ଝାରସୁଗୁଡ଼ା, ୨୩/୫ : ତୀବ୍ର ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସାଧାରଣ ଲୋକଙ୍କ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ନୂତନ ଟ୍ୟୁବୱେଲ (ନଳକୂପ) ଲୋକାର୍ପିତ ହୋଇଛି। ସ୍ଥାନୀୟ ବିଧାୟକ ଟଙ୍କଧର ତ୍ରିପାଠୀ ଶନିବାର ପୂର୍ବାହ୍ନରେ ଏହି ନୂତନ ନଳକୂପଗୁଡ଼ିକୁ ଆନୁଷ୍ଠାନିକ ଭାବେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।
ସୂଚନା ଅନୁଯାୟୀ, ବିଧାୟକ ପ୍ରଥମେ ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ବଡ଼ମାଳ ଗ୍ରାମ ପଞ୍ଚାୟତର ହରିଜନ ପଡ଼ାରେ ଏକ ନୂତନ ଟ୍ୟୁବୱେଲର ଉଦଘାଟନ କରିଥିଲେ। ପରେ ସେ କୋଲାବିରା ବ୍ଲକର ପରମାନପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଚାମୁଣ୍ଡା ଏବଂ କିର୍ମିରା ବ୍ଲକର ସାପ୍ତାହିକ ବଜାର ଝାରମୁଣ୍ଡା ଠାରେ ପୃଥକ ପୃଥକ ଭାବେ ଅନ୍ୟ ଦୁଇଟି ନଳକୂପର ଲୋକାର୍ପଣ କରିଥିଲେ।
ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାରେ ମଧ୍ୟ ତାପମାତ୍ରା ଲଗାତାର ବୃଦ୍ଧି ପାଉଛି। ଏହି ପରିସ୍ଥିତିରେ ପିଇବା ପାଣିର ଅଭାବ ଦୂର କରିବାରେ ନୂତନ ଭାବେ ସ୍ଥାପିତ ହୋଇଥିବା ଏହି ନଳକୂପଗୁଡ଼ିକ ସ୍ଥାନୀୟ ଲୋକଙ୍କ ପାଇଁ ବେଶ ଉପକାରୀ ହେବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
ଲୋକାର୍ପଣ କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତୃବୃନ୍ଦ, ସ୍ଥାନୀୟ କର୍ମକର୍ତ୍ତା ଏବଂ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ। ପିଇବା ପାଣିର ସ୍ଥାୟୀ ବ୍ୟବସ୍ଥା ହୋଇଥିବାରୁ ଅଞ୍ଚଳବାସୀ ବିଧାୟକଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ।







