ହେଡଲାଇନସ୍:

ଜିଲ୍ଲାପାଳଙ୍କ ବିଭିନ୍ନ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ; ଜିଲ୍ଲାରେ ଶିକ୍ଷାର ମାନ ଓ ଭିତ୍ତିଭୂମି ବିକାଶର ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା:ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ଆଜି ଜିଲ୍ଲାର ଶିକ୍ଷା ବ୍ୟବସ୍ଥାର ସୁଧାର, ଶିକ୍ଷାଦାନର ମାନ ଏବଂ ଭିତ୍ତିଭୂମିର ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ପାଇଁ ବିଭିନ୍ନ ବିଦ୍ୟାଳୟ ଗସ୍ତ କରିଛନ୍ତି। ଆଜି ଲଇକେରା ବ୍ଲକରେ ଆୟୋଜିତ ଯୁଗ୍ମ ଜନ ଶୁଣାଣି ଶିବିର ପରେ ଜିଲ୍ଲାପାଳ ବାବୁଚିପିଢି ସ୍ଥିତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ ବିଦ୍ୟାଳୟର ସାମଗ୍ରିକ ଶୈକ୍ଷିକ ପରିବେଶ ଓ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ସହ ଉପସ୍ଥିତ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କର୍ମଚାରୀଙ୍କ ସହ ସ୍ୱତନ୍ତ୍ର ଭାବେ ଆଲୋଚନା କରିଥିଲେ। ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଗଡତିଆ, ଲଇକେରା ବିଡିଓ ଜର୍ଜ ଡୁଙ୍ଗଡୁଙ୍ଗ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ହିମାଂଶୁ ବାଗ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପରିଦର୍ଶନ କାଳରେ ଜିଲ୍ଲାପାଳ ବିଦ୍ୟାଳୟର ସୁପରିଚାଳନା ଓ ଶିକ୍ଷାଦାନ ପ୍ରକ୍ରିୟାକୁ ଆହୁରି ସରସ ସୁନ୍ଦର କରିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମ୍ୟାଟ୍ରିକ ପରୀକ୍ଷାରେ ଅଧିକ ମାତ୍ରାରେ କିଭଳି ଆଶାନୁରୂପ ଫଳାଫଳ ବା ଉତ୍ତମ ପ୍ରଦର୍ଶନ କରିପାରିବେ ସେହି ଦିଗ ଉପରେ ସେ ବିସ୍ତୃତ ସମୀକ୍ଷା କରିଥିଲେ। ଏଥିସହ ଆଗାମୀ ମ୍ୟାଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀମାନେ କିଭଳି ଭାବେ ଭୟମୁକ୍ତ ହୋଇ ଉନ୍ନତ ପ୍ରଦର୍ଶନ କରିପାରିବେ, ସେ ନେଇ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଏକ ଉନ୍ନତ ଓ ସାମଗ୍ରିକ ଶିକ୍ଷା ପ୍ରଦାନ କରାଯିବା ନେଇ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି।

ଅନ୍ୟପକ୍ଷରେ, ଅଇନ୍ତାପଲ୍ଲୀ ସ୍ଥିତ ଏଲ.ପି.ଏସ.ଡି ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ଜିଲ୍ଲାପାଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟ ସ୍କୁଲ ତୁଳନାରେ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସ୍ଥାୟୀତ୍ୱ ହାର ଉପସ୍ଥାନ ସଂଖ୍ୟାରେ କୌଣସି ଆଶାନୁରୂପ ବୃଦ୍ଧି ହୋଇ ନଥିବା ଦେଖି ସେ ଗଭୀର କ୍ଷୋଭ ପ୍ରକାଶ କରିବା ସହ ଏଥିରେ ତୁରନ୍ତ ସୁଧାର ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଗାମୀ ଶିକ୍ଷା ବର୍ଷ ମଧ୍ୟରେ ଜିଲ୍ଲାର ଯେଉଁ ସବୁ ବିଦ୍ୟାଳୟଗୁଡ଼ିକ ଭଙ୍ଗାଦଦରା ବା ଜରାଜୀର୍ଣ୍ଣ ଅବସ୍ଥାରେ ଅଛି, ସେହି ସବୁ ସ୍କୁଲରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ, ସାଇକଲ ଷ୍ଟାଣ୍ଡ, ଆଇସିଟି ଲ୍ୟାବ୍ ଏବଂ ଇ-ଲାଇବ୍ରେରୀ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଚହ୍ବାଣ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଜିଲ୍ଲାପାଳ ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ଜିଲ୍ଲାର ସର୍ବାଧିକ A1 ଗ୍ରେଡ୍ ହାସଲ କରି ସଫଳତା ସାଉଣ୍ଟିଥିବା ପାକିଲଖୋଲ ସ୍ଥିତ ହେମ ସାଗର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଦ୍ୟାଳୟର ଏହି ଉଚ୍ଚମାନର ଶୈକ୍ଷିକ ପ୍ରଦର୍ଶନକୁ ଆଗକୁ ମଧ୍ୟ ବଜାୟ ରଖିବା ଦୃଷ୍ଟିରୁ ଏହି ସ୍କୁଲକୁ ପ୍ରାଥମିକତା ଭିତ୍ତିରେ ଅଗ୍ରାଧିକାର ଦେଇ ସମସ୍ତ ଆବଶ୍ୟକୀୟ ସରକାରୀ ସହାୟତା ଓ ଭିତ୍ତିଭୂମି ଯୋଗାଇଦେବାକୁ ଜିଲ୍ଲାପାଳ ସେଠାରେ ଉପସ୍ଥିତ ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

0
0
0
s2sdefault