ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ଜିଲ୍ଲା ମାଥିଲି ବନାଞ୍ଚଳରେ ଏକ ଅଭାବନୀୟ ଓ ଅମାନୁଷିକ ଘଟଣା ସାମ୍ନାକୁ ଆସିଛି। ରାସ୍ତା ପାର ହେଉଥିବା ଏକ ବନ୍ୟ ଭାଲୁକୁ (Sloth Bear) କିଛି ସ୍ଥାନୀୟ ଯୁବକ ନିର୍ମମ ଭାବେ ଲାଠି, ଶାବଳ ଓ ପଥରରେ ଆକ୍ରମଣ କରି ଗୁରୁତର କରିଦେଇଥିଲେ। ପରବର୍ତ୍ତୀ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଭାଲୁଟିର ମୃତ୍ୟୁ ହୋଇଛି। ଏହି ଘଟଣାରେ ବନ ବିଭାଗ ଓ ପୋଲିସର ମିଳିତ ସହଯୋଗରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।
ମାଥିଲି ବନାଞ୍ଚଳ ଅଧୀନସ୍ଥ ଦଇଗୁଡା ଗ୍ରାମ ନିକଟ କାଲିଆଗୁଡା ରାସ୍ତା ଉପରେ ଏକ ବନ୍ୟ ଭାଲୁ ଆହତ ଅବସ୍ଥାରେ ଥିବା ଖବର ପାଇ ମାଲକାନଗିରି ରାପିଡ୍ ରେସପନ୍ସ ଟିମ୍ (RRT) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରିଥିଲା। ଭାଲୁଟିକୁ ଚିକିତ୍ସା ପାଇଁ ମାଥିଲି ବନାଞ୍ଚଳ କାର୍ଯ୍ୟାଳୟ ପରିସରକୁ ଅଣାଯାଇଥିଲା। ସେଠାରେ ମାଥିଲିର ପଶୁ ଚିକିତ୍ସକ (VAS) ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପ୍ରାଥମିକ ଚିକିତ୍ସା କରାଯାଇ ନିରୀକ୍ଷଣରେ ରଖାଯାଇଥିଲା। ମାତ୍ର ଆକ୍ରମଣ ଯୋଗୁଁ ଭାଲୁଟି ଅତ୍ୟଧିକ ଗୁରୁତର ଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା।
ବନ ବିଭାଗ ପକ୍ଷରୁ ଘଟଣାସ୍ଥଳର ବିଭିନ୍ନ ଭିଡିଓ ଓ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଇ ତଦନ୍ତ କରାଯାଇଥିଲା। ମାଲକାନଗିରି ପୋଲିସର ସହାୟତାରେ ଏହି ବର୍ବରକାଣ୍ଡରେ ସମ୍ପୃକ୍ତ ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି।
ଗିରଫ ଅଭିଯୁକ୍ତମାନେ ହେଲେ:
ଗୋବିନ୍ଦା ଗଉଡ (୨୨), ପିତା- ବୁଡୁ ଗଉଡ, ଗ୍ରାମ- ଦଳପତିଗୁଡା
ମଣ୍ଟୁ ନାୟକ (୧୯), ପିତା- ନାରାୟଣ ନାୟକ, ଗ୍ରାମ- ସିରାଗୁଡା
ଧନୁଜୟ ଗଉଡ (୩୨), ପିତା- ମୁକୁନ୍ଦ ଗଉଡ, ଗ୍ରାମ- ଦଳପତିଗୁଡା
ବସନ୍ତ କୁମାର ଖିଲା (୧୮), ପିତା- ଅନନ୍ତରାମ ଖିଲା, ଗ୍ରାମ- ଦଳପତିଗୁଡା
ବିଷ୍ଣୁ ମାଝୀ (୨୨), ପିତା- ଭଗବାନ ମାଝୀ, ଗ୍ରାମ- ଡାଇଗୁଡା
କଡ଼ା ଆଇନଗତ କାର୍ଯ୍ୟାନୁଷ୍ଠାନ:
ଧରାପଡ଼ିଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ବନ୍ୟଜନ୍ତୁ (ସୁରକ୍ଷା) ଆଇନ, ୧୯୭୨ ର ଧାରା ୯, ୧୧ ଏବଂ ୫୨ ର ବ୍ୟବସ୍ଥା ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରାଯାଇଛି। ଏହି ଆଇନର ଧାରା ୫୧ ଅନୁଯାୟୀ ଏହା ଏକ ଗୁରୁତର ଓ ଦଣ୍ଡନୀୟ ଅପରାଧ ହୋଇଥିବାରୁ ସେମାନଙ୍କୁ ଆବଶ୍ୟକ ରିମାଣ୍ଡ ପାଇଁ କୋର୍ଟ ଚାଲାଣ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ମାଲକାନଗିରି ବନ ବିଭାଗ ସାଧାରଣ ଜନତାଙ୍କୁ ଅନୁରୋଧ କରିଛି ଯେ, ବନ୍ୟଜନ୍ତୁ ଦେଖିଲେ ସେମାନଙ୍କୁ ବିରକ୍ତ କିମ୍ବା ଆକ୍ରମଣ ନକରି ତୁରନ୍ତ ବନ ବିଭାଗ କିମ୍ବା ନିକଟସ୍ଥ ପୋଲିସକୁ ସୂଚନା ଦିଅନ୍ତୁ। ବନ୍ୟଜନ୍ତୁ ସଂରକ୍ଷଣ ଓ ମାନବ-ବନ୍ୟଜନ୍ତୁ ସହାବସ୍ଥାନ ପାଇଁ ସମସ୍ତଙ୍କ ସହଯୋଗ ଏକାନ୍ତ ଆବଶ୍ୟକ।
ରାଜ୍ୟ
ଅମାନୁଷିକ: ଲାଠି ଓ ପଥର ମାଡ଼ରେ ଆହତ ଭାଲୁର ମୃତ୍ୟୁ, ୫ ଗିରଫ
- Hits: 20







