ସାତମାସରେ ଫଇସଲା କଲେ ଅଦାଲତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦିନକୁ ଦିନ ସମାଜରେ ଚୋରି ବଢ଼ିବାରେ ଲାଗିଛି। ସେଇଭଳି ଏକ ମାମଲା ଗତବର୍ଷ ନଭେମ୍ବର ମାସରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ରାଣୀପେଣ୍ଠ ସ୍ଥିତ ସିମ୍ହା ନଗରରେ ଘଟିଯାଇଥିଲା ; ଯେଉଁ ମାମଲାର ଶୁଣାଣି କରି ଆଜି ପାରଳାଖେମୁଣ୍ଡି ଏସଡ଼ିଜେଏମ୍ ସୁଶ୍ରୀ ଗାୟତ୍ରୀ ମିଶ୍ର ଅଭିଯୁକ୍ତ ସଞ୍ଜୟ ଗାନ୍ଧୀ କଲୋନୀ ନିବାସୀ ମଙ୍ଗଳମ ଚାଣ୍ଟି ଓ ଦୋଳବନ୍ଧ ନିବାସୀ ଏନ. ନାଗରାଜୁଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫ ତଥା ୩୩୧(୩)ରେ ଦୋଷୀ ସାବ୍ୟସ୍ତ କରି ପୃଥକ ପୃଥକ ଭାବେ ତିନି ବର୍ଷର ସଶ୍ରମ କାରାଦଣ୍ଡ ସହ ଏକ ହଜାର ଟଙ୍କାର ଜୋରିମାନାରେ ଅଭିଯୁକ୍ତ ଦ୍ବୟଙ୍କୁ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏପିପି କାଶୀନାଥ ଦାସ ଏହି ମାମଲାର ସଫଳ ପରିଚାଳନା କରିଥିବା ବେଳେ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଏହି ମାମଲାଟିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ୨୦ ତାରିଖ ଦିନ ମଧ୍ୟାହ୍ନ ଦୁଇ ଘଣ୍ଟା ସମୟରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ରାଣୀପେଣ୍ଠ ସ୍ଥିତ ସିମ୍ହା ନଗରର ଏତଲାକାରି ଅଟୋ ଚାଳକ କର୍ଣ୍ଣମ ସୀମାଦ୍ରୀଙ୍କ ଘରେ କେହି ନଥିବାର ସୁଯୋଗ ନେଇ ଉପରୋକ୍ତ ଦୁଇ ଆସାମୀ ଘରର ତାଲା ଭାଙ୍ଗି ଘର ଭିତରେ ପଶି ଚୋରି କରୁଥିଲେ। ଦିବା ପ୍ରାୟ ୨.୩୦ମିନିଟ ସମୟରେ ଯେତେବେଳେ ଏତଲାକାରି ଘରକୁ ଆସି ତାଲା ଭଙ୍ଗା ଯାଇଥିବାର ଦେଖିଲେ, ସେତିକିବେଳେ ସେ ପାଟି କରିବାରୁ ଘର ଭିତରୁ ଶବ୍ଦ ଆସିବା ଶୁଣି ବାହାରୁ କବାଟ ବନ୍ଦ କରିଦେଇଥିଲେ ଓ ସାହି ଲୋକ ଜମା ହେବା ପରେ ପୋଲିସକୁ ଖବର ଦେବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପୂର୍ବକ ସେଠାରେ ପହଞ୍ଚି କବାଟ ଖୋଲି ଦେଖିଥିଲେ ଯେ, ଉପରୋକ୍ତ ଦୁଇ ଆସାମୀ ଭିତରେ ରହିଛନ୍ତି ଓ ପରେ ତାଙ୍କ ପାଖରୁ ଚୋରି ଜିନିଷ ଜବତ କରି ତାଙ୍କୁ କୋର୍ଟ ଚାଲାଣ କରିଥିଲେ।
ଏହି ମାମଲାକୁ ନେଇ ସେହି ଦିନ ସ୍ଥାନୀୟ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ମାମଲା ନମ୍ବର ୩୬୮ରେ ଏକ ମାମଲା ରୁଜୁ ହୋଇଥିଲା। ପାରଳାଖେମୁଣ୍ଡି ଥାନାର ଏସ.ଆଇ. ଜଗନ୍ନାଥ ପ୍ରଧାନ ଏହି ମାମଲାର ତଦନ୍ତକାରୀ ଅଧିକାରୀ ରହିଥିଲେ। ଆଜି ପ୍ରତ୍ୟକ୍ଷଦର୍ଶୀ , ତଦନ୍ତକାରୀ ଅଧିକାରୀ ତଥା ୫ଜଣ ଅନ୍ୟ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାନ୍ୟବର ନ୍ୟାୟାଧୀଶ ଅଭିଯୁକ୍ତ ଦ୍ବୟଙ୍କୁ ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫ (ଘରେ ପଶି ଚୋରି କରିବା)ରେ ୩ବର୍ଷର ସଜା ଓ ୧ହଜାର ଟଙ୍କାର ଜୋରିମାନା ତଥା ଧାରା ୩୩୧(୩)ରେ ୩ବର୍ଷର ସଜା ଓ ୧ହଜାର ଟଙ୍କା ଜୋରିମାନାରେ ଉକ୍ତ ଅଭିଯୁକ୍ତ ଦ୍ବୟଙ୍କୁ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ପୃଥକ ଭାବେ ଆଉ ୧୫ଦିନ ସଶ୍ରମ କାରାଦଣ୍ଡ ଭୋଗ କରିବେ ବୋଲି ନିର୍ଦ୍ଦେଶ ରହିଛି। ଅଭିଯୁକ୍ତ ଦ୍ବୟ ଉପରୋକ୍ତ ଦୁଇ ଦଣ୍ଡ ଏକା ସହ ଭୋଗ କରିବେ ଅର୍ଥାତ ୩ବର୍ଷର ସଜା ହିଁ ଭୋଗ କରିବେ ବୋଲି ବିଚାରପତି ନିଜ ରାୟରେ ଉଲ୍ଲେଖ କରିଛନ୍ତି। ସୂଚନାଯୋଗ୍ୟ, ଏହି ମାମଲାରେ ତ୍ୱରିତ ବିଚାର କରାଯାଇ ମାତ୍ର ସାତ ମାସରେ ଦୋଷୀକୁ ଦଣ୍ଡିତ କରାଯାଇଛି।







