ହେଡଲାଇନସ୍:

ମହିଳା ସଂରକ୍ଷଣ ବିଲ୍‌ କାଟ ଖାଇବା ପ୍ରତିବାଦରେ ଶରଣକୁଳରେ ଜନ ଆକ୍ରୋଶ ଶୋଭାଯାତ୍ରା;

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୫ଶହରୁ ଅଧିକ ମହିଳାଙ୍କ ଯୋଗଦାନ, ବିରୋଧୀଙ୍କ ବିରୋଧରେ ଗୁଞ୍ଜିଲା ନାରା


ଓଡ଼ଗାଁ, ୨୩।୫(ଶ୍ରୀକାନ୍ତ କୁମାର ମିଶ୍ର): କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦର ସ୍ୱତନ୍ତ୍ର ଅଧିବେଶନରେ ଆଣାଯାଇଥିବା ମହିଳା ସଂରକ୍ଷଣ ବିଲ୍‌କୁ ବିରୋଧୀ ଦଳମାନଙ୍କ ଦ୍ବାରା କାଟ ଖାଇବା ପ୍ରତିବାଦରେ ନୟାଗଡ଼ ଜିଲ୍ଲାର ଶରଣକୁଳ ଠାରେ ଶନିବାର ଏକ ବିଶାଳ ଜନ ଆକ୍ରୋଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରାରେ ପ୍ରାୟ ୫ଶହରୁ ଅଧିକ ମହିଳା ସାମିଲ ହୋଇ ମହିଳା ସଶକ୍ତିକରଣ ପକ୍ଷରେ ସ୍ୱର ଉତ୍ତୋଳନ କରିଥିଲେ। ରଣପୁର ବିଧାୟିକା ଏବଂ ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀଙ୍କ ଆହ୍ୱାନକ୍ରମେ, ଲଡୁବାବା ମଣ୍ଡଳ ଶରଣକୁଳ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ମଣ୍ଡଳ ସଭାପତି ମନୋଜ ସାହୁଙ୍କ ନେତୃତ୍ୱରେ ମହିଳାମାନେ ଶରଣକୁଳ ବଙ୍ଗଳା ଠାରୁ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ବିରୋଧୀଙ୍କ ବିରୋଧରେ ଆକ୍ରୋଶ ପ୍ରକାଶ କରିଥିଲେ। ଶୋଭାଯାତ୍ରାଟି ଲଡୁବାବା ମନ୍ଦିର ଅତିକ୍ରମ କରି ପାନ୍ଥଶାଳା ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ପରବର୍ତ୍ତୀ ସମୟରେ ଲଡୁବାବା ଯାତ୍ରା ପଡ଼ିଆରେ ଆୟୋଜିତ ଜନସଭାରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ରଶ୍ମିମୟୀ ପଟ୍ଟନାୟକ, ପ୍ରବକ୍ତା ଚିତ୍ରଲେଖା ମହାନ୍ତି, ଜିଲ୍ଲା ମହିଳା ମୋର୍ଚ୍ଚା ସଭାପତି ଅନସୂୟା ସାହୁ, ବିଳାସିନୀ ମହାପାତ୍ର, ସାଧାରଣ ସମ୍ପାଦକ ଅଶୋକ ପରିଡ଼ା, ପ୍ରମୋଦ ପ୍ରଧାନ, ଲଡୁବାବା ମଣ୍ଡଳ ପ୍ରଭାରୀ କୁଳମଣି ମାଝୀ ପ୍ରମୁଖ ରାଜ୍ୟ, ଜିଲ୍ଲା ଓ ମଣ୍ଡଳ ସ୍ତରୀୟ ନେତାମାନେ ଉପସ୍ଥିତ ରହି ସଭାକୁ ସମ୍ବୋଧନ କରିଥିଲେ। ବକ୍ତାମାନେ କହିଥିଲେ ଯେ, ମହିଳା ସଂରକ୍ଷଣ ବିଲ୍‌ ମହିଳାଙ୍କ ରାଜନୈତିକ ସଶକ୍ତିକରଣ ପାଇଁ ଏକ ଐତିହାସିକ ପଦକ୍ଷେପ ଅଟେ ଏବଂ ଏହାକୁ ବିରୋଧ କରିବା ମହିଳାଙ୍କ ଅଧିକାରକୁ ଅସ୍ୱୀକାର କରିବା ସମାନ ବୋଲି ସେମାନେ ମତ ପ୍ରକାଶ କରିଥିଲେ।

0
0
0
s2sdefault