ହେଡଲାଇନସ୍:

ସିଙ୍ଗରଖଡ଼କ ଗ୍ରାମରେ କାଳବୈଶାଖୀର ତାଣ୍ଡବ, ୯ ପରିବାର ସର୍ବସ୍ୱ ହରାଇ ଦୁର୍ଦ୍ଦଶାରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

କାଶୀପୁର ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମୁନୁଷଗାଁ ପଞ୍ଚାୟତ ଅନ୍ତର୍ଗତ ସିଙ୍ଗରଖଡ଼କ ଗ୍ରାମରେ କାଳବୈଶାଖୀ ଝଡ଼ ଏବଂ ପ୍ରବଳ ବର୍ଷା ଯୋଗୁଁ ୯ଟି ପରିବାରର ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଘର ଭାଙ୍ଗି ଯିବା ସହିତ ବର୍ଷ ବର୍ଷ ଧରି ସଞ୍ଚୟ କରି ରଖିଥିବା ଧାନ, ମାଣ୍ଡିଆ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ଏହି ପରିବାରଗୁଡ଼ିକ ଖୋଲା ଆକାଶ ତଳେ ଜୀବନ ବିତାଇବାକୁ ବାଧ୍ୟ ହୋଇଥିବା ବେଳେ ପ୍ରଶାସନିକ ସହାୟତା ପାଇଁ ଗୁହାରି କରିଛନ୍ତି।
ଦିନ ପ୍ରାୟ ଦିପହର ସମୟରେ ହଠାତ୍ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ଏହାପରେ ପ୍ରବଳ ବର୍ଷା, ଘଡଘଡ଼ି ଓ ବିଜୁଳି ସହିତ ତୀବ୍ର ପବନ ସିଙ୍ଗରଖଡ଼କ ଗ୍ରାମରେ ତାଣ୍ଡବ ରଚିଥିଲା। ମାତ୍ର କିଛି ମିନିଟ୍‌ର ଝଡ଼ରେ ୯ଟି ପରିବାରର କୁଟୀର ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଚୁରମାର ହୋଇଯାଇଥିଲା।
ଘର ଭିତରେ ରଖାଯାଇଥିବା ବର୍ଷ ବର୍ଷର ସଞ୍ଚିତ ଧାନ, ମାଣ୍ଡିଆ, ଚାଉଳ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ବର୍ଷା ପାଣିରେ ନଷ୍ଟ ହୋଇଯାଇଛି। ଯାହାକୁ ଆଧାର କରି ଏହି ପରିବାରଗୁଡ଼ିକ ନିଜର ଜୀବନ ନିର୍ବାହ କରୁଥିଲେ, ତାହା ଆଜି ମାଟିରେ ମିଶିଯାଇଛି।
ବର୍ତ୍ତମାନ ଏହି ୯ଟି ପରିବାରର ଅବସ୍ଥା ଅତ୍ୟନ୍ତ ଦୟନୀୟ। ମୁଣ୍ଡ ଗୁଞ୍ଜିବା ପାଇଁ ଘର ନାହିଁ, ଖାଇବା ପାଇଁ ଖାଦ୍ୟ ନାହିଁ। ଛୋଟ ଛୋଟ ପିଲାଙ୍କୁ ନେଇ ପରିବାର ଲୋକେ ଗଭୀର ଚିନ୍ତାରେ ବସିଛନ୍ତି । ସେମାନଙ୍କ ଆଖିର ଲୁହ ଏବଂ ଦୁଃଖ ଦେଖିଲେ ଯେକୌଣସି ଲୋକଙ୍କ ହୃଦୟ ବି ଭାଙ୍ଗିଯିବ।
କ୍ଷତିଗ୍ରସ୍ତ ପରିବାରମାନେ କହିଛନ୍ତି, “ଆମେ ଏବେ କେଉଁଠି ରହିବୁ, କଣ ଖାଇବୁ କିଛି ବୁଝିପାରୁନାହୁଁ। ଆମର ସବୁକିଛି ନଷ୍ଟ ହୋଇଯାଇଛି।
ଏପଟେ ଗ୍ରାମବାସୀମାନେ ପ୍ରଶାସନ ନିକଟରେ ତୁରନ୍ତ ରିଲିଫ୍ ସହାୟତା, ଖାଦ୍ୟ ସାମଗ୍ରୀ ଓ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି। ପ୍ରଶାସନ ଯଥାଶୀଘ୍ର ଘଟଣାସ୍ଥଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କରି ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।

0
0
0
s2sdefault