ସ୍ୱଚ୍ଛତା ସହ କାମ ନ କଲେ ଗ୍ରାମବାସୀ କରିବେ ଆନ୍ଦୋଳନ
ବଲାଙ୍ଗିର,୩୦/୬ - ଦେଓଗାଁ ବ୍ଲକ ଅନ୍ତର୍ଗତ ବନ୍ଧପଡା ପଂଚାୟତର ବୁଢାବାହାଲ ଗାଁ ରେ ହୋଇଥିବା ଏକ ସାମାଜିକ କାର୍ଯ୍ୟରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ଯୋଗ ଦେଇଥିଲେ । ଏହି ସମୟରେ ଗାଁ ଲୋକଙ୍କ ସହ ଆଲୋଚନା ବେଳେ ଜଣେ ସ୍ଥାନୀୟ ବିଜେପି ନେତା ବାସୁଦେବ ସିଂ ନିନା ଟେପରେନ ଗାଁ ରେ ଥିବା ଧବଳେଶ୍ୱର କଁଟା ରେ ଚାଲିଥିବା ପୋଖରି ଉନ୍ନତିକରଣ କାମ ରେ ଦୁର୍ନିତି ହୋଇଥିବା ଅଭିଯୋଗ ଶ୍ରୀ ମିଶ୍ରଙ୍କ ଆଗରେ ରଖିଥିଲେ । ତା ସହ କିଛି ସ୍ଥାନୀୟ ଲୋକଙ୍କ ସହ ଆସି ପୋଖରୀ କାମ ପରିଦର୍ଶନ କରିବା ପାଇଁ ଅନୁରୋଧ କରିଥିଲେ । ଶ୍ରୀ ମିଶ୍ର ତୁରନ୍ତ ଟେପରେନ ଗାଁରେ ଥିବା ୧୮.୫୬ ଏକର ର ଏହି ପୋଖରୀ କୁ ପରିଦର୍ଶନ ରେ ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ତଥା ଶ୍ରୀ ସିଂନିନା ମାଟି କାମରେ କିପରି ଦୁର୍ନତି ହୋଇଛି ସେ ସବୁ ଗୋଟି ଗୋଟି କରି ବଖାଣିଥିଲେ । ୧୦ ଲକ୍ଷ ଟଙ୍କାର ଭିତ୍ତିଭୂମି ବିକାଶ ଅନୁଦାନରୁ ଏହି ପୋଖରୀ କାର୍ଯ୍ୟ କରାଯାଉଛି । ଏହି ପୋଖରୀ ଉପରେ ଏହି ଗାଁ ର ୩ଟି ୱାର୍ଡର ଲୋକ ନିର୍ଭର କରନ୍ତି । ଦିନ ଥିଲା ଏହି ପୋଖରୀ ରୁ ଗାଁ ଲୋକଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା ମଧ୍ୟ ହୋଇପାରୁଥିଲା । ଏପରି କି ଏହି ବିଶାଳ ପୋଖରୀ ରୁ ତାର ସଂଲଗ୍ନ କିଛି ଚାଷ ଜମିକୁ ଖରିପ ଓ ରବି ଉଭୟ ଫସଲ କୁ ଜଳସେଚନ ହୋଇପାରୁଥିଲା । କିନ୍ତୁ ଦୁଃଖର କଥା ଯେ ଏହି ମାଟି କାମର ଠିକା କିଛି ରାଜନୈତିକ ବ୍ୟକ୍ତିବିଶେଷ କରୁଥିବା ଯୋଗୁଁ ବ୍ଲକ ପ୍ରଶାସନ ମଧ୍ୟ ଏହି ଦୁର୍ନିତିକୁ ନେଇ ଆଖି ବନ୍ଦ କରିଦେଇଛି । ୧୮ ଏକରର ଏହି ବିଶାଳ ପୋଖରୀର କିଛି ଅଂଶରେ ଚହଲା ଖନନ କରି ସେହି ସମାନ ମାଟିକୁ ପୋଖରିର ଭିତରପଟ ଆଡିରେ ପୁଣି ପକାଯାଉଛି ଯାହାକି ବର୍ଷା ହେବା ପରେ ସମାନ ମାଟି ପୁଣି ପୋଖରୀ ଭିତରକୁ ଆସିଯିବ ବୋଲି ଶ୍ରୀ ମିଶ୍ରଙ୍କ ଆଗରେ ସ୍ଥାନୀୟ ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ଶୁଣିବା ପରେ ତୁରନ୍ତ ଶ୍ରୀ ମିଶ୍ର ଦେଓଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟରଂଜନ କୁମାର ଙ୍କୁ ଫୋନ ଯୋଗେ ଏ ଦୁର୍ନିତି ଅଭିଯୋଗ ବାବଦରେ ପଚାରି ବୁଝିବା ସହ ଶିଘ୍ର ଏ ଦିଗରେ ଅନୁସନ୍ଧାନ କରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ପଠାଇବା ପାଇଁ କହିଥିଲେ । ଯଦି ଏହି କାମରେ ସ୍ୱଚ୍ଛତା ନ ଆସେ ତେବେ ଟେପରେନ ଗ୍ରାମବାସୀ ଏହି ଦୁର୍ନିତିକୁ ନେଇ ବ୍ଲକ ଆଗରେ ଆନ୍ଦୋଳନ କରିବେ ବୋଲି ଚେତେଇ ଦେଇଥିଲେ । ଆଜିର ଏହି ପରିଦର୍ଶନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ମୁକେଶ ମିଶ୍ର, ସୁରେଶ ମିର୍ଦ୍ଧା, ରାଧାକାନ୍ତ ବାଗ, ଶ୍ରୀହରି ସିଂନିନା, କୁନା ସେଠ, ଅନ୍ତର୍ଯ୍ୟାମି ମିଶ୍ର, ରମେଶ ମିଶ୍ର, କଂଗ୍ରେସ ନେତା ରାମଜୀ ଚୈାଧୁରି , ଅସୀତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।







