଲ, ସମିତି ସଭ୍ୟ ରାଜେନ୍ଦ୍ର ପ୍ରସାଦ ସାହୁ, ପୂର୍ବତନ ସଭାପତି ନୀଳମଣି ବାରିକ ଓ ଈଶ୍ୱର ଚନ୍ଦ୍ର ବାରିକ, ମଚିଦା ପ୍ୟାକ୍ସ ସଭାପତି ଫକୀର ସାହୁ, ଅତାବିରା ପ୍ୟାକ୍ସ ସଭାପତି ଜିବର୍ଦ୍ଧନ ଭୋଇ, ସମରବଗା ପ୍ୟାକ୍ସ ଉପ-ସଭାପତି ନୀଳା ମାଝୀ, ବରିଷ୍ଠ ସାମ୍ବାଦିକ ମହେନ୍ଦ୍ର କୁମାର ସାଏ, ରେମତା ପ୍ୟାକ୍ସ ସଭାପତି ଅନୀଲ ବାରିକ ଓ ତୁଷାରାମ ପ୍ରଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ବକ୍ତାମାନେ ଶ୍ରୀ ଭୋଇଙ୍କ କାର୍ଯ୍ୟଦକ୍ଷତା, ସମବାୟ ସମିତିର ବିକାଶରେ ତାଙ୍କର ଅବଦାନ ଏବଂ ଚାଷୀମାନଙ୍କ ସହ ତାଙ୍କର ସୁସମ୍ପର୍କ ସମ୍ପର୍କରେ ଆଲୋକପାତ କରିଥିଲେ। ତାଙ୍କର ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ସେବା ମନୋଭାବର ଭୂୟସୀ ପ୍ରଶଂସା କରି ସମସ୍ତେ ତାଙ୍କର ସୁସ୍ଥ ଓ ସୁଖମୟ ଅବସର ଜୀବନ କାମନା କରିଥିଲେ। ସଭା ଶେଷରେ ସମିତିର ସହ-ସମ୍ପାଦକ ଗଜାନନ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ।
ସୂଚନାଯୋଗ୍ୟ ଯେ, ପ୍ରମୋଦ କୁମାର ଭୋଇ ୧ ଅକ୍ଟୋବର ୧୯୯୨ରୁ ୩୦ ଜୁନ ୨୦୨୬ ପର୍ଯ୍ୟନ୍ତ ସମରବଗା ପ୍ୟାକ୍ସର ସମ୍ପାଦକ ଭାବେ ସଫଳତାର ସହ ଦାୟିତ୍ୱ ପାଳନ କରିଥିଲେ। ତାଙ୍କ ଅବସର ଉପଲକ୍ଷେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମିତିର ବୋର୍ଡ ସଦସ୍ୟ-ସଦସ୍ୟା, ବିଭିନ୍ନ ପ୍ୟାକ୍ସର ସଭାପତି ଓ ସମ୍ପାଦକ, ସହକର୍ମୀ ତଥା ବହୁ ସଂଖ୍ୟକ ଚାଷୀ ଉପସ୍ଥିତ ରହି ତାଙ୍କୁ ବିଦାୟ ଜଣାଇଥିଲେ।
ପରେ ସମରବଗା ସମବାୟ ସମିତି କାର୍ଯ୍ୟାଳୟରୁ ସମରବଗା ଓ ପଧାନଡେରା କୃଷ୍ଣଗୁରୁ ଭଜନ ଦଳର ସହଯୋଗରେ ଏକ ଶୋଭାଯାତ୍ରା ବାହାରି ଶ୍ରୀ ଭୋଇଙ୍କ ପୈତୃକ ଗ୍ରାମ ଝାରଗାଁରେ ପହଞ୍ଚିଥିଲା। ସେଠାରେ ପରିବାରବର୍ଗ ପୂର୍ଣ୍ଣକଳସ ସ୍ଥାପନ ଓ ଦୀପ ପ୍ରଜ୍ୱଳନ କରି ତାଙ୍କୁ ସ୍ୱାଗତ କରିଥିଲେ। ପରବର୍ତ୍ତୀ ସମୟରେ ଝାରଗାଁ ଗ୍ରାମବାସୀଙ୍କ ପକ୍ଷରୁ କେକ୍ କାଟି ବିଭିନ୍ନ ଉପହାର ପ୍ରଦାନ ସହ ଶ୍ରୀ ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।







