ହେଡଲାଇନସ୍:

ସାମ୍ବାଦିକଙ୍କ ସୁରକ୍ଷା ସଙ୍କଟରେ: ବିଭୂତି, ଦେଶରେ ମୁଦ୍ରିତ ଗଣମାଧ୍ୟମର ଆଦୃତି ବଢ଼ିଛି : ସତ୍ୟ ନାରାୟଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନିଜ ସ୍ୱାର୍ଥ ପାଇଁ ଗଣମାଧ୍ୟମ ଓଡ଼ିଶାକୁ ବିଶ୍ୱଦରବାରରେ ନିମ୍ନ କରି ପ୍ରଦର୍ଶିତ କରୁଛି : ନୀଳମାଧବ

 

ଭୁବନେଶ୍ୱର/chakradhar majhi  : ସମାଜରେ ପରିବର୍ତ୍ତନ ଆଣିବାରେ ସାମ୍ବାଦିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏକ କ୍ଷୁଦ୍ରାତି କ୍ଷୁଦ୍ର ପ୍ରସଙ୍ଗକୁ ଲୋକଲୋଚନକୁ ଆଣି ସେ ଏକ ବୈପ୍ଲବିକ ଆନ୍ଦୋଳନ  ସୃଷ୍ଟି କରେ । ସାମ୍ବାଦିକର କଲମ ଉପରେ ସାଧାରଣ, ଦରିଦ୍ର, ନିଷ୍ପେସିତ ଲୋକ ନ୍ୟାୟ ପାଇଁ ଅପେକ୍ଷା କରିଥାଏ । କିନ୍ତୁ ଆଜି ସାମ୍ବାଦିକର ସ୍ୱାଧୀନତା ସଙ୍କଟରେ । ଅନ୍ୟାୟ ଓ ଅବିଚାର ବିରୋଧରେ ଲଢେ଼ଇ କରିବା ବେଳେ ସେ ଅସୁରକ୍ଷିତ ହୋଇପଡ଼ିଛି । ସେମାନଙ୍କ ସୁରକ୍ଷା ନେଇ ସମାଜ ନା ସରକାର କେହି ଚିନ୍ତିତ ନୁହଁନ୍ତି । ଯାହା ସମାଜ ପାଇଁ ଏକ ବଡ଼ ବିପଦ ବୋଲି ବିଶିଷ୍ଟ ସାହିତି୍ୟକ, ଔପନ୍ୟାସିକ, ଗାଳ୍ପିକ ତଥା ଡ. ବିଭୂତି ପଟ୍ଟନାୟକ କହିଛନ୍ତି ।

 ଦୈନିକ ଖବରକାଗଜ ‘ସର୍ବସାଧାରଣ’ର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ପଟ୍ଟନାୟକ କହିଥିଲେ, ଦେଶରୁ ଜାତିଭେଦ, ଲିଙ୍ଗବୈଷମ୍ୟ, ସାଂପ୍ରଦାୟିକତା ନଯାଏ, ସେ ପର୍ଯ୍ୟନ୍ତ ଭାରତ ସମୃଦ୍ଧ ହୋଇପାରିବ ନାହିଁ । କନ୍ନଡ ସାମ୍ବାଦିକା ଗୌରୀ ଲଙ୍କେଶ୍ୱଙ୍କୁ ହତ୍ୟା ପ୍ରସଙ୍ଗରେ  ସେ ସାଂପ୍ରଦାୟିକତାକୁ ହିଁ ଦାୟୀ କରିଥିଲେ । ସାମ୍ବାଦିକଙ୍କ କ୍ଷମତା ଗୌଣ ହେବାରେ ଲାଗିଛି । ସାମ୍ବାଦିକଙ୍କ ସୁରକ୍ଷା ସ୍ଥିତି ନେଇ ବର୍ତ୍ତମାନ ଚିନ୍ତା କରିବାର ସମୟ ଆସିଛି । ସାହିତ୍ୟ ସହ ସମ୍ବାଦପତ୍ରର ସମ୍ପର୍କ ଉପରେ ସେ କହିଥିଲେ, ସାହିତ୍ୟ ଓ ସମ୍ବାଦପତ୍ର ପରସ୍ପର ନିର୍ଭରଶୀଳ । ସାହିତ୍ୟର ଭାଷା ଯେପରି ସମ୍ବାଦପତ୍ରକୁ ଆଚ୍ଛନ କରି ରଖିଛି, ସେହିପରି ସମ୍ବାଦପତ୍ର ମଧ୍ୟ ସାହିତ୍ୟକୁ ଲୋକଭିମୁଖୀ କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରୁଛି । ସମ୍ବାଦପତ୍ରରେ ଭାଷାଜ୍ଞାନ ଜରୁରୀ । ସେ ଆହୁରି କହିଥିଲେ, କେବଳ ପୃଷ୍ଟାରୁ  ଖବରକାଗଜ ଜଣାଯାଏନି । ଲୋକଙ୍କ ସମସ୍ୟାକୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି । ବର୍ତ୍ତମାନ ଖବରକାଗଜ ବିଜ୍ଞାପନ ଉପରେ ନିର୍ଭର କରୁଛି । ଯଦି ଆଞ୍ଚଳିକ ଭାଷାର ଖବରକାଗଜ ବିଜ୍ଞାପନ ଉପରେ ନିର୍ଭର କରି ପୃଷ୍ଠା ସଂଖ୍ୟା ବୃଦ୍ଧି କରେ, ତେବେ ସେ ଖବରକାଗଜ ବେଶୀ ଦିନ ତିଷ୍ଠି ନାହିଁ ବୋଲି ସେ କହିଥିଲେ ।

  ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବିଶିଷ୍ଟ ଗବେଷକ ତଥା ଗାନ୍ଧୀ ଦର୍ଶନର ଅନନ୍ୟ ପ୍ରବକ୍ତା ସତ୍ୟ ନାରାୟଣ ସାହୁ କହିଥିଲେ, ବର୍ତ୍ତମାନ ସମୟରେ ସାରା ବିଶ୍ୱରେ ଖବରକାଗଜର ବିତରଣ ଓ ସଂଖ୍ୟା କମୁଥିବା ବେଳେ ଭାରତରେ ନୂତନ ଖବରକାଗଜ ସଂଖ୍ୟା ବୃଦ୍ଧି ପାଇପାରେ ଲାଗିଛି । ଯେଉଁଥିପାଇଁ ଭାରତର ଗଣମାଧ୍ୟମକୁ ବିଶ୍ୱର ଗଣମାଧ୍ୟମ ଶକ୍ତି ବୋଲି କୁହାଯାଉଛି । ଗଣମାଧ୍ୟମ ସବୁ ଅନୁଷ୍ଠାନ  ଠାରୁ କ୍ଷମତାଶାଳୀ ହେବାରେ ଲାଗିଛି । ସୋସିଆଲ ମିଡିଆରେ କିଛି ମୂହୁର୍ତ୍ତ ମଧ୍ୟରେ ପ୍ରତିଟି ଖବର ପ୍ରଚାରିତ ହୋଇଯାଉଛି । ତେଣୁ ଏହାକୁ କଟକଣା ଭିତରେ ରଖିବା ସମ୍ଭବପର ହୋଇରହିନାହିଁ । କ୍ଷମତା ଆସିବା ହେତୁ ଗଣମାଧ୍ୟମର ଦାୟିତ୍ୱବୋଧ ବଢ଼ିଯାଇଛି । ସାଧାରଣ ଲୋକଙ୍କ ପ୍ରତି ସମ୍ବେଦନଶୀଳ ହୋଇ ଗଣମାଧ୍ୟମ ଖବର ପରିବେଷଣ କରିବା ଜରୁରୀ ହୋଇପଡ଼ିଛି ।

  କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡା କହିଥିଲେ, ଗଣମାଧ୍ୟମ ସମାଜର ଏକ ମୁଖ୍ୟ ଉପାଦାନ ହୋଇଯାଇଛି । ସମାଜର ଦରିଦ୍ର, ନିଷ୍ପେସିତ ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ଉପସ୍ଥାପନ କରୁଛନ୍ତି । କିନ୍ତୁ ଟିଆରପି ଓ ବିତରଣ ବୃଦ୍ଧି ପାଇଁ ଆଜି ଗଣମାଧ୍ୟମ ଅତିରଞ୍ଜିତ କରି ଲୋକଙ୍କ ନିକଟକୁ ଆଣୁଛି । ଓଡ଼ିଶା ବାହାରେ ରହି ଓଡ଼ିଶାର କ’ଣ ପରିବର୍ତ୍ତନ ହୋଇଛି ତାହା ସେ ଲକ୍ଷ୍ୟ କରୁଛନ୍ତି ବୋଲି କହିଥିଲେ । ହେଲେ ନିଜ ସ୍ୱାର୍ଥ ପାଇଁ ଗଣମାଧ୍ୟମ ଓଡ଼ିଶାକୁ ବିଶ୍ୱଦରବାରରେ ନିମ୍ନ କରି ପ୍ରଦର୍ଶିତ କରୁଛି । ଓଡ଼ିଆ ପରି ସ୍ୱାଭିମାନ ଜାତି କେହି ନାହିଁ । ଓଡ଼ିଶାରେ ଅନେକ ସକରାତ୍ମକ ଖବର ରହିଛି । ତାହାକୁ ଲୋକଲୋଚନକୁ ଆଣିବା ଦରକାର ବୋଲି ସେ କହିଥିଲେ ।

  ‘ସର୍ବସାଧାରଣ’ର ସମ୍ପାଦକ ଡ. ହରପ୍ରସାଦ ପରିଛା ପଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ଏହି ଉତ୍ସବରେ ‘ଶିଶିର’ର ବାର୍ଷିକ ବିଶେଷାଙ୍କ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ‘ଶିଶିର’ର ସମ୍ପାଦକ ସୁନୀଲ କୁମାର ପୃଷ୍ଟି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଟିମ୍ ମିଡିଆ ଆଣ୍ଡ ହସ୍ପିଟାଲିଟି ପ୍ରା. ଲି. ର ପରିଚାଳନା ନିର୍ଦ୍ଦେଶକ  ସତ୍ୟପ୍ରିୟ ଜୟସିଂ । ଏହି ଅବସରରେ ‘ସର୍ବସାଧାରଣ’ର ସାମ୍ବାଦିକ ଅନିଲ ବୈଶାଖ, ସାମ୍ବାଦିକ ଆଲୋକ ପାତ୍ରଙ୍କୁ ଶ୍ରେଷ୍ଠ  ସମ୍ବାଦିକ ସମ୍ମାନ ପ୍ରଦାନ କରାଯାଇଥିଲା ।

0
0
0
s2sdefault