ନୟାଗଡ଼(ବିଶ୍ୱଜିତ୍ ନାୟକ):- ନୟାଗଡ଼ ପୈାର ପରିଷଦ ନିର୍ବାହୀ ଅଧିକାରୀ(ଇଓ)ଙ୍କୁ ନେଇ ଅସନ୍ତୋଷ ବଢ଼ିଛି । ପୈାର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟଙ୍କ ମନମାନୀକୁ ନେଇ କ୍ଷୁବ୍ଧ ହୋଇଛନ୍ତି ପୈାର ଅଧ୍ୟକ୍ଷା ନିରୂପମା ଖଟେଇ । ନିରୂପମା ଆଜି ସମସ୍ତ କାଉନସିଲରଙ୍କ ସହ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି । ଅଧ୍ୟକ୍ଷାଙ୍କ ମନମାନୀକୁ ନେଇ ବିକାଶ ମୂଳକ କାର୍ଯ୍ୟ ଠପ ହୋଇ ଯାଇଥିବା ବେଳେ ପାରିଷଦ ବୈଠକର ରିଜୋଲେସନ୍ କପି କାଉନସିଲରଙ୍କୁ ପ୍ରଦାନ କରାଯାଉନାହିଁ । ନୟାଗଡ଼ ପୈାର ପରିଷଦ ପକ୍ଷରୁ ଗତ ଫେବୃୟାରୀ ୨୭ ତାରିଖରେ ହୋଇଥିବା ପାରିଷଦ ବୈଠକ ରିଜୋଲେସନ୍ କପି କାଉନସିଲରଙ୍କୁ ପ୍ରଦାନ କରାଯାଇନାହିଁ । ଏଭଳି ସ୍ଥିତିରେ ଆଜି କାଉନସିଲ ତଥା ପାରିଷଦ ବୈଠକ ଆହ୍ୱାନ କରାଯାଇଥିଲା । କାଉନସିଲରଙ୍କୁ ଗତ ବୈଠକ ବିଷୟରେ ଅନ୍ଧାରରେ ରଖି ଆଜି ପାରିଷଦ ବୈଠକ ଡକା ଯାଇଥିବା ବେଳେ ଅଧ୍ୟକ୍ଷା ବୈଠକ ବାତିଲ କରିଥିଲେ । ଏହା ସହିତ ସମସ୍ତ କାଉନସିଲରଙ୍କୁ ନେଇ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି । ପୈାର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ସମସ୍ତ କାଉନସିଲର ଜିଲ୍ଲାପାଳ ମଧୁମିତା ରଥଙ୍କୁ ଭେଟି ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳ ଅଭିଯୋଗ ଗ୍ରହଣ କରିବା ସହ ବୁଝିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ପ୍ରସଙ୍ଗରେ ଜିଲ୍ଲାପାଳ କୈାଣସି ପ୍ରତିକ୍ରିୟା ଦେଇନଥିବା ବେଳେ ପୈାର ନିର୍ବାହୀ ଅଧିକାରୀ ମଧ୍ୟ କୈାଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ତାଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରିବା ପରେ, ଆପଣ ଯାହା ଲେଖିବା କଥା ଲେଖନ୍ତୁ ବୋଲି କହି ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଛନ୍ତି ।








