ହେଡଲାଇନସ୍:

ସାର୍ବଜନୀନ ଷୋହଳ ପ୍ରହରୀ ନାମଯଜ୍ଞ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ତାଳପଦର ଗ୍ରାମସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ସାର୍ବଜନୀନ ଷୋହଳ ପ୍ରହରୀ ନାମଯଜ୍ଞ ଆରମ୍ଭ ହୋଇଯାଇଛି । ଏହି ଧାର୍ମିକ ଆୟୋଜନକୁ ନେଇ ସମଗ୍ର ତାଳପଦର ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି । ହରିନାମ ଧ୍ୱନି, ଭଜନ ଓ ସଂକୀର୍ତନରେ ସମଗ୍ର ଗ୍ରାମ ଭକ୍ତିରସରେ ମୁଗ୍ଧ ହୋଇଉଠିଛି । ସକାଳ ୯ଟାରେ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗ୍ରାମର ଶହଶହ ମହିଳା ଶୋଭାଯାତ୍ରାରେ ଭାଗ ନେଇ ମୁଣ୍ଡରେ ପବିତ୍ର କଳସ ଧାରଣ କରି ହରିନାମ ସଂକୀର୍ତନ ସହ ଗ୍ରାମ ପରିକ୍ରମା କରିଥିଲେ । ହରିବୋଲ ଧ୍ୱନିରେ ସମଗ୍ର ପରିବେଶ ଆଧ୍ୟାତ୍ମିକ ମାହୋଲରେ ପରିଣତ ହୋଇଥିଲା । ଭକ୍ତମାନେ ଏହି କଳସ ଯାତ୍ରାରେ ସାମିଲ ହୋଇଥିଲେ ।ଗ୍ରାମବାସୀଙ୍କ ସମୂହ ପ୍ରୟାସ ଓ ସହଯୋଗରେ ଏହି ଧାର୍ମିକ ଆୟୋଜନ ସଫଳ ଭାବେ ପରିଚାଳିତ ହେଉଛି । ଯୁବକମାନେ ଶୃଙ୍ଖଳା ରକ୍ଷା ଓ ଅତିଥି ସେବାରେ ନିୟୋଜିତ ଥିବା ବେଳେ ମହିଳାମାନେ ପ୍ରସାଦ ବଣ୍ଟନ ଓ ପୂଜା କାର୍ଯ୍ୟରେ ସକ୍ରିୟ ଭୂମିକା ନେଉଛନ୍ତି ।ଏହି ନାମଯଜ୍ଞରେ କର୍ତ୍ତା ଭାବେ ଗତିକୃଷ୍ଣ ପଧାନ ଓ ତାଙ୍କ ଧର୍ମପତ୍ନୀ ହେମବତୀ ପଧାନ ଦାୟିତ୍ୱ ତୁଲାଇଥିବା ବେଳେ ପୁରୋହିତ ପୀତବାସ ମିଶ୍ର ଓ ପ୍ରେମାନନ୍ଦ ମିଶ୍ର ବେଦମନ୍ତ୍ର ଉଚ୍ଚାରଣ ସହ ଯଜ୍ଞ କାର୍ଯ୍ୟ ପରିଚାଳନା କରୁଛନ୍ତି । ପୂଜାରୀ ଭାବେ ଶିବୁ ମହାପାତ୍ର ଓ ବାରିକ ସାର୍ତ୍ତିକ ବାରିକ ଦାୟିତ୍ୱ ତୁଲାଉଛନ୍ତି । ସେମାନଙ୍କ ସୁଚାରୁ ପରିଚାଳନାରେ ସମସ୍ତ ପୂଜାର୍ଚ୍ଚନା ଓ ଧାର୍ମିକ ବିଧି ଶାସ୍ତ୍ରୋକ୍ତ ଭାବେ ସମ୍ପନ୍ନ ହେଉଛି ।ସନ୍ଧ୍ୟା ସମୟରେ ମନ୍ଦିର ପରିସର ଭକ୍ତିମୟ ପରିବେଶରେ ଝଲମଲ କରୁଥିବା ଦେଖିବାକୁ ମିଳୁଛି । ଏହି ଷୋହଳ ପ୍ରହରୀ ନାମଯଜ୍ଞ କେବଳ ଏକ ଧାର୍ମିକ ଅନୁଷ୍ଠାନ ନୁହେଁ, ବରଂ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା, ସମ୍ପ୍ରୀତି ଓ ଆଧ୍ୟାତ୍ମିକ ଚେତନାକୁ ଆହୁରି ସୁଦୃଢ କରୁଥିବା ମତ ପ୍ରକାଶ ପାଇଛି ।

0
0
0
s2sdefault