ଓଡ଼ଗାଁ, ୪।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବୈଦିକ ବ୍ରାହ୍ମଣ ସମାଜ ବାର୍ଷିକ ସାଧାରଣ ବୈଠକ ରବିବାର ଜ୍ୟେଷ୍ଠ କୃଷ୍ଣ ଦ୍ୱିତୀୟା ତିଥି ଅବସରରେ ସ୍ଥାନୀୟ ବ୍ଲକ ରୋଡ଼ସ୍ଥିତ କଲ୍ୟାଣୀ ମଣ୍ଡପରେ ସନ୍ଧ୍ୟାପ୍ରହରରେ ଅନୁଷ୍ଠିତ ହୋଇଯାଇଛି। ସମାଜର ସଭାପତି ଶରତ ଚନ୍ଦ୍ର ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ବରିଷ୍ଠ ସଦସ୍ୟ ତଥା ମନ୍ଦିର ପରିଚ୍ଛା ହରିହର ଷଡ଼ଙ୍ଗୀ ମଙ୍ଗଳାଚରଣ ପାଠ କରି ସମାଜର ସର୍ବାଙ୍ଗୀଣ ମଙ୍ଗଳ କାମନା କରିଥିଲେ। ପରେ ସମ୍ପାଦକ ଫକିର ମୋହନ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିଲେ। ବୈଠକରେ ପୁରୁଷୋତ୍ତମ ମାସର ଶୁକ୍ଳ ଓ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ଶ୍ରୀ ରଘୁନାଥଜୀଉ ମନ୍ଦିରରେ ସମାଜର ସଦସ୍ୟମାନଙ୍କ ଦ୍ୱାରା ବିଷ୍ଣୁ ସହସ୍ରନାମ ଓ ଗୀତାପାଠ ଆୟୋଜନ କରାଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହା ବ୍ୟତୀତ ବର୍ଷକ ମଧ୍ୟରେ ଅନ୍ୟୁନ ଚାରିଟି ସାଧାରଣ ବୈଠକ ଆୟୋଜନ କରିବା ସହ ଗରିବ ବୈଦିକ ବ୍ରାହ୍ମଣ ପରିବାର ମାନଙ୍କୁ ଚିହ୍ନଟ କରି ସମାଜ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ସହାୟତା ଓ ସହଯୋଗ ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ପ୍ରଭୁଙ୍କୁ ଅର୍ପିତ ସଂଖୁଡ଼ିଅନ୍ନ ଭୋଗପ୍ରସାଦ ଉପସ୍ଥିତ ସଦସ୍ୟ ଓ ପରିବାରବର୍ଗ ସେବନ କରିଥିଲେ। ପରିଶେଷରେ ବରିଷ୍ଠ ସଦସ୍ୟ ଭାଗିରଥି କର ଧନ୍ୟବାଦ ଅର୍ପଣ କରିଥିବାବେଳେ ସଭାପତି ସଭା ସାଙ୍ଗ ଘୋଷଣା କରିଥିଲେ







