ବରଗଡ଼: ବରଗଡ଼ ଜିଲ୍ଲା ବରପାଲି ବ୍ଳକ ଅନ୍ତର୍ଗତ ବରିକେଲ ଗ୍ରାମରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଗ୍ରାମର ୧୮ ବର୍ଷୀୟା ଯୁବତୀ ରେଖା ବଗର୍ଭି ବିଦ୍ୟୁତ୍ ଆଘାତରେ ପ୍ରାଣ ହାରାଇଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଏହି ଘଟଣା ନେଇ ଗଭୀର ଦୁଃଖ ଓ ଆକ୍ରୋଶ ପ୍ରକାଶ ପାଉଛି।ସୂଚନା ଅନୁଯାୟୀ, ଗ୍ରାମରେ ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଉପଲକ୍ଷେ ଏକ ପୂଜା ଅନୁଷ୍ଠିତ ହୋଇଥିଲା। ପୂଜାରେ ଗ୍ରାମର ଅନେକ ମହିଳା ଓ ପୁରୁଷ ଯୋଗଦେଇଥିଲେ। ରେଖା ବଗର୍ତ୍ତି ମଧ୍ୟ ଅନ୍ୟମାନଙ୍କ ସହ ପୂଜାରେ ସାମିଲ ହୋଇଥିଲେ ଏବଂ ପୂଜା ଶେଷରେ ପ୍ରସାଦ ସେବନ କରିଥିଲେ।ପୂଜା ପରେ ସାଧାରଣତଃ ଯେପରି ହୁଏ, ସେ ହାତ ଧୋଇବା ପାଇଁ ପାଖରେ ଥିବା ଜାଗାକୁ ଯାଇଥିଲେ। କିନ୍ତୁ ଏହି ସମୟରେ ଅସାବଧାନତାବଶତଃ ସେ ପାଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟକୁ ଧରି ପକାଇଥିଲେ। ଦୁର୍ଭାଗ୍ୟବଶତଃ ସେହି ଖୁଣ୍ଟରେ ପୂର୍ବରୁ ବିଦ୍ୟୁତ୍ ପ୍ରବାହ ଚାଲୁଥିବାରୁ ସେ ତୁରନ୍ତ ଭୟାବହ ଭାବରେ ଆଘାତ ପାଇଥିଲେ।ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଖୁଣ୍ଟରେ କୌଣସି ଯାନ୍ତ୍ରିକ ତ୍ରୁଟି ଥିଲା, ଯାହା ଫଳରେ ଏହାର ଶରୀରରେ ବିଦ୍ୟୁତ୍ ପ୍ରବାହ ଚାଲୁଥିଲା। ଏହା ସମ୍ପର୍କରେ ପୂର୍ବରୁ କୌଣସି ସତର୍କତା ବା ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅଭିଯୋଗ ହେଉଛି।ଘଟଣା ପରେ ଗ୍ରାମବାସୀ ଓ ପରିବାର ସଦସ୍ୟମାନେ ତୁରନ୍ତ ରେଖାଙ୍କୁ ଉଦ୍ଧାର କରି ବରପାଲି ସରକାରୀ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ ଏହି ଘୋଷଣା ପରେ ପରିବାରରେ ଶୋକର ଲହରୀ ବ୍ୟାପିଯାଇଥିଲା।ରେଖା ବଗର୍ତ୍ତିଙ୍କ ଅକାଳ ମୃତ୍ୟୁ ପରିବାରକୁ ଭାଙ୍ଗି ଦେଇଛି। ସେ ଘରର ଏକ ଆଶା ଓ ଭବିଷ୍ୟତର ଆଧାର ଥିଲେ ବୋଲି ପରିବାର ଲୋକେ କହିଛନ୍ତି। ଏହି ଘଟଣା ପରେ ଗ୍ରାମରେ ଶୋକମୟ ପରିବେଶ ସୃଷ୍ଟି ହୋଇଛି ଏବଂ ଲୋକମାନେ ଏହାକୁ ଅବହେଳାର ଫଳ ଭାବେ ଦେଖୁଛନ୍ତି।ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ, ଏପରି ଖୋଲା ଓ ବିପଦଜନକ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ଦାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ନିଆଯିବା ଉଚିତ। ସେମାନେ ଆଗକୁ ଏପରି ଘଟଣା ନ ଘଟେ ବୋଲି ସମସ୍ତ ବିଦ୍ୟୁତ୍ ସଂଯୋଗ ଓ ଖୁଣ୍ଟର ଯାଞ୍ଚ କରିବାକୁ ଦାବି କରିଛନ୍ତି।ଘଟଣା ସମ୍ପର୍କରେ ଖବର ପାଇ ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା ଉକ୍ତ ଗ୍ରାମକୁ ପହଞ୍ଚି ମୃତ ରେଖର ପରିବାରବର୍ଗଙ୍କୁ ସାକ୍ଷାତ୍ କରି ତାଙ୍କୁ ସମବେଦେନା ଜଣାଇଛନ୍ତି। ସେ ଏହି ଦୁଃଖଦ ଘଟଣା ପ୍ରତି ଗଭୀର ଶୋକ ପ୍ରକଟ କରିବା ସହ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ଓ ବିଦ୍ୟୁତ ବିଭାଗ ତରଫରୁ ସହାୟତା ଯୋଗାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ସେଥିସହ ଏହି ଘଟଣାର ସଠିକ ତଦନ୍ତ କରାଯାଇ ଦାୟୀଙ୍କ ବିରୋଧରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।ଏହି ଘଟଣା ପୁଣିଥରେ ଗ୍ରାମଞ୍ଚଳରେ ବିଦ୍ୟୁତ୍ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ଯଦି ସମୟରେ ଏହାର ମରାମତି ଓ ନିୟମିତ ଯାଞ୍ଚ ହେଉନାହିଁ, ତେବେ ଏପରି ଦୁର୍ଘଟଣା ଆଗାମୀ ଦିନରେ ଆଉ ବଢ଼ିପାରେ।ସରକାର ଓ ବିଦ୍ୟୁତ୍ ବିଭାଗ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ସାଧାରଣ ଲୋକମାନେ ମତ ପ୍ରକାଶ କରୁଛନ୍ତି। ଏହା ସହିତ ସମସ୍ତ ଗ୍ରାମରେ ବିଦ୍ୟୁତ୍ ସୁରକ୍ଷା ସଚେତନତା ବଢ଼ାଇବା ଓ ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଉଛି।
ରାଜ୍ୟ
ବରପାଲି ବ୍ଳକରେ ଦୁର୍ଭାଗ୍ୟଜନକ ଘଟଣା: ବିଦ୍ୟୁତ୍ ଆଘାତରେ ଯୁବତୀଙ୍କ ମୃତ୍ୟୁ, ଅଞ୍ଚଳରେ ଶୋକର ଛାୟା
- Hits: 64







