ହେଡଲାଇନସ୍:

ଓଡ଼ିଶା ମେଟାଲିକ୍ସ ଆନ୍ଦୋଳନକୁ ନେଇ ତେଜିଲା ବିବାଦ, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମରାକୁଟା ଗ୍ରାମବାସୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା, ୧୮ ମେ: ଝାରସୁଗୁଡ଼ା ଜିଲ୍ଲାର ଓଡ଼ିଶା ମେଟାଲିକ୍ସ କାରଖାନା ସମ୍ମୁଖରେ ଚାଲିଥିବା ଆନ୍ଦୋଳନକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ରାଜନୈତିକ ତାପମାତ୍ରା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମରାକୁଟା ଗ୍ରାମବାସୀ ଚାଲିଥିବା ଆନ୍ଦୋଳନକୁ ବିରୋଧ କରି ସୋମବାର ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ଆନ୍ଦୋଳନ ସ୍ଥାନୀୟ ଲୋକଙ୍କ ସ୍ୱାର୍ଥ ସୁରକ୍ଷା ପାଇଁ ନୁହେଁ; ବରଂ କିଛି ନେତାଙ୍କ ବ୍ୟକ୍ତିଗତ ଓ ବ୍ୟବସାୟିକ ସ୍ୱାର୍ଥ ସାଧନ ପାଇଁ କରାଯାଉଛି। ସେମାନେ ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ୨୦୧୬ ମସିହାରେ ଏମଏସପି ମେଟାଲିକ୍ସ କାରଖାନା ବନ୍ଦ ହେବା ସମୟରେ ସ୍ଥାନୀୟ ଲୋକ ଚିନ୍ତାରେ ଥିଲେ, କିନ୍ତୁ ବର୍ତ୍ତମାନ ଆନ୍ଦୋଳନର ନେତୃତ୍ୱ ନେଉଥିବା ଲୋକମାନେ ସେତେବେଳେ କେଉଁଠି ଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି।

ସ୍ମାରକପତ୍ରରେ ଆହୁରି ଅଭିଯୋଗ କରାଯାଇଛି ଯେ, ପୂର୍ବରୁ ଗାଡ଼ି ଲୋଡିଂ ଓ ଅନଲୋଡିଂକୁ କେନ୍ଦ୍ର କରି ବଟି ଆଦାୟ ହେଉଥିଲା, ଯାହା ନିର୍ବାଚନ ପରେ ବନ୍ଦ ହୋଇଯାଇଛି। ବର୍ତ୍ତମାନ କିଛି ନେତା ନିଜ ସ୍ୱାର୍ଥ ପୂରଣ ପାଇଁ ସାଧାରଣ ଲୋକଙ୍କୁ ଆଗକୁ ରଖି ଆନ୍ଦୋଳନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁସାରେ, ନିକଟରେ କିଛି ରାଜନୈତିକ ନେତା ଆନ୍ଦୋଳନ ସ୍ଥଳରେ ପହଞ୍ଚି ସମର୍ଥନ ଜଣାଇବା ପରେ ଅଞ୍ଚଳରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେଉଛି। ଏଥିସହ ରାଜନୈତିକ ହସ୍ତକ୍ଷେପ ଯୋଗୁଁ ସାଧାରଣ ଲୋକଙ୍କ ଜୀବିକା ପ୍ରଭାବିତ ହେଉଥିବା ସେମାନେ ଦାବି କରିଛନ୍ତି।

ସ୍ଥାନୀୟ ଅଞ୍ଚଳର ଶାନ୍ତି ଓ ବିକାଶ ଦୃଷ୍ଟିରୁ ଗ୍ରାମବାସୀମାନେ ଜିଲ୍ଲା ପ୍ରଶାସନ ନିକଟରେ କିଛି ଦାବି ଉଠାଇଛନ୍ତି। ସେଥିରେ କାରଖାନାରେ ସ୍ଥାନୀୟ ଯୁବକଙ୍କୁ ପ୍ରାଥମିକତା ଭିତ୍ତିରେ ନିଯୁକ୍ତି, ପୁରୁଣା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ପ୍ରଦୂଷଣ ନିୟନ୍ତ୍ରଣ, ପାରିପାର୍ଶ୍ୱିକ ଉନ୍ନତି, ବୁଢ଼ୀପଦର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାର ପୁନଃନିର୍ମାଣ ଓ କାରଖାନାକୁ ଆସୁଥିବା ଶହ ଶହ ଗାଡ଼ି ଯୋଗୁଁ ସୃଷ୍ଟି ହେଉଥିବା ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ଦାବି ରହିଛି।

ସେହିପରି ରାଜନୈତିକ ହସ୍ତକ୍ଷେପ ବନ୍ଦ କରି ସ୍ଥାନୀୟ ଲୋକଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ଜୀବିକା ନିର୍ବାହ କରିବାକୁ ସୁଯୋଗ ଦେବା ପାଇଁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।

ସ୍ମାରକପତ୍ର ପ୍ରଦାନ ସମୟରେ ମହେନ୍ଦ୍ର ଗୁରୁ, ତୋଫାନ କୁମାର ଭୋଇ, ଅମର ସାହୁ, ସଦାନନ୍ଦ ସାହୁଙ୍କ ସମେତ ମରାକୁଟା ଗ୍ରାମର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

0
0
0
s2sdefault