ହେଡଲାଇନସ୍:

ପାଇପ ଫାଟିବାରୁ ପତ୍ରାପାଲିରେ ଜଳ ସଙ୍କଟ, ଦାୟିତ୍ୱ ନେବାକୁ ନାରାଜ ଠିକାଦାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ଅଧୀନ ପରମାଣପୁର ପଞ୍ଚାୟତର ପତ୍ରାପାଲି ଗ୍ରାମରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଯୋଗୁଁ ମେଗା ଜଳ ଯୋଗାଣ ପ୍ରକଳ୍ପର ପାଇପ କ୍ଷତିଗ୍ରସ୍ତ ହୋଇଥିବାରୁ ଗତ ୧୫ ଦିନ ଧରି ଜଳ ଯୋଗାଣ ବନ୍ଦ ରହିଛି। ଏଥିପାଇଁ ଗ୍ରାମବାସୀ ଗୁରୁତର ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁଯାୟୀ, ପତ୍ରାପାଲି ଛକରୁ ଗ୍ରାମ ଭିତରକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। କାର୍ଯ୍ୟ ସମୟରେ ଠିକାଦାର ପକ୍ଷରୁ ଜେସିବି ମେସିନ୍‌ ସହାୟତାରେ ମାଟି ଖୋଳାଯାଇଥିବା ବେଳେ ମେଗା ଜଳ ପ୍ରକଳ୍ପର ପାଇପ ଚାରିଟି ସ୍ଥାନରେ ଫାଟିଯାଇଥିବା ଅଭିଯୋଗ ହୋଇଛି। ଫଳରେ ଗ୍ରାମକୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି।

ପାଇପ ମରାମତି ପାଇଁ ଗ୍ରାମବାସୀ ରାସ୍ତା ଠିକାଦାରଙ୍କୁ ଅନୁରୋଧ କରିଥିଲେ ମଧ୍ୟ ଏହା ତାଙ୍କ ଦାୟିତ୍ୱ ନୁହେଁ ବୋଲି କହି ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଏହାର ମରାମତି କରିବ ବୋଲି ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ପକ୍ଷରୁ ପାଇପ କ୍ଷତି କରିଥିବା ସଂସ୍ଥା ହିଁ ଏହାର ମରାମତି କରିବା ଉଚିତ ବୋଲି କୁହାଯାଇଛି। ଏହାକୁ ନେଇ ଗ୍ରାମବାସୀ ଦ୍ୱନ୍ଦ୍ୱରେ ପଡ଼ିଥିବା ବେଳେ ସମସ୍ୟାର ଶୀଘ୍ର ସମାଧାନ ଦାବି କରିଛନ୍ତି।

ବିକାଶ ପ୍ରଧାନ, ନରେଶ ପ୍ରଧାନ, ସାଗର ପ୍ରଧାନ, ବ୍ରଜ ପ୍ରଧାନ, ବିନୋଦ ଡିଲା ଓ କ୍ଷୀରସାଗର ସାହୁଙ୍କ ସମେତ ଗ୍ରାମବାସୀମାନେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏ ସମ୍ପର୍କରେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ସହକାରୀ ଯନ୍ତ୍ରୀ ରଞ୍ଜିତାବାଲା ଦାସ କହିଛନ୍ତି ଯେ, ପାଇପ ମରାମତିର ଦାୟିତ୍ୱ ରାସ୍ତା ଠିକାଦାରଙ୍କର। ଗ୍ରାମବାସୀଙ୍କ ଅଭିଯୋଗ ପାଇବା ପରେ ସେ ଓ ସ୍ଥାନୀୟ ସରପଞ୍ଚ ଶନିବାର କାର୍ଯ୍ୟସ୍ଥଳ ପରିଦର୍ଶନ କରି ଠିକାଦାରଙ୍କ ଇଞ୍ଜିନିୟର ଓ ସୁପରଭାଇଜରଙ୍କୁ ତୁରନ୍ତ ପାଇପ ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି।

0
0
0
s2sdefault