ସାମ୍ବାଦିକ ସମ୍ମିଳନୀ ଜରିଆରେ କ୍ଷୋଭ ପ୍ରକାଶ କଲେ ପୀଡ଼ିତଙ୍କ ପରିବାର
ବସ୍ତା:୨୧/୪(ପି ଏନ ଏସ): ବସ୍ତା ଥାନା, ବାଉଁଶମୁଖା ଗ୍ରାମର ଜୈନିକ ଯୁବକଙ୍କୁ କିଛି ଯୁବକ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ବେଳେ ଘଟଣା ବାବଦରେ ପୀଡ଼ିତଙ୍କ ସ୍ତ୍ରୀ ୧୦ ଦିନ ପୂର୍ବେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ମୁଖ୍ୟ ଅଭିଯୁକ୍ତ ଜଣକ ଶାସକ ଦଳର ନେତାଙ୍କ ଛତ୍ରଛାୟାରେ ଥିବାରୁ ପୁଲିସ ତାଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଥିବା ସୋମବାର ବାହାର୍ଦ୍ଦା ପୂର୍ତ୍ତି ବିଭାଗ ଡ଼ାକବଙ୍ଗଳାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପରିବାରଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋହ ଅନୁଯାୟୀ ଏହି ଗ୍ରାମର ପିଣ୍ଟୁ ବୈଠା ମାଛ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରନ୍ତି। ଗତ ଅପ୍ରେଲ ୧୧ ରେ ପିଣ୍ଟୁ ତାଙ୍କର ସହଯୋଗୀ ବେଣୁଧର ବେହେରାଙ୍କ ସହ ଜଳେଶ୍ବର ଯାଇ ବେପାର ଟଙ୍କା ଧରି ଫେରୁଥିଲେ। ଦିବା ପ୍ରାୟ ୧୨:୪୨ ରେ ମାଛ ବାବଦରେ କଥା ଅଛି କହି ଏକ ଅଜଣା ନମ୍ବରରେ ପିଣ୍ଟୁଙ୍କ ମୋବାଇଲକୁ ଫୋନ ଆସିବା ସହ ୧୬ ନମ୍ବର ଜାତୀୟ ରାଜପଥର କୁଡ଼ିଆ ପୋଲ ପାର୍ଶ୍ବ ବସୁନ୍ଧରା ହୋଟେଲକୁ ଆସିବାକୁ ବ୍ୟକ୍ତି ଜଣକ କହିଥିଲେ। ପିଣ୍ଟୁ ଏବଂ ବେଣୁଧର ଉକ୍ତ ହୋଟେଲରେ କାରରୁ ଓହ୍ଲାଇବା କ୍ଷଣି ସ୍ଥାନୀୟ ସଦାନନ୍ଦପୁର ଅଞ୍ଚଳର ଦେବାଶିଷ କବି, ଦିଲ୍ଲୀପ ବେହେରା, ସ୍ନେହାଶିଷ ବାରିକ, କାହ୍ନୁ ଚରଣ ବାରିକ, ମନ୍ମଥ କବି, ହିତେଶ ବାରିକଙ୍କ ସମେତ ୧୦/୧୨ ଜଣ ଦୁର୍ବୃତ୍ତ ବିଭିନ୍ନ ମାରଣାସ୍ତ୍ର ଧରି ପିଣ୍ଟୁଙ୍କୁ ଗାଡ଼ିରୁ ଘୋଷାଡ଼ି ଆଣି ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରିବା ସହ ପାଖରେ ଥିବା ୪ଲକ୍ଷରୁ ଉର୍ଦ୍ଧ୍ବ କଲେକ୍ସନ ଟଙ୍କା ଓ ସୁନାଗହଣାକୁ ଲୁଟି ନେଇଥିଲେ। ବେଣୁଧର ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ହାଣି ରକ୍ତାକ୍ତ କରିବା ସହିତ ମର୍ଡର କରିବା ନିମନ୍ତେ ଗୋଡାଇବାରୁ ଉକ୍ତ ବେଣୁଧର କୌଶଳ କ୍ରମେ ସେଠାରୁ ଖସି ଆସି ଅନ୍ୟମାନଙ୍କୁ ଖବର ଦେଇଥିଲେ। ଫଳରେ ସମସ୍ତେ ଘଟଣା ସ୍ଥଳରେ ପହଞ୍ଚି ଅଚେତ୍ ହୋଇ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ପିଣ୍ଟୁଙ୍କୁ ତୁରନ୍ତ ଚିକିତ୍ସା ପାଇଁ ରେମୁଣା ମେଡିକାଲ କଲେଜକୁ ନେଇଥିଲେ। ତେବେ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ତ୍ରୀ ସୁମିତ୍ରା ବସ୍ତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ୨୧୭/୨୬ ମୂଳେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ମାତ୍ର ଘଟଣାକୁ ୧୦ଦିନ ବିତିଯାଇଥିଲେ ବି ପୁଲିସ ଅଭିଯୁକ୍ତ ମାନଙ୍କୁ ଗିରଫ୍ କରୁନଥିବାରୁ ସେମାନଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରୁଥିବା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ହୋଇଛି। ସୂଚନା ଥାଉକି ଦେବାଶିଷ ବିଜେପିର ବରିଷ୍ଠ ନେତା ପ୍ରଦୀପ କୁମାର ପଣ୍ଡା ଏବଂ ନଗର ଉନ୍ନୟନ ମନ୍ତ୍ରୀ ଡ଼.କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଉଥିବା ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଥିବାରୁ ସେମାନଙ୍କ ପ୍ରତି ଉକ୍ତ ନେତାଙ୍କର ଆଶୀର୍ବାଦ ଥିବା ଅଭିଯୋଗ ହେଉଛି। ଏଣୁ ତୁରନ୍ତ ଉକ୍ତ ଆସାମୀ ମାନଙ୍କୁ ଗିରଫ୍ କରିବା ପାଇଁ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଦାବି ହୋଇଛି। ଅପରପଟେ ଆକ୍ରମଣକାରୀ ମାନେ ମଧ୍ୟ ପିଣ୍ଟୁଙ୍କ ଉପରେ ପାଲଟା ଅଭିଯୋଗ କରିଥିବା ବେଳେ ପୁଲିସ ୨୧୮/୨୬ ରେ ଅନ୍ୟ ଏକ ମାମଲା ରୁଜୁ କରିଛି।








