ବୁଧବାର କୋର୍ଟ ଚାଲାଣ,ଜାମିନ ଖାରଜ,ଜେଲ ହାଜତକୁ ଗଲେ
ଓଡ଼ଗାଁ ୨୦।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ ଓଡ଼ଗାଁ ଅଜିତ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ରଣପୁର ଥାନା ରାଜସୁନାଖଳା ଫାଣ୍ଡି ରାଜସୁନାଖଳା ମସଲା ଦରବାର ନିକଟରୁ ମଙ୍ଗଳବାର ନିଜ ହେପାଜତକୁ ଆଣି ପଚରାଉଚରା ପରେ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଥିଲେ।ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।ଅଭିଯୁକ୍ତ ୨ଜଣ ହେଲେ ଓଡ଼ଗାଁ ଥାନା ରୋହିବାଙ୍କର ଜଗନ୍ନାଥ ପଣ୍ଡା(୨୬) ଏବଂ କୋମଣ୍ଡ ମକରପଦାର କୁଲୁ ଓରଫ ରବୀନ୍ଦ୍ର ଭଟ୍ଟ(୩୫)।ଅଜିତ ହତ୍ୟାକାଣ୍ଡ ଘଟଣାର ଅଭିଯୋଗ ଅନୁସାରେ ଓଡ଼ଗାଁ ପୋଲିସ ୧୨୩/୨୦୨୬ ନମ୍ବରରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ଅଭିଯୋଗ ଅନୁସାରେ ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଗତ ୧୩ ତାରିଖରେ ୨ ଜଣ ମୁଖ୍ୟ ଅଭିଯୁକ୍ତ ରୋହିବାଙ୍କ ଧୋବା ସାହିର ମହନ୍ତ ନାୟକ, ରୋହିବାଙ୍କ ବାରିସାହିର ମାନସ ବେହେରା ସହିତ ଖଣ୍ଡପଡ଼ା ଚଉପଲୀର କାର ଚାଳକ ନରେଶ ବିଶୋଇ ଏବଂ ଓଡ଼ଗାଁର ପୂର୍ଣ୍ଣ ଚନ୍ଦ୍ର ନାୟକ ୪ ଜଣଙ୍କୁ ଗିରଫ କରି ଓଡ଼ଗାଁ ପୋଲିସ କୋର୍ଟ ଚାଲାଣ କରିଥିଲେ।ଜାମିନ ଖାରଜ ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା। ପ୍ରକାଶ ଥାଉକି ଅଭିଯୋଗରେ ନରେଶ ବିଶୋଇ ନାମ ନଥିଲେ ମଧ୍ୟ ପୋଲିସ ତଦନ୍ତରୁ ତାର ସମ୍ପୃକ୍ତି ଜଣାପଡ଼ିଥିଲା। ତେବେ
ବର୍ତ୍ତମାନ ସୁଦ୍ଧା ଅଜିତ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ମୋଟ ୬ ଜଣ ପୋଲିସ ହାତରେ ଧରାପଡ଼ିଥିବା ବେଳେ ହତ୍ୟାକାଣ୍ଡରେ ବ୍ୟବହୃତ ଗାଡ଼ି ଏବଂ ତଲୱାର ଜବତ ହୋଇଥିଲା।ଅଭିଯୋଗ ଅନୁସାରେ ହେଉ ଅଥବା ପୋଲିସ ତଦନ୍ତରୁ ହେଉ ହତ୍ୟା ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଯେଉଁଠି ଥିଲେ ମଧ୍ୟ ଓଡ଼ଗାଁ ପୋଲିସ ଖୁବଶୀଘ୍ର ସେମାନଙ୍କୁ ଧରିବ।ପ୍ରକାଶ ଥାଉକି ଚଳିତ ମାସ ଗତ ରବିବାର ତଥା ୧୧ ତାରିଖ ବିଳମ୍ବିତ ରାତି ପ୍ରାୟ ସାଢ଼େ ବାରଟା ବେଳେ ଅଜିତ ଏବଂ ତାର ସାଥି ସନ୍ତୋଷ ପ୍ରଧାନ ବେଆଇନ ମାଙ୍କଡା ପଥର ଚୋରା ଚାଲାଣ ହେଉଥିବା ୪୦୭ ମିନି ଟ୍ରକକୁ ଜିଗିଥିଲେ।ପୋଲିସକୁ ଖବର ଦେଲେ। ଖବର ପାଇ ଗାଡ଼ି ମାଲିକ ପୂର୍ଣ୍ଣ ଚନ୍ଦ୍ର ନାୟକ କାରରେ ଆସି ଅଟକ ଗାଡ଼ି ନିକଟରେ ପହଞ୍ଚିଲେ। ଅଜିତ ସନ୍ତୋଷଙ୍କ ସହିତ ପୂର୍ଣ୍ଣଙ୍କ ମଧ୍ୟରେ ପଥର ଚାଲାଣକୁ ନେଇ ଆଲୋଚନା ଚାଲିଥିବା ବେଳେ ଏକ ବୋଲେରୋ ଗାଡ଼ିରେ ଅଭିଯୁକ୍ତ ମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।ଯୁକ୍ତିତର୍କ ତିବ୍ରତର ହେଲା।ଅଭିଯୁକ୍ତ ମହନ୍ତ ନାୟକ ଅଜିତକୁ ଧରିଥିବା ବେଳେ ରୋହିବାଙ୍କ ବାଲିସାହିର ମାନସ ବେହେରା ଅଜିତକୁ ଖଣ୍ଡାରେ ହାଣିଥିଲା। ଫଳରେ ଘଟଣା ସ୍ଥଳରେ ଅଜିତର ମୃତ୍ୟୁ ଘଟିଥିଲା।ପୋଲିସ ତଦନ୍ତ ଏବଂ ଅଭିଯୁକ୍ତଙ୍କ ବୟାନ ଅନୁସାରେ ବେଆଇନ ମାଙ୍କଡ଼ା ପଥର ଚାଲାଣକାରିଙ୍କ ଉପରେ ଅଜିତ ଚାପ ପକାଇବା ସହିତ ଟଙ୍କା ମାଗୁଥିଲା।ଏଥିରେ ପଥର ଚାଲାଣକାରି ଅତିଷ୍ଠ ହୋଇପଡ଼ିଥିଲେ।ସେଦିନ ରାତିରେ ସୁଯୋଗ ମିଳିବାରୁ ପ୍ରତିଶୋଧ ନେଇଥିଲେ ବୋଲି ପୋଲିସ ଠାରୁ ପ୍ରକାଶ।







