ଏଜେନସି କାର୍ଯ୍ୟାଳରେ ଏକ ମାସ ହେଲା ତାଲା :ଗ୍ୟାସ ନ ପାଇ ଉପଭୋକ୍ତା ହନ୍ତସନ୍ତ,ବଢ଼ୁଛି ଅସନ୍ତୋଷ
ରେଢ଼ାଖୋଲ /ଯଶୋବନ୍ତ ନାରାୟଣ ସାହୁ : ରେଢ଼ାଖୋଲ ସହରରେ ଉପଭୋକ୍ତା ଏକମାତ୍ର ମହିମା ଇଣ୍ଡେନ୍ ଗ୍ୟାସ ଏଜେନସି ଉପରେ ଭରସା କରନ୍ତି l ହେଲେ, ଏହି କାର୍ଯ୍ୟାଳୟରେ ଏକ ମାସ ହେଲାଣି ତାଲା ପଡ଼ିଛି l କାର୍ଯ୍ୟାଳୟ ବନ୍ଦଥିବା ତଥା ଡିପୋରେ ମଧ୍ୟ ଗ୍ୟାସ ନଥିବାରୁ ଖାଉଟି ନାନାଦି ହନ୍ତସନ୍ତ ହେଉଛନ୍ତି l ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବାରୁ ଅସନ୍ତୋଷ ଧିରେଧିରେ ବଢ଼ିବାରେ ଲାଗିଛି l କାର୍ଯ୍ୟାଳୟରେ କୌଣସି କର୍ମଚାରୀଙ୍କ ମଧ୍ୟ ଦେଖାଦର୍ଶନ ମିଳୁନାହିଁ l ଗ୍ୟାସ ଉପଭୋକ୍ତା ଦୈନଦିନ କାର୍ଯ୍ୟାଳୟକୁ ଆସି ନିରାଶ୍ ହୋଇ ଫେରୁଛନ୍ତି l ବର୍ତ୍ତମାନ କିଛି ଲୋକ ଚୂଲିକାଠ ଯୋଗାଡ଼ କରି ରୋଷେଇ କରୁଥିବା ମଧ୍ୟ ଦେଖାଯାଉଛି l କିରୋସିନ ମଧ୍ୟ ସହରରେ ସୁବିଧାରେ ମିଳୁନାହି l ଏହି ଗ୍ୟାସ ଏଜେନସି ମାଧ୍ୟମରେ ଶତାଧିକ ହିତାଧିକାରୀ ଉଜ୍ଜଳା ମାଗଣା ଗ୍ୟାସ ବଣ୍ଟନ ଯୋଜନାରେ ସିଲିଣ୍ଡର ନେଉଛନ୍ତି l ହେଲେ ଏବେ ଗ୍ୟାସ ମିଳୁନଥିବାରୁ ବ୍ୟାପକ ଅନିୟମିତତା ହେଉଥିବା ମଧ୍ୟ ଅଭିଯୋଗ ହେଉଛି l ବହୁ ମହିଳା ହିତାଧିକାରୀଙ୍କୁ ଚୁଲି ଏବଂ ଅନ୍ୟାନ୍ୟ ଉପକରଣ ପରେ ଯୋଗାଇ ଦିଆଯିବ ବୋଲି ପ୍ରତିଶୁତି ଦିଆଯାଇଥିଲା l ଏ ଯାଏଁ ସେମାନଙ୍କୁ ମିଳିପାରିନାହିଁ l ସେମାନେ ମଧ୍ୟ ନିୟମିତ କାର୍ଯ୍ୟାଳୟରେ ଆସି ନିରାଶ ହେଉଛନ୍ତି l ମହିଳାମାନେ ଠକେଇର ଶିକାର ହୋଇଥିବା ମଧ୍ୟ ଅଭିଯୋଗ ହେଉଛି l ଘଟଣା ସମ୍ପର୍କ ରେ ଗ୍ୟାସ ଏଜେନସିର ମାଲିକାଣୀ କଳ୍ପନା ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ବ୍ୟକ୍ତି ଗତ କାରଣରୁ ଏଜେନସି କାର୍ଯ୍ୟାଳୟ ବନ୍ଦ କରି ଦିଆଯାଇଛି l ଆଉ ୪,୫ ଦିନ ମଧ୍ୟରେ ଏସବୁ ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ l