ହେଡଲାଇନସ୍:

ବିରଞ୍ଚି ମେହେର ଆକ୍ରମଣ ଘଟଣା: ନିରପେକ୍ଷ ତଦନ୍ତ ଦାବି କଲେ ଦୀପାଳୀ ଦାସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା: ଝାରସୁଗୁଡା ସଦର ବ୍ଲକର ମରାକୁଟା ଗ୍ରାମର ବିଜେଡି କର୍ମୀ ଓ ସମାଜସେବୀ ବିରଞ୍ଚି ମେହେରଙ୍କ ଉପରେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଜିଲ୍ଲା ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରସଙ୍ଗରେ ସରବାହାଲସ୍ଥିତ ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜେଡି ସମ୍ପାଦିକା ଦୀପାଳୀ ଦାସ ଘଟଣାର ନିରପେକ୍ଷ ଓ ଗଭୀର ତଦନ୍ତ ଦାବି କରିଛନ୍ତି।

ଦୀପାଳୀ ଦାସଙ୍କ କହିବା ଅନୁଯାୟୀ, ଗତ ଜୁନ୍ ୧୯ ତାରିଖରେ ବିରଞ୍ଚି ମେହେରଙ୍କୁ ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା। ଏହାର ପ୍ରାୟ ଏକ ମାସ ପୂର୍ବରୁ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଏକ କମ୍ପାନୀର କଥିତ ବେଆଇନ କାରବାର ଓ ଜବରଦସ୍ତି ଆଦାୟ ପ୍ରସଙ୍ଗ ଉଠାଇଥିଲେ। ଏହା ପରେ ତାଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ମିଳୁଥିବା ଅଭିଯୋଗ ହୋଇଥିଲା।

ଘଟଣାର ୨୪ ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବାରୁ ଦୀପାଳୀ ଦାସ ପୋଲିସର ତତ୍ପରତାକୁ ସ୍ୱାଗତ କରିଥିଲେ। ତେବେ ଏହି ଆକ୍ରମଣ ପଛରେ ଥିବା ପ୍ରକୃତ ଷଡ଼ଯନ୍ତ୍ରକାରୀଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି।

ସେ କହିଛନ୍ତି ଯେ, ମାମଲାର ମୁଖ୍ୟ ଅଭିଯୁକ୍ତ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଘନିଷ୍ଠ ସହଯୋଗୀ ଏବଂ ଜଣେ ସକ୍ରିୟ ବିଜେପି ନେତା ବୋଲି ଜଣାପଡ଼ୁଛି। ତେଣୁ ବିଧାୟକଙ୍କ ସମ୍ଭାବ୍ୟ ସଂପୃକ୍ତି ଦିଗରେ ମଧ୍ୟ ନିରପେକ୍ଷ ତଦନ୍ତ କରାଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି।

“ଝାରସୁଗୁଡାବାସୀ ଭୟର ରାଜନୀତି ନୁହେଁ, ଉତ୍ତରଦାୟିତ୍ୱର ରାଜନୀତି ଚାହାଁନ୍ତି। କେବଳ ଆକ୍ରମଣକାରୀ ନୁହେଁ, ବରଂ ଏହା ପଛରେ ଥିବା ପ୍ରକୃତ ମାଷ୍ଟରମାଇଣ୍ଡ ଏବଂ ସମ୍ଭାବ୍ୟ ରାଜନୈତିକ ପୃଷ୍ଠପୋଷକଙ୍କୁ ମଧ୍ୟ ଆଇନର କାଠଗଡ଼ାକୁ ଅଣାଯାଉ,” ବୋଲି ଦୀପାଳୀ ଦାସ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ହରିଶ ଗଣତ୍ରା, ଜୟନ୍ତୀ ବାହୁକ, ପିଣ୍ଟୁ ପାଢ଼ୀ, ରବି ସିଂ, ଶିବାଶିଷ ପଟ୍ଟନାୟକ, ଦାମୋଦର ନାଥ, ଅଶୋକ ଦାସ, ପୱନ ସିଂ ଯାଦବ ଓ ଆଲୋକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault