ଏକ ପ୍ରଥମ-ପ୍ରକାରର ଉତ୍ପ୍ରେରକ ଅନୁଦାନ ଏବଂ ପରାମର୍ଶ କାର୍ଯ୍ୟକ୍ରମ ପ୍ରମାଣ କରିବାକୁ ଚାହେଁ ଯେ ଔପଚାରିକ ଅର୍ଥବ୍ୟବସ୍ଥାରୁ ବାଦ ପଡ଼ିଥିବା ମହିଳାମାନେ ସଫଳ, ସ୍ଥାୟୀ ଉଦ୍ୟୋଗ ନିର୍ମାଣ କରିପାରିବେ
ଭୁବନେଶ୍ୱର, ଓଡ଼ିଶା, ୨୩ ଜୁନ୍ ୨୦୨୬ : ଇଣ୍ଡିଆନ୍ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜ୍ ଲିମିଟେଡ୍ (ଇମ୍ଫା ) ନିଜର ସାମାଜିକ ଦାୟିତ୍ୱବୋଧ ଶାଖା ‘ବଂଶୀଧର ଆଣ୍ଡ ଇଲା ପଣ୍ଡା ଫାଉଣ୍ଡେସନ୍’ (ବିଆଇପିଏଫ୍ ) ମାଧ୍ୟମରେ 'ସଖୀ ସୀଡ୍' କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ନେଇ ଘୋଷଣା କରିଛି। ଏହା ଏକ ଅଭିନବ କାର୍ଯ୍ୟକ୍ରମ ଯାହା ଗ୍ରାମାଞ୍ଚଳର ଏବଂ କ୍ଷୁଦ୍ର ମହିଳା ଉଦ୍ୟୋଗୀମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ କରାଯାଇଛି। ଏହି ମହିଳାମାନଙ୍କ ପାଖରେ ଉତ୍ତମ ବ୍ୟବସାୟିକ ଚିନ୍ତାଧାରା ଏବଂ ଦୃଢ଼ ଉଦ୍ୟୋଗୀ ହେବାର ସାମର୍ଥ୍ୟ ଥିଲେ ମଧ୍ୟ ସେମାନେ ପ୍ରାୟତଃ ପାରମ୍ପରିକ ଆର୍ଥିକ ସ୍ରୋତ ବା ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରୁ ବଞ୍ଚିତ ହୋଇଥାନ୍ତି।
ଏହି ଯୋଜନା ଅଧୀନରେ ୧୦ ଜଣ ମହିଳା ଉଦ୍ୟୋଗୀଙ୍କୁ ପ୍ରତ୍ୟେକଙ୍କୁ ₹ ୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯିବ। ଏହା ସହିତ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଭୁବନେଶ୍ୱର (XIM,Bhubaneswar) ପକ୍ଷରୁ ସେମାନଙ୍କୁ ସୁସଂଗଠିତ ବ୍ୟବସାୟିକ ପରାମର୍ଶ ଦିଆଯିବ, ଯାହାଦ୍ୱାରା ସେମାନେ ନିଜର ସ୍ଥାୟୀ ବ୍ୟବସାୟକୁ ମଜବୁତ ଓ ସଂପ୍ରସାରିତ କରିପାରିବେ। ଏହି କାର୍ଯ୍ୟକ୍ରମଟି 'କାଟାଲିଟିକ୍ କ୍ୟାପିଟାଲ୍' (ଉତପ୍ରେରକ ପୁଞ୍ଜି) ନୀତି ଉପରେ ଆଧାରିତ, ଯାହା ଉଦ୍ୟୋଗୀମାନଙ୍କୁ ସେମାନଙ୍କ ଯାତ୍ରାର ପ୍ରାରମ୍ଭିକ ତଥା ସବୁଠାରୁ ଦୁର୍ବଳ ସମୟରେ ଧୈର୍ଯ୍ୟବାନ ଏବଂ ବିପଦ-ସହନଶୀଳ ପାଣ୍ଠି ଯୋଗାଇ ଦେଇ ସଶକ୍ତ କରିଥାଏ।
ପାରମ୍ପରିକ ଆର୍ଥିକ ବ୍ୟବସ୍ଥା ତୁଳନାରେ, 'ସଖୀ ସୀଡ୍' କାର୍ଯ୍ୟକ୍ରମ ଏହା ଗ୍ରହଣ କରେ ଯେ ଅନେକ ପ୍ରତିଭାବାନ ମହିଳା ଉଦ୍ୟୋଗୀ ଆନୁଷ୍ଠାନିକ ଆର୍ଥିକ ପ୍ରଣାଳୀ ବାହାରେ କାର୍ଯ୍ୟ କରନ୍ତି। ସେମାନଙ୍କ ପାଖରେ ପ୍ରାୟତଃ କୌଣସି ବନ୍ଧକ , ଦାଖଲ ସଦୃଶ କ୍ରେଡିଟ୍ ହିଷ୍ଟ୍ରି , ଆନୁଷ୍ଠାନିକ ପଞ୍ଜୀକରଣ କିମ୍ବା ବ୍ୟାପକ କାଗଜପତ୍ର ନଥାଏ। ଏହି କାରଣରୁ ସେମାନେ ନିଜ ପରିବାର ଓ ସମାଜକୁ ଆର୍ଥିକ ସ୍ୱାବଲମ୍ବୀ କରୁଥିବା ବ୍ୟବସାୟ ଚଳାଉଥିଲେ ସୁଦ୍ଧା କୌଣସି ପ୍ରତିଷ୍ଠାନିକ ଋଣ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରନ୍ତି ନାହିଁ।
ଏହି ଅବସରରେ ବଂଶୀଧର ଆଣ୍ଡ ଇଲା ପଣ୍ଡା ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀମତୀ ଶୈଫାଳିକା ପଣ୍ଡା କହିଛନ୍ତି: “ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ଏକ ପ୍ରମାଣ ସୃଷ୍ଟି କରିବା ଯେ, ଯେଉଁ ମହିଳାମାନେ ବର୍ତ୍ତମାନର ଆନୁଷ୍ଠାନିକ ଋଣ ପାଇଁ ଯୋଗ୍ୟ ନୁହନ୍ତି, ସେମାନଙ୍କୁ ଯଦି ସଠିକ୍ ପୁଞ୍ଜି, ପରାମର୍ଶ ଏବଂ ଆନୁଷଙ୍ଗିକ ସହାୟତା ମିଳେ, ତେବେ ସେମାନେ ମଧ୍ୟ ଏକ ସ୍ଥାୟୀ ଓ ପ୍ରଗତିଶୀଳ ବ୍ୟବସାୟ ପ୍ରତିଷ୍ଠା କରିପାରିବେ। 'ସଖୀ ସୀଡ୍' କାର୍ଯ୍ୟକ୍ରମର ଏକ ବଡ଼ ଲକ୍ଷ୍ୟ ରହିଛି — ତାହା ହେଉଛି ଭାରତରେ ଉଦ୍ୟୋଗୀ ଆର୍ଥିକ ବ୍ୟବସ୍ଥାକୁ ବନ୍ଧକ ଏବଂ ବ୍ୟାପକ କ୍ରେଡିଟ୍ ହିଷ୍ଟ୍ରି ର ସୀମା ବାହାରକୁ ଦେଖିବା ପାଇଁ ଏକ ଦୃଷ୍ଟାନ୍ତ ସୃଷ୍ଟି କରିବା।”
ଏହି କାର୍ଯ୍ୟକ୍ରମ ଏକ ଦକ୍ଷ ପରାମର୍ଶଦାତା ବୋର୍ଡ ଦ୍ୱାରା ପରିଚାଳିତ ହେଉଛି। ଏଥିରେ ଫ୍ରଣ୍ଟିୟର ମାର୍କେଟ୍ସର ପ୍ରତିଷ୍ଠାତା ଓ ସିଇଓ ଏବଂ ଫ୍ରଣ୍ଟିୟର ଇନୋଭେସନ୍ସ ଫାଉଣ୍ଡେସନର ସଭାପତି ଅଜାଇତା ଶାହ; ମାନ୍ ଦେଶୀ ଫାଉଣ୍ଡେସନର ପ୍ରତିଷ୍ଠାତା ଚେତନା ଗାଲା ସିହ୍ନା; ବିଆଇପିଏଫ ର ପ୍ରତିଷ୍ଠାତା ଓ ସିଇଓ ଶୈଫାଳିକା ପଣ୍ଡା; ଇଣ୍ଡିଆ ପି୨ପି (IndiaP2P) ର ସହ-ପ୍ରତିଷ୍ଠାତା ଓ ସିଇଓ ନେହା ଜୁନେଜା ଏବଂ CNBC TV18 ର ମ୍ୟାନେଜିଙ୍ଗ ଏଡିଟର ଶିରିନ୍ ଭାନ ସାମିଲ ଅଛନ୍ତି।
ଏହି ପ୍ରଥମ ବ୍ୟାଚ୍ ପାଇଁ ଆବେଦନ ପ୍ରକ୍ରିୟା ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଏବଂ ଏହା ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଆବେଦନ କରିବାକୁ ଆଗ୍ରହୀ ମହିଳା ଉଦ୍ୟୋଗୀମାନେ ନିମ୍ନଲିଖିତ ଲିଙ୍କ୍ ମାଧ୍ୟମରେ ନିଜର ଆବେଦନପତ୍ର ଦାଖଲ କରିପାରିବେ: https://imfasakhiseed.accubate.app/ext/form/23777/1/apply
ଇମ୍ଫା 'ସଖୀ ସୀଡ୍' କାର୍ଯ୍ୟକ୍ରମ CNBC-TV18 ର 'ଫ୍ୟୁଚର. ଫିମେଲ୍. ଫରୱାର୍ଡ' (FFF) ପ୍ଲାଟଫର୍ମ ସହଭାଗିତାରେ କାର୍ଯ୍ୟକାରୀ କରାଯାଉଛି, ଯାହା ମହିଳା ଉଦ୍ୟୋଗୀମାନଙ୍କୁ ଜାତୀୟ ସ୍ତରରେ ପରିଚିତି ପ୍ରଦାନ କରିବ ଏବଂ ସମାବେଶୀ ଉଦ୍ୟୋଗିତା ତଥା ଲିଙ୍ଗ-ଉତ୍ତରଦାୟୀ ଆର୍ଥିକ ବ୍ୟବସ୍ଥା ଉପରେ ଏକ ବ୍ୟାପକ ଆଲୋଚନାକୁ ପ୍ରୋତ୍ସାହିତ କରିବ। ଏହି କାର୍ଯ୍ୟକ୍ରମର ଜ୍ଞାନ ଏବଂ ବ୍ୟବସାୟିକ ଶିକ୍ଷା ସହଯୋଗୀ ଭାବରେ 'ଏକ୍ସଆଇଏମ୍ ୟୁନିଭର୍ସିଟି' (XIM University) ବ୍ୟବସାୟିକ କୋଚିଂ ଏବଂ ଦକ୍ଷତା ବୃଦ୍ଧି ପାଇଁ ସହାୟତା ପ୍ରଦାନ କରିବ। ଏହା ଅଂଶଗ୍ରହଣକାରୀ ମାନଙ୍କୁ ବ୍ୟବସାୟିକ ଯୋଜନା, ଆର୍ଥିକ ପରିଚାଳନା, ମାର୍କେଟିଂ ଏବଂ ବଜାର ସଂଯୋଗୀକରଣ କ୍ଷେତ୍ରରେ ଦକ୍ଷ କରିବା ସହିତ ଶିଳ୍ପ ବିଶେଷଜ୍ଞ ଏବଂ ବ୍ୟବସାୟିକ ନେଟୱର୍କ ସହିତ ଯୋଡ଼ିବାରେ ସାହାଯ୍ୟ କରିବ।







