ହେଡଲାଇନସ୍:

ଓଡ଼ଗାଁ ଅଞ୍ଚଳରେ ଲୋ ଭୋଲ୍ଟେଜ ସମସ୍ୟା ଉଗ୍ର;

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବିଦ୍ୟୁତ ପରିବହନ ଜନିତ ୬ କେଭି ହ୍ରାସ, ଉପଭୋକ୍ତାଙ୍କୁ ମିଳୁଛି ମାତ୍ର ୧୭୦-୧୮୦ ଭୋଲ୍ଟ ବିଜୁଳି


ଓଡ଼ଗାଁ, ୨୯।୫ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଦ୍ୟୁତ ସେକ୍ସନ ଅଞ୍ଚଳରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ ସାଙ୍ଗକୁ ଲୋ ଭୋଲ୍ଟେଜ ସମସ୍ୟା ଏବେ ଗୁରୁତର ରୂପ ନେଇଛି। ଫଳରେ ଘରୋଇ ଉପଭୋକ୍ତାମାନେ ଦୈନନ୍ଦିନ ଜୀବନରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫ୍ୟାନ, ଫ୍ରିଜ, ମୋଟର, ଗ୍ରାଇଣ୍ଡର ଠାରୁ ଆରମ୍ଭ କରି ଏଲଇଡି ବଲ୍ବ ପର୍ଯ୍ୟନ୍ତ ଅନେକ ବୈଦ୍ୟୁତିକ ଯନ୍ତ୍ର ସଠିକ୍ ଭାବରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ବର୍ତ୍ତମାନର ତୀବ୍ର ଗ୍ରୀଷ୍ମ ପ୍ରବାହ ଓ ଅସହ୍ୟ ଗରମ ମଧ୍ୟରେ ଲୋ ଭୋଲ୍ଟେଜ ସମସ୍ୟା ସାଧାରଣ ଲୋକଙ୍କ ଦୁର୍ଭୋଗକୁ ଆହୁରି ବଢ଼ାଇ ଦେଇଛି। ଦିନ ଓ ରାତିରେ ଗୁଳୁଗୁଳି ପରିସ୍ଥିତି ଯୋଗୁଁ ଲୋକମାନେ ଅସ୍ଥିର ହୋଇପଡ଼ୁଛନ୍ତି। ସୂଚନା ଅନୁସାରେ, ନୟାଗଡ଼ ରାଜପାଟଣା ଗ୍ରୀଡରୁ ଓଡ଼ଗାଁକୁ ୩୩ କେଭି ବିଦ୍ୟୁତ ଯୋଗାଣ ହେଉଥିବା ସତ୍ତ୍ୱେ ପରିବହନ ସମୟରେ ଭୋଲ୍ଟେଜ ଡ୍ରପ୍ ହେତୁ ଓଡ଼ଗାଁ ଷ୍ଟ୍ରକ୍ଚରରେ ମାତ୍ର ୨୭ କେଭି ବିଦ୍ୟୁତ ପହଞ୍ଚୁଛି। ଏହି ୬ କେଭି ହ୍ରାସକୁ ଲୋ ଭୋଲ୍ଟେଜର ପ୍ରମୁଖ କାରଣ ବୋଲି କୁହାଯାଉଛି। ଏହାର ପ୍ରଭାବରେ ୧୧ କେଭି ବିଦ୍ୟୁତ ଟ୍ରାନ୍ସଫର୍ମରର ପ୍ରାଇମେରୀରେ ପହଞ୍ଚିବା ପରେ ଆଉଟପୁଟରେ ମାତ୍ର ୯ କେଭି ବିଦ୍ୟୁତ ମିଳୁଛି। ଫଳସ୍ୱରୂପ ଘରୋଇ ଉପଭୋକ୍ତାମାନଙ୍କୁ ଆବଶ୍ୟକ ୨୩୦ ଭୋଲ୍ଟ ପରିବର୍ତ୍ତେ ପ୍ରାୟ ୧୭୦ ଭୋଲ୍ଟ ବିଦ୍ୟୁତ ଯୋଗାଣ ହେଉଛି। ବିଦ୍ୟୁତ ବିଶେଷଜ୍ଞମାନଙ୍କ ମତାନୁସାରେ, ପରିବହନ ଜନିତ ହ୍ରାସ ସହ ତାରର କ୍ଷମତା ହ୍ରାସ, ଅଧିକ ପରିମାଣରେ ଜମ୍ପର ବ୍ୟବହାର, ନିମ୍ନମାନର ବୈଦ୍ୟୁତିକ ଯନ୍ତ୍ରାଂଶ ପ୍ରୟୋଗ ଓ ସମୟୋପଯୋଗୀ ପରିବର୍ତ୍ତନର ଅଭାବ ଯୋଗୁଁ ବିଦ୍ୟୁତ ଅପଚୟ ବଢ଼ୁଛି। ଏହି ଅପଚୟ ରୋକାଯାଇ ପାରିଲେ ଲୋ ଭୋଲ୍ଟେଜ ସମସ୍ୟାକୁ ଅନେକ ଅଂଶରେ ନିୟନ୍ତ୍ରଣ କରିହେବ ବୋଲି ମତ ପ୍ରକାଶ ପାଇଛି। ଅନ୍ୟପଟେ, ଉପଭୋକ୍ତାମାନେ ଉପଯୁକ୍ତ ଭୋଲ୍ଟେଜ ନ ପାଇଥିଲେ ମଧ୍ୟ ନିୟମିତ ଭାବେ ବିଦ୍ୟୁତ ବିଲ୍ ଦେବାକୁ ବାଧ୍ୟ ହେଉଛନ୍ତି। ଲୋ ଭୋଲ୍ଟେଜ କାରଣରୁ ବୈଦ୍ୟୁତିକ ଯନ୍ତ୍ରପାତି ନଷ୍ଟ ହେବାରୁ ସେଗୁଡ଼ିକ ମରାମତି ପାଇଁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡ଼ୁଛି। ଏହା ଉପଭୋକ୍ତାଙ୍କ ପାଇଁ “ବେଡ଼ି ଉପରେ କୋରଡ଼ା” ସଦୃଶ ପରିସ୍ଥିତି ସୃଷ୍ଟି କରିଛି।

0
0
0
s2sdefault