ହେଡଲାଇନସ୍:

ବାବୁଙ୍କ ଅପାରଗତାକୁ ଗ୍ରାମବାସୀଙ୍କ ରୋଚକ ପ୍ରତିବାଦ: ନିର୍ବାହୀ ଯନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଦେବାକୁ ଜିଲ୍ଲାପାଳଙ୍କୁ ମାଗିଲେ ଅନୁମତି!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପୋଲ ଭାଙ୍ଗି ଲୋକଙ୍କୁ ୫ କିଲୋମିଟର ବୁଲାଇବାର 'ସୁବିଧା' ଦେଇଥିବାରୁ ହେବେ ସମ୍ମାନିତ!

କେନ୍ଦ୍ରାପଡା:୩୦/୦୬(ପ୍ରଫୁଲ୍ଲ କୁମାର ମଲ୍ଲ) ସରକାର ବଦଳିଲେ ମଧ୍ୟ କିଛି ସରକାରୀ ବାବୁ ଓ ବିଭାଗର ମନମାନି ଏବଂ ଅରାଜକତାରେ କୌଣସି ସୁଧାର ଆସୁନାହିଁ। କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ଅଧୀନସ୍ଥ ଚଣ୍ଡିବଜାର ଠାରୁ ବଡ଼ଫୋଗଳ ଭାୟା ଜହ୍ନିମୂଳ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ କାର୍ଯ୍ୟରେ ଅହେତୁକ ବିଳମ୍ବ ଏବଂ ବ୍ୟାପକ ଅନିୟମିତତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହି ରାସ୍ତା ଅତିକ୍ରମ କରୁଥିବା ୨୦ ନମ୍ବର ଡ୍ରେନେଜ୍ କଟ୍ ଉପରେ ପୂର୍ବରୁ ଥିବା ପୋଲଟିକୁ ଚଳିତ ବର୍ଷ ପ୍ରାରମ୍ଭରେ (୦୧.୦୧.୨୦୨୬) ବିଭାଗ ପକ୍ଷରୁ ଭାଙ୍ଗି ଦିଆଯାଇଥିଲା। ପ୍ରାୟ ୪୦-୫୦ ଫୁଟ୍ ଦୈର୍ଘ୍ୟ ବିଶିଷ୍ଟ ଏହି ନୂତନ ପୋଲ ନିର୍ମାଣ କାର୍ଯ୍ୟ ଦୀର୍ଘ ଦୁଇ ବର୍ଷ ହେବ ଅତି ମନ୍ଥର ଗତିରେ ଚାଲିଥିବା ବେଳେ ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ​ଅଭିଯୋଗ ମୁତାବକ, ନିର୍ମାଣଧୀନ ପ୍ରକଳ୍ପ ସ୍ଥଳରେ ଗ୍ରାମ୍ୟ ଉନ୍ନୟନ ବିଭାଗର କୌଣସି ଦାୟିତ୍ୱବାନ ଅଧିକାରୀ ଯେପରିକି କନିଷ୍ଠ ଯନ୍ତ୍ରୀ (JE) କିମ୍ବା ସହକାରୀ ନିର୍ବାହୀ ଯନ୍ତ୍ରୀ (SDO) ଉପସ୍ଥିତ ରହୁନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ସରକାରୀ ଯନ୍ତ୍ରୀମାନେ ନିଘୋଡ଼ ନିଦ୍ରାରେ ଶୋଇଥିବା ବେଳେ ଜଣେ 'ପିଅନ' କାର୍ଯ୍ୟର ମାନ ପରୀକ୍ଷା ଓ ତଦାରଖ କରୁଛନ୍ତି, ଯାହା ସମ୍ପୂର୍ଣ୍ଣ ପ୍ରଶାସନିକ ବ୍ୟବସ୍ଥାକୁ ହାସ୍ୟାସ୍ପଦ କରିଦେଇଛି। ଏ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ ଜଗନ୍ନାଥ ସାହୁ ଏବଂ ଏସଡିଓ ପ୍ରତିହାରୀ ବାବୁଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନେ ବିଭିନ୍ନ ଆଳ ଦେଖାଇ ଖସିଯିବାକୁ ଚେଷ୍ଟା କରୁଛନ୍ତି ଏବଂ କୌଣସି ସୁଫଳ ମିଳିନାହିଁ ।ଅପରପଟେ ବିଭାଗୀୟ ଅବହେଳା ଯୋଗୁଁ ସ୍ଥାନୀୟ ଜହ୍ନିମୂଳ ଓ ଆଖପାଖ ଗ୍ରାମର ହଜାର ହଜାର ଜନସାଧାରଣ ଚରମ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

୧. ଗ୍ରାମବାସୀମାନେ ସାଧାରଣ କାମ ପାଇଁ ଯିବାକୁ ପ୍ରାୟ ୫ କିଲୋମିଟର ବୁଲି ବୁଲି ଯିବା ଆସିବା କରୁଛନ୍ତି।
୨. ଟ୍ରାକ୍ଟର କିମ୍ବା ଅନ୍ୟ କୌଣସି କୃଷି ଯନ୍ତ୍ରପାତି ଯାଇପାରୁ ନଥିବାରୁ ଚାଷୀମାନଙ୍କର ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି, ଯାହା ଚଳିତ ମୌସୁମୀ ସମୟରେ ଚାଷକାର୍ଯ୍ୟକୁ ବେହାଲ କରିଦେଇଛି।
3. ଠିକାଦାର କେବଳ ଟ୍ରାକ୍ଟରରେ ମାଟି ଆଣି ଏକ ସଂକୀର୍ଣ୍ଣ ଗୋଲେଇ ରାସ୍ତା ତିଆରି କରିଛନ୍ତି, ଯାହା ସାମାନ୍ୟ ବର୍ଷା ହେଲେ ସମ୍ପୂର୍ଣ୍ଣ କାଦୁଅମୟ ହୋଇପଡ଼ୁଛି।

ବିଭାଗର ଏହି ଦୁଇ ବର୍ଷର "ଅକ୍ଳାନ୍ତ ପରିଶ୍ରମ ଓ ସଫଳତା" କୁ ଦେଖି ଗ୍ରାମବାସୀମାନେ ଏକ ଅଭିନବ ଏବଂ କଟାକ୍ଷପୂର୍ଣ୍ଣ ପ୍ରତିବାଦର ପନ୍ଥା ଆପଣାଇଛନ୍ତି ।ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି କି, ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଯେଉଁଭଳି ଭାବେ ଦୀର୍ଘ ୨ ବର୍ଷ ଧରି ପ୍ରକଳ୍ପକୁ ଅଧାପାନ୍ତରିଆ କରି ରଖି ଗ୍ରାମବାସୀଙ୍କୁ ୫ କିଲୋମିଟର ବୁଲିବାର "ସୁବିଧା" ସୁଯୋଗ ଦେଇଛନ୍ତି, ସେଥିପାଇଁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆସନ୍ତା ୦୬.୦୭.୨୦୨୬ ରିଖରେ ସେହି ନିର୍ବାହୀ ଯନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଉ! ଏଥିପାଇଁ ସେମାନେ ଜିଲ୍ଲାପାଳଙ୍କ ଅନୁମତି ଲୋଡ଼ିଛନ୍ତି ।ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପ୍ରଶାସନିକ ସ୍ଥାଣୁତା ପ୍ରତି ଏକ ଶକ୍ତ ଚାପୁଡ଼ା ସଦୃଶ ହୋଇଛି। ସରକାର ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ପ୍ରକଳଳ୍ପ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଏବଂ ଦାୟିତ୍ୱହୀନ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

0
0
0
s2sdefault