ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ, ଦମକଳ ବାହିନୀ ନିଆଁକୁ ଆୟତ୍ତ କଲା
ଓଡ଼ଗାଁ, ୧୦।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ର ରୋହିବାଙ୍କ ପଞ୍ଚାୟତ ଅନ୍ତର୍ଗତ ଭଗବତୀ ପ୍ରସାଦ ଗ୍ରାମରେ ବୁଧବାର ସକାଳେ ସଟ୍ ସର୍କିଟ ଯୋଗୁଁ ଏକ ଫ୍ରିଜ୍ ବିସ୍ଫୋରଣ ଘଟି ଘରର ଥିବା ବିଭିନ୍ନ ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି। ଏହି ଘଟଣାରେ ପରିବାର ସଦସ୍ୟମାନେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ବଡ଼ ଧରଣର ଅଘଟଣ ଟଳିଯାଇଛି।
ସୂଚନା ଅନୁଯାୟୀ, ଗ୍ରାମର ପ୍ରଶାନ୍ତ ନାୟକଙ୍କ ଘରେ ସକାଳ ପ୍ରାୟ ୯ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ସେତେବେଳେ ପରିବାର ସଦସ୍ୟମାନେ ଘର ବାହାରେ କାମ କରୁଥିବାରୁ କେହି ଘର ଭିତରେ ନଥିଲେ। ହଠାତ୍ ଫ୍ରିଜ୍ରେ ସଟ୍ ସର୍କିଟ ହୋଇ ବିସ୍ଫୋରଣ ଘଟିବା ସହ ନିଆଁ ବ୍ୟାପିଯାଇଥିଲା। ଫ୍ରିଜ୍ ସହ ଘରେ ଥିବା ବିଭିନ୍ନ ସାମଗ୍ରୀରେ ନିଆଁ ଲାଗି ଧୂଆଁ ଉପର ମହଲାକୁ ଉଠିଥିଲା। ଧୂଆଁ ଦେଖି ପରିବାର ଲୋକେ ଘରକୁ ଆସିବା ବେଳକୁ ସମଗ୍ର ଘର ଧୂଆଁ ଓ ନିଆଁରେ ଆବୃତ ହୋଇଥିଲା। ଏହାପରେ ସ୍ଥାନୀୟ ଲୋକେ ଓଡ଼ଗାଁ ଦମକଳ ବାହିନୀକୁ ଖବର ଦେଇଥିଲେ।
ଖବର ପାଇ ଦମକଳ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ ନିଆଁ ଅଧିକ ବ୍ୟାପିବା ପୂର୍ବରୁ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା। ବିଶେଷଜ୍ଞମାନଙ୍କ ମତାନୁସାରେ, ବିଦ୍ୟୁତ ତ୍ରୁଟି କିମ୍ବା ଫ୍ରିଜ୍ ଉପରେ ଅତ୍ୟଧିକ ଚାପ ପଡ଼ିବା ଯୋଗୁଁ ଏପରି ଦୁର୍ଘଟଣା ଘଟିପାରେ। ତେଣୁ ଫ୍ରିଜ୍ ସହିତ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ବ୍ୟବହାର ସମୟରେ ସୁରକ୍ଷା ନିୟମ ପାଳନ କରିବା ସହ ନିୟମିତ ଯାଞ୍ଚ କରାଇବାକୁ ପରାମର୍ଶ ଦିଆଯାଇଛି।







