ଓଡ଼ଗାଁରେ ଶ୍ରୀରଘୁନାଥ ଜୀଉଙ୍କ ଚନ୍ଦନ ଯାତ୍ରା ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୨୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁରେ ବିରାଜମାନ ପ୍ରଭୁ ଶ୍ରୀରଘୁନାଥ ଜୀଉଙ୍କ ପବିତ୍ର ଚନ୍ଦନ ଯାତ୍ରା ସୋମବାର ଠାରୁ ଆରମ୍ଭ ହୋଇଛି। ଏହି ଯାତ୍ରା ଆଗାମୀ ୨୧ ଦିନ ଧରି ଭକ୍ତିମୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହେବ।
ସକାଳେ ଦୈନନ୍ଦିନ ନୀତିକାନ୍ତି ସମ୍ପନ୍ନ ହେବା ପରେ ପହୁଡ଼ ପଡ଼ିଥିଲା। ଅପରାହ୍ନରେ ପ୍ରଭୁ ଶ୍ରୀରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ବିଜେ ପ୍ରତିମା ଆଜ୍ଞାମାଳ ପାଇବା ପରେ ଧୂପ, ଦୀପ ଓ ଆଳତୀ ସହ ନୀତିକାନ୍ତି ସମ୍ପନ୍ନ କରାଯାଇଥିଲା। ପରେ ଶ୍ରୀଜିଉମାନଙ୍କୁ ଜଗମୋହନରୁ ଭୋଗ ମଣ୍ଡପକୁ ବିଜେ କରାଯାଇଥିଲା।ଶୋଭାଯାତ୍ରାରେ ଘଣ୍ଟ, ଘଣ୍ଟା, କାହାଳୀ, ଛତି ଓ ତ୍ରାଶ ଆଦି ସୁସଜ୍ଜିତ ବିମାନରେ ଶ୍ରୀଜିଉମାନେ ମନ୍ଦିରରୁ ବାହାରି ଶ୍ରୀରାମ ସାଗର ସ୍ଥିତ ଚନ୍ଦନ ମଣ୍ଡପକୁ ବିଜେ କରିଥିଲେ। ମଣ୍ଡପର ଶୋଧନ ନୀତି ସମ୍ପନ୍ନ ହେବା ପରେ ପ୍ରଭୁଙ୍କ ନୈାକାବିହାର (ଚାପ ଖେଳ) ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ କାଳରେ ଭୋଗ ଓ ଆଳତୀ ନୀତି ସାରି ଶ୍ରୀଜିଉମାନେ ଚନ୍ଦନ କୁଣ୍ଡର ସୁବାସିତ ଜଳରେ ବିଶ୍ରାମ ଗ୍ରହଣ କରିଥିଲେ। ରାତିରେ ପୁନର୍ବାର ଚନ୍ଦନ ବେଦୀକୁ ଆଣି ଭୋଗ ନୈବେଦ୍ୟ ଅର୍ପଣ ପରେ ଡଙ୍ଗାରେ ଜଳକ୍ରୀଡ଼ା କରାଯାଇଥିଲା। ଏହା ପରେ ନଗର ଭ୍ରମଣ ଓ ଚାଚେରୀ ଭୋଗ ଲାଗି ହେବା ସହ ରାତି ପ୍ରାୟ ୧୦ଟା ସମୟରେ ଶ୍ରୀଜିଉମାନେ ମନ୍ଦିରକୁ ପ୍ରବେଶ କରିଥିଲେ। ପରେ ବଡ଼ ସିଙ୍ଗାର ନୀତି ସମ୍ପନ୍ନ ହୋଇ ପହୁଡ଼ ପଡ଼ିଥିଲା। ଏହି ପବିତ୍ର ଯାତ୍ରାର ନୀତିକାର୍ଯ୍ୟ ପରିଚ୍ଛା ଓ ମନ୍ଦିର ପାଳିଆ ପୂଜକ ଶ୍ରୀଧର ଦାଶଙ୍କ ସହଯୋଗରେ ଏବଂ ମନ୍ଦିର ପ୍ରଶାସକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ନେତୃତ୍ୱରେ ସୁଚାରୁ ଭାବେ ସମ୍ପନ୍ନ ହୋଇଥିଲା।

0
0
0
s2sdefault