ଝାରସୁଗୁଡା, ୨୮/୫ : ଚଳିତ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ପରୀକ୍ଷାରେ ୧୪୮ତମ ସ୍ଥାନ ଅଧିକାର କରି ସଫଳତା ହାସଲ କରିଥିବା ରାହୁଲ ରାଜହଂସଙ୍କୁ ବୁଧବାର ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଭେଟି ଶୁଭେଚ୍ଛା ଜଣାଇଛନ୍ତି । ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ୍ ଅନ୍ତର୍ଗତ ସାହାସପୁର ଗ୍ରାମପଞ୍ଚାୟତସ୍ଥିତ ରାହୁଲଙ୍କ ବାସଭବନକୁ ଯାଇ ବିଧାୟକ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଥିଲେ ।
ଏହି ଅବସରରେ ବିଧାୟକ ଟଙ୍କଧର ତ୍ରିପାଠୀ ରାହୁଲଙ୍କ ପିତା ସୁଶାନ୍ତ ରାଜହଂସ ଓ ମାତା ଜାହ୍ନବୀ ରାଜହଂସଙ୍କୁ ମଧ୍ୟ ଏହି ଗୌରବମୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଥିଲେ । ସେ ପରିବାରର ଉଦ୍ୟମ, ପ୍ରେରଣା ଓ ସମର୍ଥନକୁ ପ୍ରଶଂସା କରିଥିଲେ ।
ବିଧାୟକ ତ୍ରିପାଠୀ କହିଥିଲେ ଯେ, ରାହୁଲଙ୍କ ଏହି ସଫଳତା କେବଳ ତାଙ୍କ ପରିବାର ପାଇଁ ନୁହେଁ, ସାହାସପୁର, ଲଇକେରା ବ୍ଲକ୍ ଏବଂ ସମଗ୍ର ଝାରସୁଗୁଡା ଜିଲ୍ଲା ପାଇଁ ଗର୍ବର ବିଷୟ । ତାଙ୍କର ନିଷ୍ଠା, ପରିଶ୍ରମ ଓ ଦୃଢ଼ ସଂକଳ୍ପ ଆଗାମୀ ପିଢ଼ି ପାଇଁ ପ୍ରେରଣାଦାୟକ ଉଦାହରଣ ହୋଇ ରହିବ ବୋଲି ସେ ମତ ପ୍ରକାଶ କରିଥିଲେ ।







