-
ଜୁଲାଇ ୫ ପରେ ରାସ୍ତା ଖୋଳା ଉପରେ ରୋକ
-
ସ୍ୱାସ୍ଥ୍ୟ ସେବା ପାଇଁ ଅତିରିକ୍ତ ୨୦୦ ବେଡ୍ ଓ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ବ୍ୟବସ୍ଥା
ପୁରୀ, ୨୩/୬: ବିଶ୍ୱପ୍ରସିଦ୍ଧ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ସୁରୁଖୁରୁ ଓ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ଲକ୍ଷ୍ୟରେ ମଙ୍ଗଳବାର ପୁରୀ ଟାଉନ ହଲ୍ରେ ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୈଠକରେ ଅଧ୍ୟକ୍ଷତା କରି କହିଥିଲେ ଯେ, ରଥଯାତ୍ରା ଏକ ସାମୂହିକ ଦାୟିତ୍ୱ ଏବଂ ସମସ୍ତ ବିଭାଗର ସମନ୍ୱିତ ପ୍ରୟାସରେ ଏହା ସଫଳ ହେବ।
ମନ୍ତ୍ରୀ ଶ୍ରୀ ହରିଚନ୍ଦନ ସୂଚନା ଦେଇଥିଲେ ଯେ, ପୁରୀ ସହରବାସୀଙ୍କୁ ଶ୍ରୀମନ୍ଦିର ଦର୍ଶନରେ ସୁବିଧା ଯୋଗାଇବା ପାଇଁ ଦୁଇଟି ପୋଷ୍ଟାଲ ପିନ୍ ନମ୍ବର ଆଧାରରେ ସେମାନଙ୍କୁ ଚିହ୍ନଟ କରି ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯିବ। ସେ କହିଥିଲେ ଯେ, ଜୁଲାଇ ୫ ତାରିଖ ପରେ ପୁରୀ ସହରରେ କୌଣସି ରାସ୍ତା ଖୋଳିବାକୁ ଅନୁମତି ଦିଆଯିବ ନାହିଁ।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ କହିଥିଲେ ଯେ, ରଥଯାତ୍ରା ସମୟରେ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ଼ କରିବା ପାଇଁ ଅତିରିକ୍ତ ୨୦୦ ବେଡ୍ ବ୍ୟବସ୍ଥା କରାଯିବ। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପନ କରାଯିବା ସହ ଆସନ୍ତା ବର୍ଷ ରଥଯାତ୍ରା ପୂର୍ବରୁ ସ୍ଥାୟୀ ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା କରାଯିବ। ରଥଯାତ୍ରା ପୂର୍ବରୁ ଡାକ୍ତର ଓ ଫୁଡ୍ ସେଫ୍ଟି ଅଫିସରମାନେ ପୁରୀରେ କାର୍ଯ୍ୟ ଆରମ୍ଭ କରିବେ ବୋଲି ସେ ସୂଚନା ଦେଇଥିଲେ।
ବୈଠକରେ ରଥକାଠ ଯୋଗାଣ, ରଥନିର୍ମାଣ, ନୀତିକାନ୍ତି, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ, ବିଦ୍ୟୁତ, ପରିବହନ, ପାର୍କିଂ, ଟ୍ରେନ୍ ଚଳାଚଳ, ସୁରକ୍ଷା ବ୍ୟବସ୍ଥା, ସିଧାସଳଖ ପ୍ରସାରଣ, ଯାତ୍ରୀ ସୂଚନା କେନ୍ଦ୍ର ଏବଂ ଏଲଇଡି ଟିଭି ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।
ବୈଠକରେ ବିଭିନ୍ନ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପ୍ରଶାସନ, ଶ୍ରୀମନ୍ଦିର ପ୍ରଶାସନ, ପୋଲିସ, ରେଲୱେ ଓ ଅନ୍ୟାନ୍ୟ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ, ସେବାୟତ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।







