ହେଡଲାଇନସ୍:

ସମାଜ ପ୍ରତି ଦାୟିତ୍ୱବୋଧର ଅନନ୍ୟ ଉଦାହରଣ: ଛୁଟିରେ ପିଲାଙ୍କ ଭବିଷ୍ୟତ ଗଢ଼ୁଛନ୍ତି ଧୁଲୁଣ୍ଡାର ଯୁବଗୋଷ୍ଠୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଝାରସୁଗୁଡ଼ା: ଆଜିର ସମୟରେ ଯେତେବେଳେ ବ୍ୟକ୍ତିଗତ ସଫଳତା ଓ ସହରମୁଖୀ ଜୀବନଶୈଳୀକୁ ଅଧିକ ଗୁରୁତ୍ୱ ଦିଆଯାଉଛି, ସେତେବେଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଚାରପାଲି ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଧୁଲୁଣ୍ଡା ଗ୍ରାମ ସମାଜ ପ୍ରତି ଦାୟିତ୍ୱବୋଧର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ସୃଷ୍ଟି କରିଛି। ସୀମାନ୍ତ ୧୯ ଖଣ୍ଡ ମୌଜା ଅଞ୍ଚଳର ଏହି ଗ୍ରାମ ଆଜି ଶିକ୍ଷା କ୍ଷେତ୍ରରେ ଏକ ଆଦର୍ଶ ଗ୍ରାମ ଭାବେ ପରିଚିତ ହୋଇପାରିଛି।

ଗ୍ରାମର ଶିକ୍ଷିତ ଯୁବକ, ଶିକ୍ଷକ ଓ ସଚେତନ ନାଗରିକମାନେ ମିଳିତ ଭାବେ ପିଲାମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଏକ ନିରବ ଶିକ୍ଷା ଆନ୍ଦୋଳନ ଚଳାଇ ଆସୁଛନ୍ତି। ଗ୍ରୀଷ୍ମ ଅବକାଶ ସମୟରେ ଅନ୍ୟମାନେ ବିଶ୍ରାମ ନେଉଥିବା ବେଳେ ଧୁଲୁଣ୍ଡାର ଯୁବଗୋଷ୍ଠୀ ଓ ଶିକ୍ଷକମାନେ ନିଜ ସମୟକୁ ଗ୍ରାମର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ପାଇଁ ଉତ୍ସର୍ଗ କରୁଛନ୍ତି।

୨୦୧୬ ମସିହାରେ ମାତ୍ର ୧୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ନିଃଶୁଳ୍କ ଗ୍ରୀଷ୍ମକାଳୀନ ଶିକ୍ଷା ଶିବିର ଆଜି ୧୧ ବର୍ଷରେ ପଦାର୍ପଣ କରି ୯୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ ଗଢ଼ିବାରେ ସହାୟକ ହୋଇଛି। ଆଦର୍ଶ, କେନ୍ଦ୍ରୀୟ ଓ ନବୋଦୟ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନେ ନିଜ ଛୁଟି ସମୟରେ ଗାଁକୁ ଫେରି ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି।

ଏହି ଶିବିରରେ କୌଣସି ପ୍ରକାର ଶୁଳ୍କ ନିଆଯାଉ ନଥିବା ବେଳେ ‘ଗୁରୁ ଦକ୍ଷିଣା’ ଭାବେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକ ଲେଖାଏଁ ଗଛ ରୋପଣ କରିବାକୁ ପ୍ରେରିତ କରାଯାଉଛି। ଏହା ମାଧ୍ୟମରେ ଶିକ୍ଷା ସହ ପରିବେଶ ସୁରକ୍ଷା ଓ ସାମାଜିକ ମୂଲ୍ୟବୋଧର ବିକାଶ ମଧ୍ୟ ହେଉଛି। ପାଠପଢ଼ା ସହ ଶୃଙ୍ଖଳା, ବ୍ୟକ୍ତିତ୍ୱ ବିକାଶ, ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ଓ କ୍ୟାରିୟର ମାର୍ଗଦର୍ଶନ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି।

ଧୁଲୁଣ୍ଡା ଗ୍ରାମର ଶିକ୍ଷାଗତ ସଫଳତାର ପ୍ରମାଣ ସ୍ୱରୂପ ଏଠାରୁ ୭୧ ଜଣ ସରକାରୀ କର୍ମଚାରୀ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କ ମଧ୍ୟରେ ୩୯ ଜଣ ଶିକ୍ଷକ, ୧୨ ଜଣ ପୋଲିସ କର୍ମଚାରୀ, ୩ ଜଣ ପ୍ରତିରକ୍ଷା ବିଭାଗ କର୍ମଚାରୀ, ୩ ଜଣ ରେଳବାଇ କର୍ମଚାରୀ, ୩ ଜଣ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ୨ ଜଣ ଡାକ ବିଭାଗ କର୍ମଚାରୀ ରହିଛନ୍ତି। ବିଶେଷ କଥା ହେଉଛି, ଏହି ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ ଆଜି ମଧ୍ୟ ନିଜ ଗାଁର ପିଲାମାନଙ୍କ ପାଇଁ ସମୟ ଦେଇ ଏହି ଶିକ୍ଷା ଶିବିରକୁ ସଫଳ କରିବାରେ ଭୂମିକା ନେଉଛନ୍ତି।

ଏହି ପ୍ରୟାସର ଫଳସ୍ୱରୂପ ଅନେକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ସଫଳତା ହାସଲ କରୁଛନ୍ତି। ଧୁଲୁଣ୍ଡାର ଏହି ଉଦ୍ୟମ ପ୍ରମାଣ କରିଛି ଯେ, ସମାଜ ପ୍ରତି ଦାୟିତ୍ୱବୋଧ ଓ ସାମୂହିକ ପ୍ରୟାସ ଥିଲେ ଗ୍ରାମାଞ୍ଚଳ ମଧ୍ୟ ଶିକ୍ଷାର ଏକ ସଶକ୍ତ କେନ୍ଦ୍ରରେ ପରିଣତ ହୋଇପାରିବ। ଧୁଲୁଣ୍ଡାର ଏହି ନିରବ ଶିକ୍ଷା ବିପ୍ଳବ ଆଜି ସମଗ୍ର ସମାଜ ପାଇଁ ଏକ ପ୍ରେରଣାଦାୟକ ଦିଗଦର୍ଶନ ପାଲଟିଛି।

0
0
0
s2sdefault