ହେଡଲାଇନସ୍:

ତେନ୍ତୁଳିଖୁଣ୍ଟି ଓ ଡାବୁଗାଁ ବ୍ଲକରେ ସମ୍ପୂର୍ଣ୍ଣତା ଅଭିଯାନ ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ସମୀକ୍ଷା କଲେ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନବରଙ୍ଗପୁର, ତା: 20/06/2026, ଭାରତ ସରକାରଙ୍କ ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ମୀରା ମହାନ୍ତି ଆଜି ତେନ୍ତୁଳିଖୁଣ୍ଟି ଓ ଡାବୁ ଗାଁ ବ୍ଲକର ବିଭିନ୍ନ କ୍ଷେତ୍ର ପରିଦର୍ଶନ କରି ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି l
କେନ୍ଦ୍ରୀୟ ପ୍ରଭାରୀ ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ପରିଦର୍ଶନ କରି ଶିଶୁମାନଙ୍କୁ ମିଳୁଥିବା ପୁଷ୍ଟିକର ଖାଦ୍ୟ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା ଏବଂ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବାର ସ୍ଥିତି ଅନୁଧ୍ୟାନ କରିଥିଲେ। ସେହିପରି ତେନ୍ତୁଳିଖୁଣ୍ଟି ସାମୁଦାୟିକ ସ୍ୱାସ୍ଥ୍ୟ କେନ୍ଦ୍ର ଉପଲବ୍ଧ ସ୍ୱାସ୍ଥ୍ୟସେବା, ଔଷଧ ମହଜୁଦ, ଡାକ୍ତର ଓ କର୍ମଚାରୀଙ୍କ ଉପସ୍ଥିତି ଏବଂ ରୋଗୀସେବା ସମ୍ପର୍କରେ ସେ ବୁଝିଥିଲେ।ସେ ହାଟପଡା ଆଙ୍ଗନୱାଡି କେନ୍ଦ୍ର, ପିଏମ୍‌ ଶ୍ରୀ ଉଚ୍ଚ ବିଦ୍ୟାଳୟ ଜୁନାପାଣି, ସିଏଚ୍‌ସି ଟେଣ୍ଟୁଲିଖୁଣ୍ଟି ଏବଂ ଇନ୍ଦ୍ରାବତୀ ଡ୍ୟାମ୍‌କୁ ପରିଦର୍ଶନ କରିଥିଲେ। ସେ ଜିଲ୍ଲା ଓ ବ୍ଲକ୍‌ର ସମଗ୍ର ପ୍ରଗତିକୁ ପ୍ରଶଂସା କରି ଦଳୀୟ ସମନ୍ୱୟ ଓ ସହଯୋଗୀ ମନୋଭାବକୁ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।
ସେ ଜିଲ୍ଲା ର ଉନ୍ନତି ପାଇଁ ପରାମର୍ଶ ଦେଇଥିଲେ, ଯେଉଁଥିରେ ନବରଙ୍ଗପୁରରେ ଇଥାନଲ୍ ପ୍ଲାଣ୍ଟ ସ୍ଥାପନା ପ୍ରସ୍ତୁତି, ଆକାଂକ୍ଷା ବ୍ଲକ୍‌ର ସମଗ୍ର ଉନ୍ନୟନ ପରିକଳ୍ପନା, ମକା ଓ ମିଲେଟ୍‌ ପରି କୃଷି ଉତ୍ପାଦର ମୂଲ୍ୟ ବୃଦ୍ଧି, କ୍ଲଷ୍ଟର ଆଧାରିତ ଉନ୍ନୟନ ରଣନୀତି ଏବଂ ଶୀତଳ ଭଣ୍ଡାର (କୋଲ୍ଡ ଷ୍ଟୋରେଜ୍‌) ସ୍ଥାପନା ଅନ୍ତର୍ଭୁକ୍ତ ଅଛି।
ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ଲାଭ ନେଇ କିପରି କୁପୋଷଣ କୁ କମ୍ କରିହେବ ଏବଂ ଅନୁଷ୍ଠାନିକ ପ୍ରସବ ବୃଦ୍ଧି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଜଳଜନିତ ରୋଗ ପ୍ରତିରୋଧ ପାଇଁ ସ୍ୱାସ୍ଥ୍ୟ ସଚେତନତା ଓ ଜନ ସେବା କାର୍ଯ୍ୟକଳାପର ଏକ ନିୟମିତ କ୍ୟାଲେଣ୍ଡର ପ୍ରସ୍ତୁତି ଉପରେ ଜୋର ଦେଇଥିଲେ। ସେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ଲକ୍ ବିକାଶ ଅଧିକାରୀଙ୍କ ସହ ନିୟମିତ ସମୀକ୍ଷା ବୈଠକ ଆୟୋଜନ କରି ସମନ୍ୱୟ ବୃଦ୍ଧି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।
ଏହି ପରିଦର୍ଶନ ସମୟରେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦରୱାନ , ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବିଶ୍ୱଜିତ ବର୍ମନ,ସହକାରୀ ଯୋଜନା ନିର୍ଦ୍ଦେଶକ ବ୍ରଜବନ୍ଧୁ ନାୟକ,ଡାବୁଗାମ୍ ବ୍ଲକ ଉନ୍ନୟନ ଅଧିକାରୀ ସମୀର କୁମାର ପାତ୍ର ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ ଉନ୍ନୟନ ଅଧିକାରୀ ମନୋଜ ପାଣିଗ୍ରାହୀ ଉପସ୍ଥିତ ଥିଲେ। ପରିଦର୍ଶନ ପରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଅନୁଷ୍ଠିତ ସମୀକ୍ଷା ବୈଠକରେ ସମ୍ପୂର୍ଣ୍ଣତା ଅଭିଯାନ ଅଧୀନରେ ଆକାଂକ୍ଷୀ ବ୍ଲକ ଏବଂ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମର ବିଭିନ୍ନ ସୂଚକାଙ୍କ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଶିଶୁ ମୃତ୍ୟୁ ହାର ହ୍ରାସ, କୁପୋଷଣ ମୁକ୍ତି, ପ୍ରସବପୂର୍ବ ଯତ୍ନ ଏବଂ ଟୀକାକରଣର ସମ୍ପୂର୍ଣ୍ଣ ଅଭିଯାନ, ପ୍ରାଥମିକ ଶିକ୍ଷାର ଗୁଣବତ୍ତା, ଛାତ୍ର ନାମଲେଖା ଓ ଉପସ୍ଥିତି ବୃଦ୍ଧି,
କୃଷକମାନଙ୍କୁ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଏବଂ ଉତ୍ପାଦନ ବୃଦ୍ଧି ,ପାନୀୟ ଜଳ, ପାଇଖାନା, ବିଦ୍ୟୁତ୍ ଓ ରାସ୍ତା ସଂଯୋଗର ସମ୍ପୂର୍ଣ୍ଣତା କାର୍ଯ୍ୟକାରୀ ଉପରେ
କେନ୍ଦ୍ରୀୟ ପ୍ରଭାରୀ ଶ୍ରୀମତୀମହାନ୍ତି ସମସ୍ତ ଯୋଜନାର ଶତ ପ୍ରତିଶତ ବୃଦ୍ଧି ନିଶ୍ଚିତ କରିବା ପାଇଁ କ୍ଷେତ୍ର ସ୍ତରରେ ତତ୍ପରତାର ସହ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ପ୍ରତ୍ୟେକ ନାଗରିକଙ୍କ ପାଖରେ ସରକାରୀ ସେବା ଯେପରି ପହଞ୍ଚି ପାରିବ ତା ଉପରେ ଗୁରୁତ୍ବ ଦେଇଥିଲେ।

0
0
0
s2sdefault