ହେଡଲାଇନସ୍:

ଅନାସ୍ଥା କାର୍ଯ୍ୟକାରୀ କରିବାକୁ ଜନପ୍ରତିନିଧିଙ୍କ ଧାରଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ଏସ୍‌ଆଇଆର୍ ବାହାନା କଲା ପ୍ରଶାସନ

  • ୧୭ରୁ ଅହୋରାତ୍ର ଧାରଣା ପାଇଁ ଚେତାବନୀ

ନୟାଗଡ଼(ବିଶ୍ୱଜିତ ନାୟକ):- ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଲେ ନିର୍ବାଚିତ ଜନପ୍ରତିନିଧି । ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା କାର୍ଯ୍ୟକାରୀ କରିବାରେ ପ୍ରଶାସନ କରୁଥିବା ଅବହେଳା ପ୍ରତିବାଦରେ ଧାରଣା ଦିଆଯାଇଥିଲା । ଗତ ମେ ୧୨ ତାରିଖରେ ବିଜେଡିରୁ ଇସ୍ତଫା ଦେଇ ୧୫ ତାରିଖରେ ବିଜେପିରେ ମିଶିଥିଲେ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ। ଯାହାକୁ ନେଇ ନିର୍ବାଚିତ ସରପଞ୍ଚ ଓ ସମିତିସଭ୍ୟ ମେ ୧୮ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ। ଆଜି ପର‌୍ୟ୍ୟନ୍ତ ଅନାସ୍ଥା ପ୍ରକିୟା ଆରମ୍ଭ ହୋଇନାହିଁ। ଉପଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବରେ ରହିଥିବା ଦସ୍ତଖତ ଯାଞ୍ଚ କରିବାକୁ ପଠାଇ ସମୟ ଗଡ଼ାଇ ଚାଲିଥିବା ଅଭିଯୋଗ ହୋଇଛି। ଗତ ୩୦ ତାରିଖରେ ଅନେକ ଜନପ୍ରତିନିଧି ନୟାଗଡ଼ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟକୁ ଯାଇ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଘେରାଉ କରିଥିଲେ। ଉପଜିଲ୍ଲାପାଳଙ୍କୁ ପ୍ରଶ୍ନବାଣରେ ତାଙ୍କୁ ଛନ୍ଦିଥିଲେ। କାହିଁକି ବିଳମ୍ବ ହେଉଛି, ଚାପରେ ପ୍ରଶାସନ ଚେପା ହେଉଛି କି ବୋଲି ପ୍ରଶ୍ନ କରିଥିଲେ। ଉପଜିଲ୍ଲାପାଳ କୈାଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଜିଲ୍ଲାପାଳ ମଧୁମିତା ରଥ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ ପହଞ୍ଚି ଜନପ୍ରତିନିଧିଙ୍କୁ ବୁଝାଶୁଝା କରିଥିଲେ। ଦୁଇ ଦିନ ମଧ୍ୟରେ ଅନାସ୍ଥା ପ୍ରକିୟା ଆରମ୍ଭ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଥିଲେ। ୩୦ ତାରିଖରୁ ଆଜି ମଧ୍ୟରେ ଜନପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ଦୁଇ ଦୁଇ ଥର ଭେଟିବା ପରେ ବି ଅନାସ୍ଥା ପାଇଁ କୈାଣସି ପ୍ରକିୟା ଆରମ୍ଭ ହୋଇନାହିଁ। ଘଟଣାକୁ ନେଇ ନୟାଗଡ଼ରେ ରାଜନୈତିକ ମାହୋଲ ଉଷ୍ମ ହେଉଛି। ପ୍ରଶାସନ ସରକାରୀ ଦଳର ହାତ ବାରିଶ ସାଜୁଥିବା ଅଭିଯୋଗ ହୋଇଛି। ଆଜି ନୟାଗଡ଼ ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଓ ଜନପ୍ରତିନିଧିମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି । ଜିଲ୍ଲା ପରିଷଦ ସଦସ୍ୟ ସରୋଜ ରଣିସିଂ, ସୁବାଷ ଚନ୍ଦ୍ର କହଁର, କ୍ଷୀରୋଦ ମହାପାତ୍ର ପ୍ରମୂଖ ଉପସ୍ଥିତ ରହି ଧାରଣାକୁ ସମର୍ଥନ ଦେଇଛନ୍ତି । ଜିଲ୍ଲା ପ୍ରଶାସନ ଗଣତନ୍ତ୍ରର ହତ୍ୟା କରୁଥିବା ଏବଂ ଅନସ୍ଥା କାର୍ଯ୍ୟକାରୀ କରାନଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ବାଲୁଗାଁ ସରପଞ୍ଚ ମନୋଜ କୁମାର ନାୟକ ଗଣମାଧ୍ୟମକୁ କହିଛନ୍ତି । ଆଜି ଦୀର୍ଘ ସମୟ ଧାରଣା ଦେବା ପରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଧାରଣା ସ୍ଥଳକୁ ଆସି ଜନପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଉପଜିଲ୍ଲାପାଳ ଏସ୍‌ଆଇଆର୍ କାମ ଚାଲିଥିବାରୁ ଜୁଲାଇ ୫ ତାରିଖ ପରେ ଅନସ୍ଥା ପାଇଁ ନୋଟିସ କରାଯିବ ବୋଲି କହିଥିଲେ । ଏହା ଶୁଣି ନିର୍ବାଚିତ ଜନପ୍ରତିିନିଧିମାନେ ଜୋରଦାର ବିରୋଧ କରିଥିଲେ । ଅନସ୍ଥା ନୋଟିସ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହେବ ବୋଲି କହିଥିଲେ । ଏହା ଶୁଣି ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ସେଠାରୁ ଫେରି ଯାଇଥିଲେ । ଜିଲ୍ଲା ପ୍ରଶାସନ ସରକାରୀ କଳ ଦ୍ୱାରା ଚାପ ଗ୍ରସ୍ତ ବୋଲି ଜନପ୍ରତିନିଧିମାନେ କହିବା ସହ ଅସନ୍ତୋଷ ଜାହିର କରିଥିଲେ । ଜନପ୍ରତିନିଧିମାନେ ଆଜି ଜିଲ୍ଲାପାଳଙ୍କୁ ପୁଣି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଆସନ୍ତା ୧୭ ତାରିଖଠାରୁ ଅହୋରାତ୍ର ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି ।

0
0
0
s2sdefault