
ପୁରୀ, ୨୦/୪ (ଅନିମେଶ ପଟ୍ଟନାୟକ): ଜଗନ୍ନାଥ ସଂସ୍କୃତିର ଏକ ଅତ୍ୟନ୍ତ ପବିତ୍ର ଓ ପାରମ୍ପରିକ ପର୍ବ ଅକ୍ଷୟ ତୃତୀୟା ଅବସରରେ ଆଜି ଶ୍ରୀକ୍ଷେତ୍ର ପୁରୀର ରଥଖଳାରେ ତିନିରଥ ନିର୍ମାଣର ଶୁଭାରମ୍ଭ ହୋଇଛି। ଏହି ଅବସରରେ ରଥକାଠ ଅନୁକୂଳ କାର୍ଯ୍ୟ ବିଧିବତ ଧାର୍ମିକ ଆଚାର-ବିଚାର ମଧ୍ୟରେ ସମ୍ପନ୍ନ ହୋଇଥିଲା।
ପାରମ୍ପରିକ ବନଯାଗ ନୀତି ଅନୁଯାୟୀ ରଥ ଖଳା ର ଅଧିଷ୍ଠାତ୍ରୀ ମାଆ ଚର୍ଚ୍ଚିକା ଙ୍କ ଆବାହନ ପ୍ରଥମେ ହୋମ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ପରେ ମହାକାଳୀ ମନ୍ତ୍ର ଉଚ୍ଚାରଣ ସହିତ ପୂଜିତ କୁରୁଢି ଲଗାଇ ଦେଉଳ ପୁରୋହିତମାନେ ଶାସ୍ତ୍ରୋକ୍ତ ପଦ୍ଧତିରେ ରଥକାଠ ଅନୁକୂଳ କରିଥିଲେ। ଏହି ଆଚାର ରଥ ନିର୍ମାଣ ପ୍ରକ୍ରିୟାର ପ୍ରଥମ ଓ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ପରିଗଣିତ।
ଏହା ପୂର୍ବରୁ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ୫ଟି ପବିତ୍ର ଆଜ୍ଞାମାଳ ପାରମ୍ପରିକ ଶୋଭାଯାତ୍ରାରେ ରଥଖଳାକୁ ଆଣାଯାଇଥିଲା। ପରେ ତିନିଜଣ ପୂଜାପଣ୍ଡା ଏହି ଆଜ୍ଞାମାଳକୁ ରଥଖଳାରେ ଅର୍ପଣ କରିଥିଲେ, ଯାହା ରଥ ନିର୍ମାଣ କାର୍ଯ୍ୟର ଆଧ୍ୟାତ୍ମିକ ମହତ୍ତ୍ୱକୁ ଅଧିକ ଗଭୀର କରିଥିଲା। ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କ ମନ୍ତ୍ରୋଚ୍ଚାରଣରେ ସମଗ୍ର ରଥଖଳା ପରିବେଶ ଧାର୍ମିକ ଓ ଆଧ୍ୟାତ୍ମିକ ଭାବନାରେ ମଗ୍ନ ହୋଇଯାଇଥିଲା। ଏହା ସହିତ ତିନିରଥର ମୁଖ୍ୟ ବିଶ୍ୱକର୍ମାଙ୍କ ଦ୍ୱାରା ଶାଢିବନ୍ଧା ନୀତି ମଧ୍ୟ ପାଳିତ ହୋଇଥିଲା, ଯାହା ରଥ ନିର୍ମାଣର ଆରମ୍ଭକୁ ଆନୁଷ୍ଠାନିକ ଭାବେ ସୂଚିତ କରେ ।
ଏହି ଅବସରରେ ରୂପକାର, କମାର, ଚିତ୍ରକର ଓ ଭୋଇ ସେବକମାନେ ସହିତ ଶ୍ରୀମନ୍ଦିର ସେବାୟତମାନେ ଉପସ୍ଥିତ ଥିଲେ। ପାରମ୍ପରିକ ରଥ ସଂହିତା ଓ ଶିଳ୍ପ ଶାସ୍ତ୍ର ଅନୁଯାୟୀ ତିନୋଟି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ନିର୍ମାଣ କରାଯିବ।
ଏହି ଶୁଭ କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. ଅରବିନ୍ଦ ପାଢୀ, ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଏସପି ପ୍ରତୀକ ସିଂଙ୍କ ସହ ବରିଷ୍ଠ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନର ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ରାଜ୍ୟ
ଅକ୍ଷୟ ତୃତୀୟାରେ ରଥଖଳାରେ ଆରମ୍ଭ ହେଲା ତିନିରଥ ନିର୍ମାଣ: ଧାର୍ମିକ ମାହୋଲରେ ରଥକାଠ ଅନୁକୂଳ
- Hits: 69








